Saturday, 5 September 2026
ଅନ୍ତର୍ଜାତୀୟ ମୁଖ୍ୟ ଖବର

ଚାହୁଁଚାହୁଁ ଆଖି ପିଛୁଳାକେ ସମୁଦ୍ରରେ ଡୁବିଗଲା

ପାରାଦୀପରେ ଜାହାଜ ଅଘଟଣ: ସୂଚନା ଅନୁସାରେ, ଜାହାଜଟି ପାରାଦୀପ ବନ୍ଦରରୁ ଚୀନ୍‌ର ଡାଲିଆନ୍‌ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ଓଡ଼ିଶା ଉପକୂଳରୁ ପ୍ରାୟ ୨୫୦ ନଟିକାଲ ମାଇଲ ଦୂର ଯାତ୍ରା କରିବା ପରେ ଜାହାଜଟି ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଗତକାଲି ଦିନ ୧୧ଟା ୪୮ ମିନିଟ୍‌ ସମୟରେ MV Ocean Winner ଜାହାଜ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ନେଇ MRCC ସୂଚନା ପାଇଥିଲା। ସୂଚନା ପାଇବା ପରେ ତୁରନ୍ତ ଉଦ୍ଧାରକାର୍ଯ୍ୟ ଆରମ୍ଭ କରାଯାଇଥିଲା। ଜାହାଜରେ ଥିବା କ୍ରୁ ସଦସ୍ୟମାନଙ୍କ ସୁରକ୍ଷା ନେଇ ଚିନ୍ତା ବଢ଼ିଥିବା ବେଳେ, ଉଦ୍ଧାରକାରୀ ଦଳ ଜାହାଜଟିର ସନ୍ଧାନ ଓ ଉଦ୍ଧାର ପାଇଁ ଅଭିଯାନ ଜାରି ରଖିଥିଲେ

ଜାହାଜରେ ମୋଟ ୨୪ ଜଣ କ୍ରୁ ସଦସ୍ୟ ଥିଲେ। ସେମାନଙ୍କ ମଧ୍ୟରେ ୨୦ ଜଣ ଚୀନ୍ ନାଗରିକ, ୩ ଜଣ ମିଆଁମାର ନାଗରିକ ଏବଂ ଜଣେ ବାଂଲାଦେଶୀ ନାଗରିକ ରହିଥିଲେ। ଜାହାଜର ମାଲିକାନା ପକ୍ଷ Victory Star Group Co. Ltd. ପକ୍ଷରୁ ସର୍ଚ୍ଚ ଆଣ୍ଡ ରେସ୍କ୍ୟୁ ସହାୟତା ପାଇଁ ଅନୁରୋଧ କରାଯାଇଥିଲା। ଜାହାଜର ଶେଷ ଜଣାପଡ଼ିଥିବା ଅବସ୍ଥିତି 317 East Island Lt. ଠାରୁ ୩୧୦ ନଟିକାଲ୍ ମାଇଲ୍ ଦୂରରେ ଥିଲା। ଏହାପରେ ISN ସକ୍ରିୟ କରାଯାଇ ଉଦ୍ଧାର ଅଭିଯାନ ଆରମ୍ଭ କରାଯାଇଥିଲା। ଅଭିଯାନରେ MT AISOPOSକୁ ନିଖୋଜ ଜାହାଜ ଏବଂ ଲାଇଫ୍‌ରାଫ୍ଟଗୁଡ଼ିକର ସନ୍ଧାନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଏହାସହ ଅନ୍ୟ ଉଦ୍ଧାରକାରୀ ସଂସ୍ଥା ଓ ଜାହାଜଗୁଡ଼ିକୁ ମଧ୍ୟ ସତର୍କ କରାଯାଇ ସନ୍ଧାନ ଅଭିଯାନକୁ ଜୋରଦାର କରାଯାଇଥିଲା।

ପ୍ରାୟ ରାତି ୮ଟା ସମୟରେ MT AISOPOS ଦୁଇଟି ଲାଇଫ୍‌ରାଫ୍ଟରୁ ୨ ଜଣ କ୍ରୁ ସଦସ୍ୟଙ୍କୁ ଜୀବିତ ଉଦ୍ଧାର କରିଥିଲା। ଭାରତୀୟ କୋଷ୍ଟଗାର୍ଡର ମୁଖପାତ୍ର ଏକ ପ୍ରେସ୍ ବିବୃତିରେ ଏହି ସୂଚନା ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ୨୨ ଜଣ କ୍ରୁ ସଦସ୍ୟ ନିଖୋଜ ରହିଛନ୍ତି। ବାକି କ୍ରୁ ସଦସ୍ୟଙ୍କୁ ଖୋଜିବା ପାଇଁ ଭାରତୀୟ କୋଷ୍ଟଗାର୍ଡ ପକ୍ଷରୁ ଆଉ ୩ଟି ଜାହାଜ ମୁତୟନ କରାଯାଇଛି। ସମୁଦ୍ରରେ ସର୍ଚ୍ଚ ଅପରେସନ୍‌କୁ ଜୋରଦାର କରାଯାଇଥିବା ବେଳେ ନିଖୋଜ କ୍ରୁ ସଦସ୍ୟଙ୍କ ସନ୍ଧାନ ଜାରି ରହିଛି। ଭାରତୀୟ କୋଷ୍ଟଗାର୍ଡ ପକ୍ଷରୁ ସମସ୍ତ ସମ୍ଭାବ୍ୟ ଉଦ୍ଧାର ପଦ୍ଧତି ଅବଲମ୍ବନ କରାଯାଉଛି। ସମୁଦ୍ରର ପ୍ରତିକୂଳ ପାଣିପାଗ ଓ ଉଚ୍ଚ ଢେଉ ସତ୍ତ୍ୱେ ଉଦ୍ଧାରକାରୀ ଦଳ ନିଖୋଜ କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ଠାବ କରିବା ପାଇଁ ନିରନ୍ତର ଅଭିଯାନ ଚଳାଇଛନ୍ତି।

Leave a Reply

Your email address will not be published. Required fields are marked *

Suchana Tv @2025. All Rights Reserved || Developed By CBSPL