ସମ୍ବିଦ୍ ନାୟକ (ଆଳି) କେନ୍ଦ୍ରାପଡ଼ା
କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଅଞ୍ଚଳରେ ଖରସ୍ରୋତା ନଦୀରେ କୁମ୍ଭୀର ଆତଙ୍କକୁ ନେଇ ଭୟର ବାତାବରଣ ସୃଷ୍ଟି ହୋଇଛି। ନଦୀ ପାର ହେବା ପାଇଁ ଡଙ୍ଗା ନିକଟକୁ ଯାଉଥିବା ସମୟରେ ଜଣେ ବ୍ୟକ୍ତିଙ୍କୁ କୁମ୍ଭୀର ନଦୀ ଭିତରକୁ ଟାଣି ନେଇଥିବା ଅଭିଯୋଗ ଆସିଛି। ନିଖୋଜ ବ୍ୟକ୍ତି ହେଉଛନ୍ତି ରାଜକନିକା ଥାନା ଅଧୀନ ଗଙ୍ଗାଧର ପ୍ରସାଦ ଡିହା ଗାଁର ପ୍ରାୟ ୫୦ ବର୍ଷୀୟ ପାରେଶ୍ୱର ବେହେରା। ଘଟଣାକୁ ନେଇ ପରିବାର ଲୋକଙ୍କ ସମେତ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି।
ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ୮ଟା ସମୟରେ ପାରେଶ୍ୱର ବେହେରା ଖରସ୍ରୋତା ନଦୀ ପାର ହେବା ପାଇଁ ଡଙ୍ଗା ନିକଟକୁ ଯାଉଥିଲେ। ସେ ନଦୀ କୂଳରୁ ଡଙ୍ଗା ଆଡ଼କୁ ଯାଉଥିବା ବେଳେ ହଠାତ୍ ପାଣି ଭିତରୁ ଏକ କୁମ୍ଭୀର ଆସି ତାଙ୍କୁ ଟାଣି ନେଇଥିବା ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି। ଘଟଣା ଏତେ ହଠାତ୍ ଘଟିଥିଲା ଯେ ଉପସ୍ଥିତ ଲୋକମାନେ କିଛି ବୁଝିବା ପୂର୍ବରୁ ପାରେଶ୍ୱର ନଦୀ ଭିତରେ ନିଖୋଜ ହୋଇଯାଇଥିଲେ।
ଘଟଣାର ଖବର ପ୍ରଚାର ହେବା ପରେ ନଦୀ କୂଳରେ ବହୁ ସଂଖ୍ୟାରେ ଲୋକ ଏକାଠି ହୋଇଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ଖୋଜାଖୋଜି ଆରମ୍ଭ କରିଥିଲେ। ପରେ ରାଜକନିକା ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନଦୀରେ ସନ୍ଧାନ କାର୍ଯ୍ୟ ଆରମ୍ଭ କରିଥିଲେ। ପାରେଶ୍ୱରଙ୍କୁ ଖୋଜିବା ପାଇଁ ନଦୀର ବିଭିନ୍ନ ସ୍ଥାନରେ ତଲାସି ଚାଲିଛି।
ପରିସ୍ଥିତିର ଗମ୍ଭୀରତାକୁ ଦେଖି ଘଟଣାସ୍ଥଳରେ NDRFର ଦୁଇଟି ଟିମ୍ ମଧ୍ୟ ପହଞ୍ଚିଛି। ଅତ୍ୟାଧୁନିକ ଉପକରଣ ସହାୟତାରେ ନଦୀରେ ଖୋଜାଖୋଜି ପାଇଁ ପ୍ରସ୍ତୁତି କରାଯାଇଛି। ସେହିପରି ବନ ବିଭାଗର ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି କୁମ୍ଭୀରର ଉପସ୍ଥିତି ସମ୍ପର୍କରେ ଯାଞ୍ଚ କରୁଛନ୍ତି। ନଦୀ ନିକଟକୁ ନଯିବା ପାଇଁ ସ୍ଥାନୀୟ ଲୋକଙ୍କୁ ସତର୍କ କରାଯାଉଛି।
ଏପଟେ ପାରେଶ୍ୱରଙ୍କ ପରିବାର ଲୋକେ ଚିନ୍ତାରେ ଥିବା ବେଳେ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯିବ ବୋଲି ଆଶା ରଖିଛନ୍ତି। ତେବେ ପାରେଶ୍ୱରଙ୍କୁ କୁମ୍ଭୀର ଟାଣି ନେଇଛି କି ନାହିଁ, ତାହା ଅଧିକାରିକ ଯାଞ୍ଚ ପରେ ସ୍ପଷ୍ଟ ହେବ। ଏଯାଏଁ ତାଙ୍କର କୌଣସି ପତ୍ତା ମିଳିନଥିବାରୁ ଉଦ୍ଧାରକାରୀ ଦଳ ଖୋଜାଖୋଜିକୁ ଆହୁରି ଜୋରଦାର କରିଛନ୍ତି। ଖରସ୍ରୋତାରେ ଏଭଳି ଘଟଣା ସ୍ଥାନୀୟ ଲୋକଙ୍କ ମନରେ କୁମ୍ଭୀର ଭୟକୁ ଆହୁରି ବଢ଼ାଇ ଦେଇଛି।

