ଚାରିଆଡ଼େ କେବଳ ହାହାକାର। ଆଖି ଆଗରେ ଭାସି ଯାଉଛି ଘରଦ୍ୱାର। ମାଟି ତଳେ ଚାପି ହୋଇଯାଉଛି ସ୍କୁଲ। କାନରେ ଶୁଭୁଛି ଲୋକଙ୍କ ଚିତ୍କାର। ଆଉ ସେହି ପ୍ରଳୟର ଛାତି ଉପରେ ଠିଆ ହୋଇଥିଲା ମୃତ୍ୟୁ । କିନ୍ତୁ ଏତେ ବଡ଼ ବିପଦ ସାମ୍ନାରେ ହାର ମାନିନଥିଲା ଜଣେ କୁନି ପିଲା। ବୟସ ମାତ୍ର ୮ ବର୍ଷ। ହାତରେ ନାହିଁ କୌଣସି ଶକ୍ତି। ମନରେ ନାହିଁ କୌଣସି ପ୍ରଶିକ୍ଷଣ, ତଥାପି ଥିଲା ଅସୀମ ସାହସ ଏବଂ ବଞ୍ଚିବାର ଅଦମ୍ୟ ଇଚ୍ଛା। ଆଉ ସେହି ସାହସ ବଳରେ ମୃତ୍ୟୁର ଆଖିରେ ଆଖି ମିଶାଇ ଚ୍ୟାଲେଞ୍ଜ ଦେଇଥିଲା ଏହି କୁନି ବାଳକ। ଏ ହେଉଛି ୮ ବର୍ଷର ଶିଶୁ ଜୁଏଲ୍ ଘାନେ। ନେପାଳର ପ୍ରଳୟଙ୍କର ବନ୍ୟା ଭିତରୁ ଆସିଛି ଏମିତି ଏକ କାହାଣୀ, ଯାହା ଶୁଣିଲେ ଆଖିରେ ବି ଲୁହ ଆସିଯିବ। ଆଉ ଏହି କୁନି ବାଳକର ସାହସକୁ ଦେଖିଲେ ଛାତି ଗର୍ବରେ ଫୁଲି ଉଠିବ। ସବୁଦିନ ପରି ସେଦିନ ମଧ୍ୟ ଜୁଏଲ୍ ନିଜ ଭାଇଙ୍କ ସହ ସ୍କୁଲକୁ ଯାଇଥିଲା। କିଏ ଜାଣିଥିଲା, ସ୍କୁଲକୁ ଯିବାର ସେହି ସାଧାରଣ ସକାଳଟି କିଛି ସମୟ ପରେ ଜୀବନର ସବୁଠାରୁ ଭୟଙ୍କର ମୁହୂର୍ତ୍ତରେ ପରିଣତ ହେବ। ହଠାତବଦୂରରୁ ଶୁଭିଲା ଭୟଙ୍କର ଗର୍ଜନ।ଯେମିତି ପାହାଡ଼ ଫାଟି ପଡ଼ୁଛି, ଯେମିତି ଧରିତ୍ରୀ ଥରି ଉଠୁଛି, ଯେମିତି କାଳ ନିଜେ ଦୌଡ଼ି ଆସୁଛି। କିଛି ବୁଝିବା ପୂର୍ବରୁ ପାହାଡ଼ିଆ ଅଞ୍ଚଳରୁ ମାଡ଼ି ଆସିଲା ପ୍ରଚଣ୍ଡ ପାଣିର ସ୍ରୋତ।
ସାଙ୍ଗରେ ଥିଲା ବିରାଟ ବିରାଟ ପଥର, କାଦୁଅ, ଗଛର ଗଣ୍ଡି ଆଉ ସବୁକିଛିକୁ ଭସାଇ ନେବାର ଅଦମ୍ୟ ଶକ୍ତି। ମାତ୍ର କିଛି ସେକେଣ୍ଡ ମଧ୍ୟରେ ବଦଳିଗଲା ସବୁକିଛି। ଯେଉଁଠି କିଛି ସମୟ ପୂର୍ବରୁ ପିଲାଙ୍କ ହସ ଶୁଭୁଥିଲା, ସେଠାରେ ଶୁଭିଲା ଚିତ୍କାର। ଯେଉଁ ସ୍କୁଲ ଘରେ ପିଲାମାନେ ପାଠ ପଢୁଥିଲେ, ତାହା ଆଖି ପିଛୁଳାକେ ତାସ ଘର ପରି ଭାଙ୍ଗି ମାଟିରେ ମିଶିଗଲା। ଚାରିଆଡ଼େ କେବଳ ଧ୍ୱଂସର ଚିତ୍ର। କେହି କିଛି ବୁଝି ପାରୁନଥିଲେ… କିଏ କେଉଁଆଡ଼େ ଦୌଡ଼ୁଛି, କିଏ କାହାକୁ ଖୋଜୁଛି, ଆଉ କିଏ ପାଣିର ପ୍ରଚଣ୍ଡ ସ୍ରୋତରେ ନିଜ ଜୀବନ ବଞ୍ଚାଇବାକୁ ସଂଘର୍ଷ କରୁଛି। କିନ୍ତୁ ଏହି ଭୟଙ୍କର ପରିସ୍ଥିତିରେ ମଧ୍ୟ ଭାଙ୍ଗି ପଡ଼ିନଥିଲା ୮ ବର୍ଷର ଜୁଏଲ୍। ଭୟକୁ ହୃଦୟରେ ଚାପି ଧରି ସେ ଦୌଡ଼ିଥିଲା ଜଙ୍ଗଲ ଆଡ଼କୁ। ପଛରେ ମାଡ଼ି ଆସୁଥିଲା କାଳର ସ୍ରୋତ, ଆଗରେ ଥିଲା ଅନିଶ୍ଚିତତା, ଆଉ ମଝିରେ ଥିଲା ଜୁଏଲର ଜୀବନ। ବଞ୍ଚିବା ପାଇଁ ସେ ଏକ ଗଛକୁ ଆଶ୍ରୟ କଲା। ଯେତେ ଶକ୍ତି ଥିଲା, ସେତିକି ଶକ୍ତି ଲଗାଇ ଗଛ ଉପରକୁ ଚଢ଼ିଗଲା ଏହି କୁନି ବାଳକ। ତଳେ ଚାଲିଥିଲା ପ୍ରଳୟର ତାଣ୍ଡବ, ପାଣି ସହ ଭାସି ଯାଉଥିଲା ମାଟି, ପଥର, ଘରର ଭଙ୍ଗା କାନ୍ଥ। ଆଉ ଗଛ ଉପରେ ବସି ନିଜ ଜୀବନକୁ ଜାବୁଡ଼ି ଧରିଥିଲା ଜୁଏଲ୍। ଶରୀର ଆହତ ହୋଇଥିଲା। ପ୍ରଚଣ୍ଡ ବିପଦ ତାକୁ ଘେରି ରହିଥିଲା, କିନ୍ତୁ ସେ ଗଛର ଡାଳ ଛାଡ଼ିନଥିଲା।
କାରଣ ସେ ଜାଣିଥିଲା, ହାତ ଛାଡ଼ିଦେଲେ ସବୁକିଛି ଶେଷ।କୁହାଯାଏ, ବିପଦ ସମୟରେ ମଣିଷର ପ୍ରକୃତ ସାହସର ପରୀକ୍ଷା ହୋଇଥାଏ। ଆଉ ସେହି ପରୀକ୍ଷାରେ ଜଣେ ୮ ବର୍ଷର ପିଲା ଦେଖାଇଥିଲା ଅସାଧାରଣ ସାହସ। ଶେଷରେ
ହାର ମାନିଲା ମୃତ୍ୟୁ । ଉଦ୍ଧାରକାରୀ ଦଳର ନଜର ପଡ଼ିଲା ଜୁଏଲ୍ ଉପରେ। ଦୀର୍ଘ ସଂଘର୍ଷ ପରେ ତାକୁ ସୁରକ୍ଷିତ ଭାବେ ଉଦ୍ଧାର କରାଗଲା ଏବଂ ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆଗଲା। କିନ୍ତୁ ଏଠାରୁ ଆରମ୍ଭ ହେଲା ଜଣେ ମାଆର ଭାଙ୍ଗି ଯାଇଥିବା ଆଶା ପୁଣି ଥରେ ଜୀବନ୍ତ ହୋଇଉଠିବାର କାହାଣୀ। ଜୁଏଲଙ୍କ ମାଆ ମାତିମାୟ ତମାଙ୍ଗ। ପ୍ରଳୟ ପରେ ଯେତେବେଳେ ଚାରିଆଡ଼େ ନିଖୋଜ ଲୋକଙ୍କ ଖବର ଆସୁଥିଲା, ସେତେବେଳେ ନିଜ ପୁଅର କୌଣସି ସନ୍ଧାନ ପାଇନଥିଲେ ମାଆ। ଗୋଟିଏ ଦିନ,ଦୁଇ ଦିନ, ସମୟ ବିତୁଥିଲା, କିନ୍ତୁ ପୁଅର କୌଣସି ଖବର ନଥିଲା। ଧୀରେ ଧୀରେ ଜଣେ ମାଆର ମନ ଭାଙ୍ଗିବାକୁ ଲାଗିଥିଲା। ହୁଏତ ସେ ଭାବି ନେଇଥିଲେ ମୋ ପୁଅ ଆଉ ଫେରିବନି। କିନ୍ତୁ କୁହାଯାଏ, ମାଆର ଡାକ କେବେ ବୃଥା ଯାଏନି। ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଜୁଏଲଙ୍କ ଏକ ଭିଡିଓ ଜଣେ ସାମ୍ବାଦିକା ସୋସିଆଲ ମିଡିଆରେ ସେୟାର କରିଥିଲେ। ପରିବାର ସହ ଯୋଗାଯୋଗ ପାଇଁ ସେ ନିଜର ଫୋନ୍ ନମ୍ବର ମଧ୍ୟ ଦେଇଥିଲେ। ଆଉ ତା’ପରେ ବାଜିଲା ଗୋଟିଏ ଫୋନ୍। ସେହି ଗୋଟିଏ ଫୋନ୍ କଲ ।
ଜଣେ ମାଆର ଲିଭି ଯାଇଥିବା ଆଶାରେ ପୁଣି ଆଲୋକ ଭରିଦେଲା। ଯେଉଁ ପୁଅକୁ ସେ ଚିରଦିନ ପାଇଁ ହରାଇ ଦେଇଥିଲା ଭାବି ନେଇଥିଲେ ସେହି ପୁଅ ବଞ୍ଚିଥିଲା। ହଁ ଜୁଏଲ୍ ବଞ୍ଚିଥିଲା। ମାଆର ଆଖିରେ ଲୁହ ଥିଲା। କିନ୍ତୁ ଏଥର ସେହି ଲୁହ ଦୁଃଖର ନୁହେଁ, ଥିଲା ଖୁସିର। ଶରୀରରେ ଆଘାତ ଲାଗିଥିଲା, ହାଡ଼ ଭାଙ୍ଗିଥିଲା, ପ୍ରଳୟ ତା ଶରୀରକୁ କ୍ଷତବିକ୍ଷତ କରିଦେଇଥିଲା । କିନ୍ତୁ ଜୁଏଲର ମନୋବଳକୁ ଭାଙ୍ଗି ପାରିନଥିଲା।ହସ୍ପିଟାଲ ବେଡରେ ଶୋଇଥିଲେ ମଧ୍ୟ ତା ମୁହଁରେ ଥିଲା ସେହି ଜୀବନର ଚମକ। ଏପଟେ ପ୍ରଳୟଙ୍କର ବନ୍ୟା ନେପାଳରେ ଅନେକ ପରିବାରକୁ ଛାରଖାର କରିଦେଇଥିବା ବେଳେ, ଅନେକ ଲୋକ ନିଜ ପ୍ରିୟଜନଙ୍କୁ ହରାଇଥିବା ବେଳେ ଏହି କୁନି ବାଳକର ଜୀବନ ସଂଘର୍ଷ ଏବଂ ମାଆ-ପୁଅର ପୁନର୍ମିଳନ ସମସ୍ତଙ୍କ ହୃଦୟକୁ ଛୁଇଁଯାଇଛି।ବୟସ ମାତ୍ର ୮ ବର୍ଷ , କିନ୍ତୁ ସାହସ ପାହାଡ଼ଠାରୁ ବଡ଼। ପ୍ରଳୟ ତାକୁ ଭୟ ଦେଖାଇଥିଲା,ମୃତ୍ୟୁ ତା ସାମ୍ନାରେ ଠିଆ ହୋଇଥିଲା, କିନ୍ତୁ କୁନି ଜୁଏଲ୍ ହାର ମାନିନଥିଲା। ଗଛର ଡାଳକୁ ଜାବୁଡ଼ି ଧରି ସେ ଯେପରି ଜୀବନକୁ ଧରି ରଖିଥିଲା। ଆଉ ଶେଷରେ ପ୍ରକୃତିର ପ୍ରଳୟ ହାରିଗଲା । ଜିତିଗଲା ଜଣେ ୮ ବର୍ଷର କୁନି ବାଳକର ସାହସ।ଜୁଏଲ୍ କେବଳ ନିଜ ଜୀବନ ବଞ୍ଚାଇନାହିଁ ସେ ପ୍ରମାଣ କରିଛି ଯେ ବିପଦ ଯେତେ ବଡ଼ ହେଉନା କାହିଁକି ମନରେ ସାହସ ଥିଲେ ମୃତ୍ୟୁକୁ ମଧ୍ୟ ହରାଇ ହେବ।
