Tuesday, 20 October 2026
ମୁଖ୍ୟ ଖବର ଶିକ୍ଷା

ଭୁବନେଶ୍ୱରରେ ବିଶ୍ୱ ଛାତ୍ରଛାତ୍ରୀ ଦିବସ ପାଳିତ | ରାଷ୍ଟ୍ର ନିର୍ମାଣରେ ଛାତ୍ରଛାତ୍ରୀଙ୍କ ଭୂମିକା ଉପରେ ଆଲୋଚନା

ଭୁବନେଶ୍ୱର ୟୁନିଟ୍‌-୯ ସ୍ଥିତ ରେଡ୍‌କ୍ରସ୍ ଭବନଠାରେ କ୍ରାନ୍ତିକାରୀ ସାମାଜିକ ଅନୁଷ୍ଠାନ ସମର କ୍ରାନ୍ତି ସେନା ପକ୍ଷରୁ ବିଶ୍ୱ ଛାତ୍ରଛାତ୍ରୀ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ବିଶିଷ୍ଟ ବୈଜ୍ଞାନିକ ଡକ୍ଟର ଏ.ପି.ଜେ. ଅବଦୁଲ କଲାମଙ୍କ ଜନ୍ମଜୟନ୍ତୀ ଅବସରରେ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

କାର୍ଯ୍ୟକ୍ରମରେ ଉଦ୍‌ଘାଟକ ଭାବେ ଭାରତୀୟ ନିର୍ବାଚନ ଆୟୋଗର ପୂର୍ବତନ ମୁଖ୍ୟ ଉପଦେଷ୍ଟା ଡକ୍ଟର ଭଗବାନ ପ୍ରକାଶ ଯୋଗଦେଇଥିଲେ। ଏହା ସହିତ ମୁଖ୍ୟବକ୍ତା ଭାବେ ଡକ୍ଟର ସିପ୍ରା ମଲ୍ଲିକ, ସ୍ୱତନ୍ତ୍ର ଅତିଥି ଭାବେ ରାଷ୍ଟ୍ରୀୟ ପତ୍ରକାର ମହାସଂଘର ଜାତୀୟ ସଭାପତି ଡକ୍ଟର ପବିତ୍ର ମୋହନ ସାମନ୍ତରାୟ ଏବଂ ରେଭେନ୍ସା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟାପକ ନିରଞ୍ଜନ ବାରିକ ଉପସ୍ଥିତ ଥିଲେ।

ଅନୁଷ୍ଠାନର ନିର୍ଦ୍ଦେଶକ ସୁଧାଂଶୁ ଶେଖର ମହାପାତ୍ର, ପ୍ରତିକାର ଓଡ଼ିଆ ସମ୍ବାଦପତ୍ରର ପ୍ରତିଷ୍ଠାତା ସମ୍ପାଦକ ଶୁଭାଶିଷ ମିଶ୍ର, ପୂର୍ବତନ ଛାତ୍ର ସଭାପତି ତଥା ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଉପଦେଷ୍ଟା ଭାବେ ପରିଚିତ ଶିଶିର କୁମାର ପରିଜା ପ୍ରମୁଖ ଯୋଗଦେଇଥିଲେ। ବିଶିଷ୍ଟ ପଦାର୍ଥ ବିଜ୍ଞାନୀ ତଥା ଅଧ୍ୟାପକ ଡକ୍ଟର ସୁଶାନ୍ତ ଦାସଙ୍କ ପୌରୋହିତ୍ୟରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।

ଏହି ଅବସରରେ ‘ରାଷ୍ଟ୍ର ନିର୍ମାଣରେ ଛାତ୍ରଛାତ୍ରୀଙ୍କ ଭୂମିକା’ ଶୀର୍ଷକ ବିଷୟବସ୍ତୁ ଉପରେ ଆଲୋଚନା କରାଯାଇଥିଲା। ଶିକ୍ଷା, ଶୃଙ୍ଖଳା, ନୈତିକ ମୂଲ୍ୟବୋଧ, ବୈଜ୍ଞାନିକ ଚିନ୍ତାଧାରା ଏବଂ ଯୁବଶକ୍ତିର ସଠିକ୍ ବିନିଯୋଗ ମାଧ୍ୟମରେ ଏକ ସଶକ୍ତ ଓ ବିକଶିତ ରାଷ୍ଟ୍ର ଗଠନ ସମ୍ଭବ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ।

ପ୍ରତିବର୍ଷ ଅକ୍ଟୋବର ୧୫ ତାରିଖରେ ଡକ୍ଟର ଏ.ପି.ଜେ. ଅବଦୁଲ କଲାମଙ୍କ ଜନ୍ମଜୟନ୍ତୀ ପାଳନ କରାଯାଏ। ୧୯୩୧ ମସିହା ଅକ୍ଟୋବର ୧୫ ତାରିଖରେ ତାମିଲନାଡୁର ରାମେଶ୍ୱରମରେ ଜନ୍ମଗ୍ରହଣ କରିଥିବା ଡକ୍ଟର କଲାମ ଭାରତର ଏକାଦଶ ରାଷ୍ଟ୍ରପତି ଥିଲେ। ‘ଭାରତର କ୍ଷେପଣାସ୍ତ୍ର ପୁରୁଷ’ ଭାବେ ପରିଚିତ ଡକ୍ଟର କଲାମ ଯୁବପିଢ଼ି ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଜଣେ ମହାନ ପ୍ରେରଣାର ଉତ୍ସ। ଶିକ୍ଷା ଓ ଯୁବ ସଶକ୍ତୀକରଣ ପ୍ରତି ତାଙ୍କର ଅବଦାନକୁ ସମ୍ମାନ ଜଣାଇ ଏହି ଦିନକୁ ବିଶ୍ୱ ଛାତ୍ର ଦିବସ ଭାବେ ବ୍ୟାପକ ଭାବରେ ପାଳନ କରାଯାଉଛି।

କାର୍ଯ୍ୟକ୍ରମର ଅନ୍ୟତମ ଆକର୍ଷଣ ଥିଲା ‘ଏ.ପି.ଜେ. ଅବଦୁଲ କଲାମ ଗୌରବ ସ୍ମୃତି ସମ୍ମାନ’ ପ୍ରଦାନ ସମାରୋହ। ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଆସିଥିବା ବିଦ୍ୟାଳୟର ଅଧ୍ୟକ୍ଷ, ଶିକ୍ଷକ, ବୈଜ୍ଞାନିକ, ସ୍ୱେଚ୍ଛାସେବୀ, ଛାତ୍ରଛାତ୍ରୀ ଏବଂ ସମାଜସେବୀ ସଂଗଠକମାନଙ୍କୁ ସେମାନଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ସମାଜ ଆଇନର ସମ୍ପାଦକ ମନୋଜ ସେଠ୍, ସଂଗଠନର ସଦସ୍ୟ ଡକ୍ଟର ସୌମିତ୍ର କର, ସମ୍ପାଦକ ଡକ୍ଟର ପ୍ରମୋଦ କିଶୋର ପରିଡ଼ା, ଶଙ୍କର ବେହେରା, ଅନୁଷ୍ଠାନର ସଭାପତି ଶରତ ଚନ୍ଦ୍ର ଜେନା, ସୁଶାନ୍ତ ରଣଜିତ, ମୁକେଶ ସିଂହ, ହରେକୃଷ୍ଣ ବରାଳ, ଅଜିତ ସାହୁ, ବିଦ୍ୟାଧର ମହାପାତ୍ର, ଜାନକୀ ବଲ୍ଲଭ ଧଳ, ରାକେଶ ହୋତା, ହେମନ୍ତ ସ୍ୱାଇଁ, ବାସୁଦେବ ପରିଡ଼ାଙ୍କ ସମେତ ବହୁ ସଦସ୍ୟ ଓ ଅତିଥି ଉପସ୍ଥିତ ଥିଲେ।

ଯୁବପିଢ଼ିଙ୍କ ମଧ୍ୟରେ ଦେଶପ୍ରେମ, ସାମାଜିକ ଦାୟିତ୍ୱବୋଧ ଏବଂ ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି କରିବା ସହ ଡକ୍ଟର କଲାମଙ୍କ ଆଦର୍ଶକୁ ଆଗକୁ ନେବା ପାଇଁ ଏହି କାର୍ଯ୍ୟକ୍ରମ ଏକ ସୁନ୍ଦର ବାର୍ତ୍ତା ପ୍ରଦାନ କରିଛି।

Leave a Reply

Your email address will not be published. Required fields are marked *

Suchana Tv @2025. All Rights Reserved || Developed By CBSPL