Saturday, 5 September 2026
ଜ଼ିଲ୍ଲା

ଦକ୍ଷିଣୀଶୁର ମହାଦେବ ମନ୍ଦିର ରାସ୍ତା ନିର୍ମାଣ ଦାବିରେ ତାତିଲେ ଅଞ୍ଚଳବାସୀ

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଠରବାଟିଆ ଅଞ୍ଚଳର ଦକ୍ଷିଣୀଶୁର ମହାଦେବ ମନ୍ଦିରକୁ ଯିବା ପାଇଁ ଆଜି ବି ନିର୍ମାଣ ହୋଇପାରିନାହିଁ ସୁବିଧାଜନକ ରାସ୍ତା। ପ୍ରାୟ ଦୁଇ ବର୍ଷ ଧରି ରାସ୍ତା ସମସ୍ୟାରେ ଛଟପଟ ହେଉଛନ୍ତି ଅଞ୍ଚଳବାସୀ। ବର୍ଷା ହେଲେ ପରିସ୍ଥିତି ଆହୁରି ସଙ୍ଗୀନ ହୋଇପଡ଼ୁଛି। କାଦୁଅ ଓ ପାଣି ଭର୍ତ୍ତି ରାସ୍ତାରେ ଚାଲିବା ଲୋକଙ୍କ ପାଇଁ ପ୍ରାୟ ଦୁର୍ଘଟଣାକୁ ଆମନ୍ତ୍ରଣ ଦେବା ସଦୃଶ ହୋଇଯାଉଛି।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ରାସ୍ତା ନିର୍ମାଣ ନେଇ ବାରମ୍ବାର ଦାବି ଓ ଅଭିଯୋଗ କରାଯାଇଥିଲେ ମଧ୍ୟ ଏଯାଏଁ ସମସ୍ୟାର ସ୍ଥାୟୀ ସମାଧାନ ହୋଇନାହିଁ। ପଟ୍ଟାମୁଣ୍ଡାଇ ବ୍ଲକ ପ୍ରଶାସନ ଏବଂ ସମ୍ପୃକ୍ତ ଅଧିକାରୀମାନେ ସମସ୍ୟା ସମ୍ପର୍କରେ ଅବଗତ ଥିଲେ ମଧ୍ୟ ରାସ୍ତା ନିର୍ମାଣ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହୋଇଛି।

ସବୁଠାରୁ ବଡ଼ ସମସ୍ୟା ହେଉଛି ଜରୁରୀକାଳୀନ ସେବା। ଖରାପ ରାସ୍ତା ଯୋଗୁଁ ଆମ୍ବୁଲାନ୍ସ ଭଳି ଜରୁରୀ ସେବା ଗାଡ଼ି ଅଞ୍ଚଳ ଭିତରକୁ ପହଞ୍ଚିବାରେ ଅସୁବିଧା ହେଉଥିବା ଲୋକମାନେ କହିଛନ୍ତି। ଗୁରୁତର ରୋଗୀଙ୍କୁ ହସ୍ପିଟାଲ ନେବା ସମୟରେ ଏଭଳି ରାସ୍ତା ବଡ଼ ବାଧା ସୃଷ୍ଟି କରିପାରେ। ରାସ୍ତା ନଥିବାରୁ ଛାତ୍ରଛାତ୍ରୀ, ବୟସ୍କ, ମହିଳା ଏବଂ ରୋଗୀମାନେ ଦୈନନ୍ଦିନ ଯାତାୟାତରେ ଅନେକ ସମସ୍ୟା ଭୋଗୁଥିବା ଅଭିଯୋଗ ମଧ୍ୟ ରହିଛି।

ଦକ୍ଷିଣୀଶୁର ମହାଦେବ ମନ୍ଦିର ଏକ ଧାର୍ମିକ ସ୍ଥଳ ହୋଇଥିବାରୁ ବର୍ଷର ବିଭିନ୍ନ ସମୟରେ ଏଠାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଭକ୍ତମାନଙ୍କ ଭିଡ ଲାଗିଥାଏ । ହେଲେ ଦୁଃଖର ବିଷୟ ମନ୍ଦିରକୁ ଯିବା ରାସ୍ତାର ଦୁରବସ୍ଥା ଯୋଗୁଁ ଭକ୍ତମାନଙ୍କୁ ମଧ୍ୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ବର୍ଷାଦିନ କଥା ନ କହିବା ଭଲ,କାଦୁଅ ପଚ-ପଚ ରାସ୍ତାରେ ଯା’ଆସ ସମୟରେ ଅନେକ ସମସ୍ୟାର ସମୁଖୀନ ହେବାକୁ ପଡୁଛି।

ଗ୍ରାମବାସୀଙ୍କ କହିବା ଯେତେବେଳେ ସରକାର ଗ୍ରାମାଞ୍ଚଳର ବିକାଶ, ଭଲ ରାସ୍ତା ଏବଂ ଲୋକଙ୍କୁ ମୌଳିକ ସୁବିଧା ଯୋଗାଇବା କଥା କହୁଛନ୍ତି, ତେବେ ଏହି ଅଞ୍ଚଳର ରାସ୍ତା ସମସ୍ୟା କାହିଁକି ଦୀର୍ଘଦିନ ଧରି ସମାଧାନ ହେଉନାହିଁ? ଲୋକଙ୍କ ଅଭିଯୋଗ ସତ୍ବେ ପ୍ରଶାସନ କାହିଁକି ଗୁରୁତ୍ବ ଦେଉନାହିଁ ?ତୁରନ୍ତ ରାସ୍ତା ନିର୍ମାଣ କରି ଲୋକଙ୍କ ଦୁର୍ଦ୍ଦଶା ଦୂର କରାଯାଉ ବୋଲି ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି। ତେବେ ଦେଖିବାକୁ ବାକି ରହିଲା ପ୍ରଶାସନର ନିଦ କେବେ ଭଙ୍ଗୁଛି।

 

Leave a Reply

Your email address will not be published. Required fields are marked *

Suchana Tv @2025. All Rights Reserved || Developed By CBSPL