Sunday, 17 May 2026
ଗଜପତି

ପୋଡ଼ାଗଲା ୧୩ କୋଟିର ଗଞ୍ଜେଇ ଗଛ

ମୋହନା  : ଗଜପତି ଜିଲାରେ ଆରମ୍ଭ ହୋଇଛି ଅପରେସନ ଗଞ୍ଜେଇ । ଶୁକ୍ରବାର ଓ ଶନିବାର ଦୁଇ ଦିନ ଧରି ବଡ଼ସିନ୍ଧବା ପଞ୍ଚାୟତ ଅଧିନ କୁଟିମେରା ଗ୍ରାମ ନିକଟ ଜଙ୍ଗଲ ଜମି ଏବଂ ଶିକୁଳିପଦର ପଞ୍ଚାୟତ ନାରଙ୍ଗି ଗ୍ରାମ୍ୟ ଜଙ୍ଗଲରେ ପୁଲିସ ଓ ଅବକାରୀ ବିଭାଗ ମିଳିତ ଚଢ଼ଉ କରି ୮୫ ଏକର ଜଙ୍ଗଲ ଜମିରେ ହୋଇଥିବା ଗଞ୍ଜେଇ ଗଛ କାଟି ପୋଡ଼ି ନଷ୍ଟ କରାଯାଇଛି । ଏହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୧୩ କୋଟିରୁ ଅଧିକ ଟଙ୍କା ହେବ ବୋଲି କୁହାଯାଇଛି । ଶୁକ୍ରବାର ଗଜପତି ଆରକ୍ଷୀ ଅଧିକ୍ଷକ ଯତୀନ୍ଦ୍ର କୁମାର ପଣ୍ଡାଙ୍କ ନେତୃତ୍ବରେ ରା.ଉଦୟଗିରି ଏସଡ଼ିପିଓ ଅଶ୍ୱିନୀ ନାୟକ, ତହସିଲଦାର ଜ୍ୟୋତିର୍ମୟ ଦାଶ,ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠୀ,ଚନ୍ଦ୍ରଗିରି ଫାଣ୍ଡି ଅଧିକାରୀ ପୁରୁଷୋତ୍ତମ ପାଇକ, ଅବକାରୀ ବିଭାଗ, ବନ ବିଭାଗ ଓ ରାଜସ୍ବ ବିଭାଗ କର୍ମଚାରୀ ମିଳିତ ଚଢ଼ଉ କରିଥିଲେ । କୁଟିମେରା ଗ୍ରାମ ନିକଟ ୪୨ଏକର ଜଙ୍ଗଲ ଜମିରେ ବେଆଇନ ଚାଷ କରାଯାଇଥିବା ଗଞ୍ଜେଇ ଗଛ କାଟି ପୋଡ଼ି ଦିଆଯାଇଛି। ଏହାର ଅନୁମାନିକ ବଜାର ମୂଲ୍ୟ ୫କୋଟି ୧୦ଲକ୍ଷ ଟଙ୍କା ହେବ ବୋଲି ଥାନା ଅଧିକାରୀ କହିଛନ୍ତି। ସେହିପରି ଶନିବାର ଦିନ ଶିକୁଳିପଦର ପଞ୍ଚାୟତ ନାରଙ୍ଗି ଗ୍ରାମ୍ୟ ଜଙ୍ଗଲ ଉପରେ ଚଢ଼ାଉ କରି ବେଆଇନ୍ ୪୩ ଏକର ଜଙ୍ଗଲ ଜମିରେ ଚାଷ କରାଯାଇଥିବା ଗଞ୍ଜେଇ ଗଛ କାଟି ପୋଡ଼ି ନଷ୍ଟ କରାଯାଇଛି । ଏହାର ଅନୁମାନିକ ବଜାର ମୂଲ୍ୟ ୮ କୋଟି ୬ ଲକ୍ଷ ଟଙ୍କା ହେବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Suchana Tv @2025. All Rights Reserved || Developed By CBSPL