ନନ୍ଦୀଗ୍ରାମ- ଯେଉଁ ମାଟିରୁ ବଙ୍ଗ ରାଜନୀତିରେ ବଡ଼ ବଡ଼ ଝଡ଼ ଉଠିଛି| ଆଉ ଏବେ ପୁଣି ସେହି ନନ୍ଦୀଗ୍ରାମ ଏବେ ରାଜନୀତିର କେନ୍ଦ୍ରବିନ୍ଦୁ|ଉପନିର୍ବାଚନକୁ ନେଇ ଦିନକୁ ଦିନ ବଢ଼ୁଥିବା ରାଜନୈତିକ ଉଷ୍ମତା ଶୁକ୍ରବାର ହଠାତ୍ ଏମିତି ମୋଡ଼ ନେଲା, ଯାହାକୁ ନେଇ ବଙ୍ଗ ରାଜନୀତିରେ ଜୋରଦାର ଚର୍ଚ୍ଚା| ପ୍ରଥମ ଧମାକା, ମମତା ଶିବିରର ପ୍ରାର୍ଥୀ ସଞ୍ଚିତା ପ୍ରଧାନ ଦେଙ୍କ ନାମାଙ୍କନ ପ୍ରତ୍ୟାହାର| ରିପୋର୍ଟ ଅନୁସାରେ, ଶୁଭେନ୍ଦୁ ଅଧିକାରୀଙ୍କ ସହ ସାକ୍ଷାତ ପରେ ସଞ୍ଚିତା ନିର୍ବାଚନ ମଇଦାନରୁ ଓହରିଥିଲେ। ଏହା ପରେ ନନ୍ଦୀଗ୍ରାମର ରାଜନୈତିକ ସମୀକରଣ ହଠାତ୍ ବଦଳିଗଲା| ତା’ପରେ ଆସିଲା ଦ୍ୱିତୀୟ ଟ୍ୱିଷ୍ଟ| ମମତା ବାନାର୍ଜୀ ଘୋଷଣା କଲେ ଯେ ନନ୍ଦୀଗ୍ରାମରେ ତାଙ୍କ ଶିବିର ଆଉ ପ୍ରାର୍ଥୀ ଦେବ ନାହିଁ। ବରଂ କଂଗ୍ରେସ ପ୍ରାର୍ଥୀ ମିଲନ ପ୍ରଧାନଙ୍କୁ ସମର୍ଥନ କରିବ| ମମତାଙ୍କ ଏହି ପଦକ୍ଷେପକୁ ଇଣ୍ଡିଆ ମେଣ୍ଟ ସମୀକରଣ ସହ ଯୋଡ଼ି ଦେଖାଯାଉଛି। ଅର୍ଥାତ୍, ନନ୍ଦୀଗ୍ରାମରେ ଲଢ଼େଇର ଚିତ୍ର ହଠାତ୍ ବଦଳିଗଲା।କିନ୍ତୁ, ମମତାଙ୍କ ସମର୍ଥନ ଘୋଷଣାର କିଛି ଘଣ୍ଟା ପରେ ଆସିଲା ତୃତୀୟ ଏବଂ ସବୁଠାରୁ ବଡ଼ ଟ୍ୱିଷ୍ଟ।କଂଗ୍ରେସ ପ୍ରାର୍ଥୀ ମିଲନ ପ୍ରଧାନଙ୍କୁ ହଠାତ୍ ପୋଲିସ ଗିରଫ କରିଥିବା ଖବର ସାମ୍ନାକୁ ଆସିଲା|

ମାମଲାଟି ୨୦୦୭ର ନନ୍ଦୀଗ୍ରାମ ଜମି ଅଧିଗ୍ରହଣ ବିରୋଧୀ ଆନ୍ଦୋଳନ ସମୟର ଏକ ପୁରୁଣା ହତ୍ୟା ମାମଲା ସହ ଜଡିତ ବୋଲି ରିପୋର୍ଟ ହୋଇଛି। ପୋଲିସ ପକ୍ଷରୁ ପୂର୍ବରୁ ଜାରି ହୋଇଥିବା ୱାରେଣ୍ଟ ଥିବା କଥା ମଧ୍ୟ ରିପୋର୍ଟରେ ଆସିଛି| ବାସ୍ ଏତିକିରେ ଥମିଲାନି ବିବାଦ| ମିଲନଙ୍କ ଗିରଫକୁ ନେଇ କଂଗ୍ରେସ ରାଜନୈତିକ ପ୍ରତିଶୋଧର ଅଭିଯୋଗ ଆଣିଲା। ରାହୁଲ ଗାନ୍ଧୀ ମଧ୍ୟ ସୋସିଆଲ ମିଡିଆ ପୋଷ୍ଟରେ ଗିରଫଦାରୀର ସମୟକୁ ନେଇ ପ୍ରଶ୍ନ ଉଠାଇ ଏହାକୁ ରାଜନୈତିକ ପ୍ରତିଶୋଧ ବୋଲି ଅଭିହିତ କରିଥିଲେ| କିନ୍ତୁ ପାଲଟା ଦାବି ମଧ୍ୟ ସାମ୍ନାକୁ ଆସିଛି।ତୃଣମୂଳରୁ ଅଲଗା ହୋଇଥିବା ଋତବ୍ରତ ବାନାର୍ଜୀଙ୍କ ଗୋଷ୍ଠୀ ପକ୍ଷରୁ କୁହାଯାଇଛି ଯେ ମିଲନ ପ୍ରଧାନଙ୍କ ବିରୋଧରେ ଅଭିଯୋଗ ରହିଛି ଏବଂ ଆଇନଗତ ପ୍ରକ୍ରିୟାର ଅଂଶ ଭାବରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଛି| ଅର୍ଥାତ୍ ଗୋଟିଏ ଘଟଣାକୁ ନେଇ ଦୁଇଟି ଭିନ୍ନ ରାଜନୈତିକ ବୟାନଦେଖିବାକୁ ମିଳିଛି |

ଗୋଟିଏ ପଟେ, ରାଜନୈତିକ ପ୍ରତିଶୋଧର ଅଭିଯୋଗ| ଆଉ ଅନ୍ୟପଟେ, ପୁରୁଣା ମାମଲା ଓ ୱାରେଣ୍ଟ ଆଧାରିତ ଆଇନଗତ କାର୍ଯ୍ୟାନୁଷ୍ଠାନର ଦାବି| ଏହି ଦୁଇ ବୟାନ ମଧ୍ୟରେ ଏବେ ନନ୍ଦୀଗ୍ରାମର ନିର୍ବାଚନୀ ମଇଦାନ ଆହୁରି ତାତିଛି। ଆଉ ଏଠି ଉଠୁଛି ସବୁଠାରୁ ବଡ଼ ପ୍ରଶ୍ନ କାହିଁକି ଓହରିଲେ ପ୍ରାର୍ଥୀ ? ମମତା କାହିଁକି କଂଗ୍ରେସକୁ କଲେ ସମର୍ଥନ ? ମମତାଙ୍କ ସମର୍ଥନ ପରେ ମିଲନଙ୍କ ଗିରଫ କେବଳ ସଂଯୋଗ ନା ଏହା ପଛରେ ଅନ୍ୟ କୌଣସି ରାଜନୈତିକ ପରିପ୍ରେକ୍ଷିତ ରହିଛି?ଏହି ପ୍ରଶ୍ନଗୁଡ଼ିକର ରାଜନୈତିକ ଉତ୍ତର ଏବେ ଆସିବାକୁ ବାକି।ତେବେ ପଶ୍ଚିମବଙ୍ଗରେ ପ୍ରାର୍ଥୀ ଓହରିଲେ , ମେଣ୍ଟର ନୂଆ ସମୀକରଣ ହେଲା, ସମର୍ଥନ ଘୋଷଣା ହେଲା | ଆଉ ତା’ପରେ କଂଗ୍ରେସ ପ୍ରାର୍ଥୀ ଗିରଫ!ତେଣୁ ଅକ୍ଟୋବର ୬ର ନନ୍ଦୀଗ୍ରାମ ଉପନିର୍ବାଚନ କେବଳ ଭୋଟର ଲଢ଼େଇ ନୁହେଁ, ଏହା ଏବେ ରାଜନୈତିକ ସମୀକରଣ, ପୁରୁଣା ମାମଲା ଏବଂ ନୂଆ ମେଣ୍ଟକୁ ନେଇ ଚାଲିଥିବା ଏକ ବଡ଼ ରାଜନୈତିକ ଅଧ୍ୟାୟ।ନନ୍ଦୀଗ୍ରାମରେ କିଏ ଟିକିବ?କିଏ ଓହରିବ?ଆଉ କିଏ ଏହି ବଦଳୁଥିବା ସମୀକରଣର ଫାଇଦା ନେବ? ଉତ୍ତର ଅକ୍ଟୋବର ୬ର ଭୋଟ ପରେ ସ୍ପଷ୍ଟ ହେବ।
