କାନପୁର ମହାରାଜପୁରର ସୁଭୌଲି ଗାଁ ନିକଟ ରେଳଲାଇନ କଡ଼ରେ ଏକ ଗଛରୁ ଜଣେ ମହିଳା ଓ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ମିଳିଛି। ଶନିବାର ଅପରାହ୍ନରେ ସ୍ଥାନୀୟ ଲୋକେ ସେହି ରାସ୍ତା ଦେଇ ଯାଉଥିବାବେଳେ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ। ଏକ ବବୁଲ ଗଛରେ ଗୋଟିଏ ଶାଢ଼ୀର ଦୁଇ ମୁଣ୍ଡରେ ଅଲଗା ଅଲଗା ଫାଶ ଲଗାଯାଇଥିବା ଅବସ୍ଥାରେ ଉଭୟଙ୍କ ମୃତଦେହ ମିଳିଥିଲା।
ପୋଲିସର ସୂଚନା ଅନୁସାରେ, ମୃତ ମହିଳା ଓ ଯୁବକଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ଉଭୟଙ୍କ ପରିଚୟ ଜାଣିବା ପାଇଁ ପୋଲିସ ଆଖପାଖ ଗାଁରେ ପଚରାଉଚରା କରିଛି। ଘଟଣାସ୍ଥଳ ନିକଟରୁ ୨ ହଜାର ୫୦୦ ଟଙ୍କା ମିଳିଥିବା ସ୍ଥାନୀୟ ଲୋକେ କହିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।
ଏସିପି ଚକେରୀ ଆଶୁତୋଷ ସିଂହଙ୍କ ସୂଚନା ଅନୁସାରେ, ମୃତ ୩୦ ବର୍ଷୀୟା ମହିଳା ଉନ୍ନାଓ ଅଞ୍ଚଳର ବାସିନ୍ଦା। ପ୍ରାୟ ୮ ବର୍ଷ ପୂର୍ବେ ତାଙ୍କର ବିବାହ ହୋଇଥିଲା ଏବଂ ତାଙ୍କର ଦୁଇଜଣ ସନ୍ତାନ ମଧ୍ୟ ଅଛନ୍ତି। ପୋଲିସର କହିବା ଅନୁସାରେ, ମହିଳାଙ୍କ ସହ ମୃତ ଯୁବକଙ୍କ ପ୍ରେମ ସମ୍ପର୍କ ଥିଲା। ତେବେ ଏପର୍ଯ୍ୟନ୍ତ ଯୁବକଙ୍କ ପରିଚୟ ସ୍ପଷ୍ଟ ହୋଇପାରିନାହିଁ।

