Tuesday, 20 October 2026
ଅନ୍ତର୍ଜାତୀୟ ଦେଶ ବିଦେଶ ମୁଖ୍ୟ ଖବର

ଗୁରୁତର ଆହତ ସତ୍ତ୍ବେ ଅନ୍ୟମାନଙ୍କ ଜୀବନ ରକ୍ଷା କରିଥିଲେ ମଚାର…

ଆକାଶରେ ଉଡୁଥିଲା ବିମାନ| ହଜାର ହଜାର ଫୁଟ୍ ଉପରେ ଥିଲେ ଶହ ଶହ ଯାତ୍ରୀ|
ହଠାତ୍ ବିମାନ ଭିତରୁ ଆସିଲା ଚିତ୍କାରର ଶବ୍ଦ।ଆଉ ତା’ପରେ ଯାହା ଘଟିଲା, ତାହା କୌଣସି ସିନେମାର ଦୃଶ୍ୟଠାରୁ କମ୍ ନଥିଲା।ଦୁବାଇରୁ ଇସ୍ରାଏଲ ଯାଉଥିବା Flydubai ବିମାନ FZ1073ରେ ହଠାତ୍ ଘଟିଲା ଭୟଙ୍କର ଘଟଣା। ରିପୋର୍ଟ ଅନୁସାରେ, ବିମାନର ଜଣେ ପାଇଲଟ୍ ଅନ୍ୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ ମଚାରଙ୍କୁ ଆକ୍ରମଣ କରିଥିଲେ। ସେହି ସମୟରେ ବିମାନ ହଠାତ୍ ତଳକୁ ଖସିବା ଆରମ୍ଭ କରିଥିଲା| ଗୋଟିଏ ପଟେ ଜୀବନ ବଞ୍ଚାଇବାର ଲଢ଼େଇ, ଆଉ ଗୋଟେ ପଟେ ହଜାର ହଜାର ଫୁଟ୍ ଉପରେ ଉଡୁଥିବା ବିମାନ| ସେତେବେଳେ ଆହତ ହୋଇଥିଲେ ମଧ୍ୟ କ୍ୟାପ୍ଟେନ୍ ସ୍ମିତ ମଚାର ହାର ମାନିନଥିଲେ। ସେ କକପିଟ୍‌ର ଦ୍ୱାର ଖୋଲିବାରେ ସକ୍ଷମ ହୋଇଥିଲେ। ଏହାପରେ କିଛି ଯାତ୍ରୀ ଓ କ୍ରୁ ସଦସ୍ୟ କକପିଟ୍‌କୁ ପହଞ୍ଚି ଆକ୍ରମଣକାରୀଙ୍କୁ କାବୁ କରିଥିଲେ।

କିନ୍ତୁ ବିପଦ ସେତିକିରେ ସରିନଥିଲା।ବିମାନ ଭୟଙ୍କର ଭାବେ ତଳକୁ ଖସୁଥିଲା। ଯାତ୍ରୀମାନଙ୍କ ଆଖିରେ ଭୟ… କେହି ପ୍ରାର୍ଥନା କରୁଥିଲେ, ତ କେହି ବିମାନକୁ ବଞ୍ଚାଇବା ପାଇଁ ଆଗକୁ ଆସିଥିଲେ। ଜଣେ ଯାତ୍ରୀ ଏବଂ ଅନ୍ୟ କ୍ରୁ ସଦସ୍ୟମାନେ ଆକ୍ରମଣକାରୀଙ୍କୁ କାବୁ କରିବା ସହ ବିମାନକୁ ନିୟନ୍ତ୍ରଣରେ ଆଣିବାରେ ସହଯୋଗ କରିଥିଲେ। ଶେଷରେ ବିମାନଟି ଇସ୍ରାଏଲରେ ନୁହେଁ, ସାଉଦି ଆରବର ତାବୁକ୍‌ରେ ଜରୁରୀ ଅବତରଣ କଲା। ବିମାନରେ ଥିବା ୧୮୦ ଜଣଙ୍କ ଜୀବନ ରକ୍ଷା ପାଇଲା। କିଛି ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ରିପୋର୍ଟ ରହିଛି।ଆଉ ଏହି ପୂରା ଘଟଣାରେ ଭାରତୀୟ କ୍ୟାପ୍ଟେନ୍ ସ୍ମିତ ମଚାରଙ୍କ ସାହସ ଏବେ ସାରା ବିଶ୍ୱରେ ଚର୍ଚ୍ଚା।ସେ ଆହତ ହୋଇଥିଲେ, କିନ୍ତୁ ଭୟରେ ପଛକୁ ହଟିନଥିଲେ।ନିଜ ଜୀବନକୁ ବିପଦରେ ପକାଇ ଶେଷ ପର୍ଯ୍ୟନ୍ତ ଲଢ଼ିଥିଲେ।ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କ୍ୟାପ୍ଟେନ୍ ମଚାରଙ୍କୁ ପ୍ରଶଂସା କରି ତାଙ୍କୁ ‘ରିଅଲ  ହିରୋ’ ବୋଲି କହିଛନ୍ତି। ତାଙ୍କ ଅସାଧାରଣ ସାହସ ପାଇଁ ସେ ସାଲ୍ୟୁଟ୍ କରିବା ସହ ଶୀଘ୍ର ସୁସ୍ଥତା କାମନା କରିଛନ୍ତି।

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଘଟଣାକୁ ନେଇ ନେତାନ୍ୟାହୁଙ୍କ ସହ କଥା ହୋଇଥିବା କହିଛନ୍ତି ଏବଂ ଆହତ ଭାରତୀୟ ପାଇଲଟଙ୍କ ସାହସକୁ ପ୍ରଶଂସା କରିଛନ୍ତି।ଏପଟେ ଭାରତୀୟ ପାଇଲଟଙ୍କ ସାହସକୁ ନେଇ ଭାରତୀୟ ଅଧିକାରୀ ଓ ଇସ୍ରାଏଲୀ ଅଧିକାରୀମାନେ ମଧ୍ୟ ପ୍ରଶଂସା କରିଛନ୍ତି। ଆଉ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ମଧ୍ୟ ପାଇଲଟ୍ ଙ୍କୁ ପ୍ରଶଂସା କରିଛନ୍ତି | ଘଟଣା ପରେ କ୍ୟାପ୍ଟେନ୍ ମଚାରଙ୍କୁ ସାଉଦି ଆରବରେ ଚିକିତ୍ସା ଦିଆଯାଇଥିଲା| ଆଉ ଏବେ ସେ ସ୍ଥିର ଥିବା ରିପୋର୍ଟ ଆସିଛି।ତେବେ ଏହି ଘଟଣା ପଛରେ ଆକ୍ରମଣକାରୀଙ୍କ ପ୍ରକୃତ ଉଦ୍ଦେଶ୍ୟ କଣ ଥିଲା, ସେନେଇ ତଦନ୍ତ ଜାରି ରହିଛି। ଅଧିକାରୀମାନେ ଏହାକୁ କିପରି ଶ୍ରେଣୀଭୁକ୍ତ କରିବେ, ତାହା ତଦନ୍ତ ପରେ ସ୍ପଷ୍ଟ ହେବ| କିନ୍ତୁ ଗୋଟିଏ କଥା ସ୍ପଷ୍ଟ, ଆକାଶରେ ମୃତ୍ୟୁର ଛାୟା ଘୁରୁଥିବା ବେଳେ, ଜଣେ ଭାରତୀୟ ପାଇଲଟଙ୍କ ସାହସ, ଯାତ୍ରୀ ଓ କ୍ରୁଙ୍କ ତତ୍ପରତା ମିଶି ଏକ ବଡ଼ ବିପର୍ଯ୍ୟୟକୁ ଟାଳିଦେଲା।ଆଜି ସେଥିପାଇଁ ଏବେ ଚର୍ଚ୍ଚା ରେ କ୍ୟାପ୍ଟେନ୍ ସ୍ମିତ ମଚାର ।

 

Leave a Reply

Your email address will not be published. Required fields are marked *

Suchana Tv @2025. All Rights Reserved || Developed By CBSPL