Sunday, 17 May 2026
ନୂଆପଡା

ଅନ୍ଧବିଶ୍ବାସର ଭୟଙ୍କର ପରିଣତି: ଦେହରେ ପାଳବିଡ଼ା ବାନ୍ଧି ନିଆଁ ଲଗାଇଦେଲେ

ନୂଆପଡ଼ା/ସିନାପାଲି: ଅନ୍ଧବିଶ୍ବାସର ଭୟଙ୍କର ପରିଣତି ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅଞ୍ଚଳରେ। ଗୁଣିଗାରେଡ଼ି ସନ୍ଦେହରେ ଜଣେ ବୃଦ୍ଧଙ୍କ ଦେହରେ ପାଳବିଡ଼ା ବାନ୍ଧି ନିଆଁ ଲଗାଇ ପୋଡ଼ି ମାରିବାକୁ ଉଦ୍ୟମ ହୋଇଛି। ସୂଚନା ଅନୁସାରେ, ସିନାପାଲି ଥାନା ନୂଆମାଳପଡ଼ା ପଞ୍ଚାୟତର ପୋର୍ଟିପଡ଼ା ଗାଁରେ କୁଆଡ଼େ କମ୍‌ ଦିନ ବ୍ୟବଧାନରେ ଏକାଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା। ଗୁଣିଗାରେଡ଼ି ଯୋଗୁଁ ମୃତ୍ୟୁ ଘଟିଥିବା ଗ୍ରାମବାସୀ ସନ୍ଦେହ କରିଥିଲେ। ଏହାକୁ ନେଇ ଗୁରୁବାର ରାତିରେ ଗାଁରେ ପ୍ରଜାକୋର୍ଟ ବସିଥିବାବେଳେ ଗ୍ରାମର ଖାମସିଂ ମାଝୀ (୬୪)ଙ୍କୁ ହାଜର କରାଯାଇଥିଲା।

ସେ ଗୁଣିଗାରେଡ଼ି, ତନ୍ତ୍ରମନ୍ତ୍ର କରିବାରୁ ଏକାଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ କରାଯାଇଥିଲା। ଏଥିରୁ ନିବୃତ୍ତ ନ ରହିଲେ ତାଙ୍କୁ ପ୍ରଜାକୋର୍ଟରେ ଦଣ୍ଡିତ ହେବାକୁ ପଡ଼ିବ ବୋଲି ଚେତାବନୀ ମଧ୍ୟ ଦିଆଯାଇଥିଲା। ତେବେ ଖାମସିଂ କୌଣସି ତନ୍ତ୍ରମନ୍ତ୍ର କରିନଥିବା କହିଥିଲେ। ଫଳରେ ଜୋରଜବରଦସ୍ତି ତାଙ୍କ ଦେହରେ ପାଳବିଡ଼ା ଗୁଡ଼ାଇ ନିଆଁ ଲଗାଇ ଦିଆଯାଇଥିଲା। ଛଟପଟ ହୋଇ ଖାମସିଂ ପାଖରେ ଥିବା ଏକ ପୋଖରୀକୁ ଡେଇଁ ପଡ଼ିଥିଲେ। ପରେ ଘରକୁ ଯାଇ ସବୁକଥା କହିଥିଲେ। ପରିବାର ଲୋକ ପୁଲିସକୁ ଫୋନ୍ କରି ଜଣାଇବା ପରେ ଗୁରୁତର ଅବସ୍ଥାରେ ତାଙ୍କୁ ସିନାପାଲି ଡାକ୍ତରଖାନାକୁ ଅଣାଯାଇଥିଲା। ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସବିଶେଷ ସୂଚନା ମୁତାବକ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଏ ନେଇ ଥାନାରେ କୌଣସି ଏତଲା ଦିଆଯାଇନଥିଲା। ତେବେ ଏଭଳି ସମ୍ବେଦନଶୀଳ ଘଟଣାରେ ପୁଲିସ ନିଜ ଆଡୁ ମାମଲା ରୁଜୁ କରିବା ସହ ଗାଁ’କୁ ଆସି ତଦନ୍ତ କରିଛି। ପୁଲିସ ଭୟରେ ଗାଁ ପୁରୁଷଶୂନ୍ୟ ହୋଇ ପଡ଼ିଥିବା ଖବର ମିଳିଛି।

Leave a Reply

Your email address will not be published. Required fields are marked *

Suchana Tv @2025. All Rights Reserved || Developed By CBSPL