
ଟି-୨୦-୨୦୨୬ ବିଶ୍ୱକପରେ ଭାରତର ଐତିହାସିକ ବିଜୟ ପରେ, ଅନେକ ପୂର୍ବତନ ପାକିସ୍ତାନୀ କ୍ରିକେଟର ନିଜ ନିଜର ପ୍ରତିକ୍ରିୟା ଦେଇଛନ୍ତି । ଶାହିଦ ଆଫ୍ରିଦି, ସୋଏବ ଅଖତର ଏବଂ ମହମ୍ମଦ ହାଫିଜ୍ ଖୋଲାଖୋଲି ଭାବରେ ଟିମ୍ ଇଣ୍ଡିଆର ପ୍ରଶଂସା କରିଥିବାବେଳେ, ମହମ୍ମଦ ଆମିରଙ୍କ ଆଭିମୁଖ୍ୟ କିଛି ଭିନ୍ନ ଥିଲା। ସାମଗ୍ରିକ ଭାବରେ, ଭାରତର ସଫଳତା ପୁଣି ଥରେ ବିଶ୍ୱ କ୍ରିକେଟରେ ଏହାର ଶକ୍ତି ପ୍ରମାଣିତ କରିଛି ।
ଭାରତୀୟ କ୍ରିକେଟ୍ ଦଳ ମାର୍ଚ୍ଚ ୮ ତାରିଖରେ ୨୦୨୬ ଟି-୨୦ ବିଶ୍ୱକପ୍ ଜିତି ଇତିହାସ ରଚିଛି। ଫାଇନାଲରେ ନ୍ୟୁଜିଲ୍ୟାଣ୍ଡକୁ ୯୬ ରନରେ ପରାସ୍ତ କରି ଟିମ୍ ଇଣ୍ଡିଆ ତୃତୀୟ ଥର ପାଇଁ ଟି-୨୦ ବିଶ୍ୱକପ୍ ଟ୍ରଫି ଅକ୍ତିଆର କରିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଭାରତ ଘରୋଇ ପିଚ ରେ ଟାଇଟଲ ଜିତିକି ଲଗାତାର ତୃତୀୟ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ହୋଇଛି ।
ଭାରତର ଏହି ଐତିହାସିକ ବିଜୟ ପରେ, ସାରା ବିଶ୍ୱରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ପଡ଼ୋଶୀ ଦେଶ ପାକିସ୍ତାନର ଅନେକ ପୂର୍ବତନ କ୍ରିକେଟର ମଧ୍ୟ ବିଜୟ ଉପରେ ମତାମତ ଦେଇଛନ୍ତି। କେତେକ ଟିମ୍ ଇଣ୍ଡିଆର ପ୍ରଶଂସା କରିଛନ୍ତି, ଆଉ କିଛି ନିଜ ନିଜ ଢଙ୍ଗରେ ସେମାନଙ୍କୁ ତାଚ୍ଛଲ୍ୟ କରିବାକୁ ଚେଷ୍ଟା କରିଛନ୍ତି। ମହମ୍ମଦ ଆମିର ଭାରତର ବିଜୟରେ ବାଛଲାମି ହୋଇ କହିଛନ୍ତି , “ଭାରତୀୟ କପ ମେରେ ଘର ଥୋଡି ଲାଏଙ୍ଗେ” ।
ପୂର୍ବତନ ପାକିସ୍ତାନ ଅଧିନାୟକ ଶାହିଦ ଭାରତୀୟ ଦଳକୁ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ଆଫ୍ରିଦି କହିଛନ୍ତି ଯେ ଭାରତୀୟ ଦଳ ବର୍ତ୍ତମାନ ବହୁତ ଶକ୍ତିଶାଳୀ ଦେଖାଯାଉଛି ଏବଂ ସମଗ୍ର ଟୁର୍ଣ୍ଣାମେଣ୍ଟରେ ଚମତ୍କାର ପ୍ରଦର୍ଶନ କରିଛି। ଆଫ୍ରିଦି ଟିମ୍ ଇଣ୍ଡିଆର ପ୍ରଦର୍ଶନକୁ ପ୍ରଶଂସା କରି କହିଛନ୍ତି ଯେ ଭାରତର କ୍ରିକେଟ୍ ବ୍ୟବସ୍ଥା ବହୁତ ଶକ୍ତିଶାଳୀ, ଯାହା କାରଣରୁ ଦଳ ଏତେ ଭଲ ପ୍ରଦର୍ଶନ କରୁଛି।
ପାକିସ୍ତାନୀ ବ୍ୟାଟ୍ସମ୍ୟାନ୍ ଅହମ୍ମଦ ଶେହଜାଦ ମଧ୍ୟ ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ସେ ବିଶେଷ କରି ସଞ୍ଜୁ ସାମସନ ଏବଂ ଅଭିଷେକ ଶର୍ମାଙ୍କୁ ପ୍ରଶଂସା କରିଛନ୍ତି। ଶେହଜାଦ ପାକିସ୍ତାନୀ କ୍ରିକେଟର ତ୍ରୁଟିଗୁଡ଼ିକୁ ମଧ୍ୟ ଦର୍ଶାଇ କହିଛନ୍ତି ଯେ ପାକିସ୍ତାନକୁ ଭାରତର ସଫଳତାରୁ ଶିଖିବା ଆବଶ୍ୟକ।
ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ମହମ୍ମଦ ଆମିର ଭାରତକୁ ବିଜୟ ପାଇଁ ଅଭିନନ୍ଦନ ତ ଜଣାଇଥିଲେ,ହେଲେ ତାଙ୍କର ଅନ୍ଦାଜ ଭିନ୍ନ ମନେ ହେଉଥିଲା। ସେ ଅତ୍ୟଧିକ ଉତ୍ସାହିତ ଲାଗୁ ନଥିଲେ।
ଭାରତର ବିଜୟ ପରେ ପୂର୍ବତନ ଦ୍ରୁତ ବୋଲର ସୋଏବ ଅଖତର ଖୋଲାଖୋଲି ଭାବରେ ଦଳ ଏବଂ ଦେଶର କ୍ରିକେଟ ବ୍ୟବସ୍ଥାର ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ ଭାରତର କ୍ରିକେଟ ଗଠନ ବହୁତ ମଜବୁତ ଏବଂ ସେଥିପାଇଁ ଦଳ ଲଗାତାର ଭାବରେ ପ୍ରମୁଖ ଟୁର୍ଣ୍ଣାମେଣ୍ଟ ଜିତି ଆସୁଛି।

