Sunday, 17 May 2026
ଢେଙ୍କାନାଳ

କାମାକ୍ଷାନଗର ଉପଜିଲ୍ଲାପାଳ ଗିରଫ

କାମାକ୍ଷାନଗର: ବନ୍ଧା ହେଲେ କାମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ନାୟକ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଛି।  ସୋମବାର ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଜିଲ୍ଲାପାଳଙ୍କ ସରକାରୀ ବାସଭବନ ଏବଂ କାର୍ଯ୍ୟାଳୟରେ ଚଢ଼ଉ କରିଥିଲା। ପୈତୃକ ବାସଭବନ, ଅଫିସ ସମେତ ଏକାକାଳୀନ ୧୦ଟି ସ୍ଥାନରେ ଚଢାଉ ଜାରି ରହିଥିଲା । ତେବେ  ଭିଜିଲାନ୍ସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଉପଜିଲାପାଳ ନାରାୟଣଚନ୍ଦ୍ର ନାୟକଙ୍କର ଭୁବନେଶ୍ୱର ଝାରପଡାରେ ଦୁଇଟି ତିନି ମହଲା ବିଶିଷ୍ଟ ଘର, ଭଦ୍ରକ କୁଆଁସରେ ତିନିମହଲା ଘର, ଭଦ୍ରକ ଗେଲପୁରରେ ଦୁଇ ମହଲା ଘର, ଭଦ୍ରକ କପାଗାଡ଼ିଆସ୍ଥିତ ପୈତୃକ ବାସଭବନ ଥିବା ଜଣାପଡିଛି। ନାରାୟଣଚନ୍ଦ୍ର ୨୦୨୩ ଜୁନରୁ କାମାକ୍ଷାନଗର ଉପଜିଲ୍ଲାପାଳ ଭାବେ  କାର୍ଯ୍ୟଭାର ସମ୍ଭାଳୁଥିଲେ। ସେ ୧୯୯୭ରେ ସରକାରୀ ଚାକିରୀରେ ସେ ଯୋଗ ଦେଇଥିଲେ। ପ୍ରଥମେ କଳାହାଣ୍ଡିରେ ସହାୟକ ବନ୍ଦୋବସ୍ତ ଅଧିକାରୀ (ଆସିଷ୍ଟାଣ୍ଟ ସେଟଲମେଣ୍ଟ ଅଫିସର) ଓ ପରେ ଭବାନୀପାଟଣାର ଅତିରିକ୍ତ ତହସିଲଦାର ଭାବେ ୧୯୯୯ରୁ ୨୦୦୪ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ପରେ ଦୀର୍ଘ ଦଶନ୍ଧି ଧରି ଖରିଆର, ଦଶରଥପୁର ଓ ବାଲିଅନ୍ତା ବ୍ଲକର ବିଡ଼ିଓ ଭାବେ କାର୍ଯ୍ୟ କରିଥିଲେ। ୨୦୨୩ରେ ପଦୋନ୍ନତି ପାଇ କାମାକ୍ଷାନଗର ଉପଜିଲାପାଳ ଭାବେ ଏଯାବତ କାମ କରିଆସୁଥିଲେ ନାରାୟଣଚନ୍ଦ୍ର ନାୟକ। ୧୦ଟି ସ୍ଥାନରେ ହୋଇଥିବା ଚଢ଼ଉରେ ତାଙ୍କଠାରୁ ନଗଦ ୧ ଲକ୍ଷ ୪୮ ହଜାର ୬୮୦ ଟଙ୍କା, ୨୫୦ ଗ୍ରାମ ସୁନା, ବିଭିନ୍ନ ବ୍ୟାଙ୍କରେ ଥିବା ପାସବୁକ, ଗୋଟିଏ ମୋଟର ସାଇକେଲ ଜବତ କରାଯାଇଛି।

Tag:

Leave a Reply

Your email address will not be published. Required fields are marked *

Suchana Tv @2025. All Rights Reserved || Developed By CBSPL