Sunday, 17 May 2026
ରାୟଗଡା

ଆଙ୍ଗୁଳି ଛାପ ଫେରାଇଦେଲା ଦିବ୍ୟାଙ୍ଗ ନାବାଳିକାର ପରିଚୟ, ୮ ବର୍ଷ ପରେ ଘରକୁ ଫେରିଲେ

ଗୁଣପୁର: ଦୁର୍ଗମ ଲାଞ୍ଜିଆ ସୌରା ଅଞ୍ଚଳର ଜଣେ ଦିବ୍ୟାଙ୍ଗ ନାବାଳିକା ଦୀର୍ଘବର୍ଷ ଧରି ନିଖୋଜ ଥିଲେ। ୮ ବର୍ଷ ପରେ ସେ ନିଜ ପରିବାରକୁ ଫେରିଛନ୍ତି। ମୁକ ଓ ବଧିର ଥିବା ନାବାଳିକାର ଆଙ୍ଗୁଳି ଛାପ ଆଜି ତାଙ୍କ ପରିଚୟ ଫେରାଇ ଦେଇଛି। ପରିବାର ଲୋକେ ନିଜ ଝିଅକୁ ଫେରି ପାଇବା ପରେ ଭାବବିହ୍ବଳ ହୋଇଯାଇଥିଲେ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ ଟଲଣା ପଞ୍ଚୟତର ବଡମାସିଂ ଗ୍ରାମରେ। ନିଖୋଜ ଥିବା ନାବାଳିକା ହେଲେ ଲାଣ୍ଡମି ଶବର।

ପିଲା ବେଳୁ ଲାଣ୍ଡମି ମୁକ ବଧିର ହୋଇଥିବାରୁ ତାଙ୍କୁ ତାଙ୍କ ବାପା ଓ ମା’ ବାଲେଶ୍ବରର ମୁକ ବଧିର ବିଦ୍ୟାଳୟରେ ଶିକ୍ଷା ପାଇଁ ଛାଡିଥିଲେ। ସେଠାରୁ ସେ ଛୋଟ ବେଳୁ ନିଖୋଜ ହୋଇଯାଇଥିଲେ। ଏ ସମ୍ପର୍କରେ ଅନୁଷ୍ଠାନ ପକ୍ଷରୁ ପରିବାରକୁ ଅବଗତ କରାଯାଇଥିଲା। ଏହା ପରେ ୨୦୧୬ରେ ନାବାଳିକାଙ୍କ ବାପା ମା’ ପୁଟାସିଂ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଓ ଗ୍ରାମବାସୀ, ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ନାବାଳିକାର ସନ୍ଧାନ ମିଳିପାରି ନ ଥିଲା। ପରବର୍ତ୍ତୀ ମୁହୂର୍ତ୍ତରେ ଲାଣ୍ଡମିଙ୍କୁ କିଛି ଲୋକ କୌଣସି ଏକ ସ୍ଥାନରୁ ଉଦ୍ଧାର କରି ପୁଲିସ ସହାୟତାରେ ଭୁବନେଶ୍ବର ଏକ ମୁକ ବଧିର ବିଦ୍ୟାଳୟରେ ପହଞ୍ଚାଇଥିଲେ। ସେଠାରେ ନାବାଳିକା ରହୁଥିବା ବେଳେ ତାଙ୍କର କିଛି ଭତ୍ତା ଟଙ୍କା ଉଠାଣ ପାଇଁ ଜନସେବା କେନ୍ଦ୍ରକୁ ଯାଇଥିଲେ। ସେଠାରେ ଆଙ୍ଗୁଳି ଛାପ ଦେବା ବେଳେ ତାଙ୍କ ପରିଚୟ ବାଲେଶ୍ବର ମୁକ ବଧିର ଶିକ୍ଷା ଅନୁଷ୍ଠାନର ଛାତ୍ରୀ ବୋଲି ଜଣାପଡ଼ିଥିଲା। ଫଳରେ ତାଙ୍କୁ ବାଲେଶ୍ବରର ମୁକ ବଧିର ଶିକ୍ଷାନୁଷ୍ଠାନକୁ ହସ୍ତାନ୍ତର କରାଯାଇଥିଲା। ସେଠାରେ ଲାଣ୍ଡମି ପହଞ୍ଚିବା ପରେ ତାଙ୍କର ପ୍ରକୃତ ଠିକଣା ମିଳିଥିଲା। ବିଦ୍ୟାଳୟ କର୍ତ୍ତୃପକ୍ଷ ନାବାଳିକାର ପରିବାରକୁ ଗୁଣୁପୁର ଟଲଣା ପଞ୍ଚାୟତ ସରପଞ୍ଚଙ୍କ ଜରିଆରେ ସୂଚନା ଦେଇଥିଲେ। ସରପଞ୍ଚ ଓ ପରିବାର ପରିବାର ଲୋକେ ଝିଅକୁ ଗ୍ରାମକୁ ଫେରାଇ ଆଣିଥିଲେ। ଗାଁରେ ପହଞ୍ଚିବା ପରେ ତାଙ୍କୁ ଫୁଲମାଳ ପିନ୍ଧାଇ ଗ୍ରାମବାସୀ ସ୍ଵାଗତ କରିବା ସହିତ ଏକ ଭାବବିହ୍ବଳ ପରିବେଶ ସୃଷ୍ଟି ହୋଇଥିଲା।

Leave a Reply

Your email address will not be published. Required fields are marked *

Suchana Tv @2025. All Rights Reserved || Developed By CBSPL