Sunday, 17 May 2026
ଓଡ଼ିଶା ଭୁବନେଶ୍ୱର

ରାଜ୍ୟସ୍ତରୀୟ ଇ-ଗଭର୍ଣ୍ଣାନ୍ସ କର୍ମଶାଳା ଓ କୃତ୍ରିମ ବୁଦ୍ଧିମତା ପ୍ରଦର୍ଶନୀ ଉଦଘାଟିତ

୨୦୨୫ ମସିହା ପାଇଁ ପ୍ରସ୍ତୁତ ପ୍ରୋଜେକ୍ଟ ପ୍ରୋଫାଇଲ୍ ଉନ୍ମୋଚିତ

କୃତ୍ରିମ ବୁଦ୍ଧିମତ୍ତାକୁ ବ୍ୟବହାର କରି ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରାଯିବା ଉପରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱ

ଭୁବନେଶ୍ୱର ତା-୧୬.୧୨.୨୦୨୪

ରାଜ୍ୟ ସୂଚନା ବିଜ୍ଞାନ କେନ୍ଦ୍ର (ଏନ.ଆଇ.ସି.), ଓଡ଼ିଶା ଠାରେ ଆୟୋଜିତ ତ୍ରିଦିବସୀୟ ଇ – ଗଭର୍ଣ୍ଣାନ୍ସ କର୍ମଶାଳା ଆଜି ଉଦଘାଟିତ ହୋଇଯାଇଛି । ଏହି ଅବସରରେ ଏନ.ଆଇ.ସି.ର ଯୁବ ବୈଜ୍ଞାନିକମାନେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଅର୍ଥାତ କୃତ୍ରିମ ବୁଦ୍ଧିମତ୍ତାକୁ ବ୍ୟବହାର କରି ବିଭିନ୍ନ ମଡେଲ ଏବଂ ସିମୁଲେସନ୍ ମାଧ୍ୟମରେ ୧୪ ଟି ବିଷୟ ଉପରେ ସେମାନଙ୍କର ଜ୍ଞାନ ଏବଂ ସୃଜନଶୀଳ ଚିନ୍ତାଧାରା ପ୍ରଦର୍ଶନ କରିଥିଲେ ।

ଡଃ. ଶେଷାଗିରୀ ମେମୋରିଆଲ ହଲରେ ଅନୁଷ୍ଠିତ ଏହି ସମ୍ମିଳନୀ ଏବଂ ପ୍ରଦର୍ଶନୀକୁ ଓଡ଼ିଶା  ମୁଖ୍ୟ  ଶାସନ ସଚିବ ଶ୍ରୀ ମନୋଜ ଆହୁଜା ଉଦଘାଟନ କରି କୃତ୍ରିମ ବୁଦ୍ଧିମତ୍ତା ତଥା ଅନ୍ୟ କେତେକ ଟେକ୍ନୋଲୋଜିକୁ ବ୍ୟବହାର କରି ରାଜ୍ୟରେ ବିଭିନ୍ନ ଜନକଲ୍ୟାଣ ଯୋଜନାର କାର୍ଯ୍ୟାନ୍ୱୟନ କିଭଳି ଭାବରେ ତ୍ୱରାନ୍ୱିତ କରାଯାଇ ପାରିବ, ସେ ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ I ଏହି ଅବସରରେ ସେ ପ୍ରଦର୍ଶନୀରେ ଅଂଶ ଗ୍ରହଣ କରିଥିବା ଯୁବ ବୈଜ୍ଞାନିକମାନଙ୍କ ସହିତ ଆଲୋଚନା କରି କିପରି କୃତ୍ରିମ ବୁଦ୍ଧିମତ୍ତାର ଅଧିକ ଫଳପ୍ରଦ ଉପଯୋଗ କରାଯାଇପାରିବ , ସେଥି ନିମନ୍ତେ ଅଭିନବତ୍ୱ ଆଣିବା ଏବଂ ସେମାନଙ୍କର ଦକ୍ଷତା ବୃଦ୍ଧି ପାଇଁ  ଆବଶ୍ୟକ ପରାମର୍ଶ ଦେଇଥିଲେ ।

ସମ୍ମାନିତ ଅତିଥି ଭାବରେ ଯୋଗଦେଇ ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶା  ଶ୍ରୀ ଆର୍ ଏସ୍ ଗୋପାଳନ୍ କୃତ୍ରିମ ବୁଦ୍ଧିମତ୍ତା ଉପରେ ନିଜର ଅନୁଭୂତିକୁ ବିଶେଷ ଭାବରେ ଉପସ୍ଥାପନ କରିବା ସହିତ ଏହାର ଆଇନଗତ, ଗୋପନୀୟତା, ପାରଦର୍ଶିତା, ସାମାଜିକ ଏବଂ ନୈତିକ ମୂଲ୍ୟବୋଧ ଉପରେ ଆଲୋକପାତ କରିଥିଲେ । ଅନୁଷ୍ଠାନର ସମସ୍ତ ବୈଜ୍ଞାନିକ, ଜିଲ୍ଲା ସୂଚନା ବିଜ୍ଞାନ ପଦାଧିକାରୀ ତଥା କର୍ମଚାରୀମାନେ ଏହି ସମ୍ମିଳନୀରେ ଉତ୍ସାହପୂର୍ବକ ଯୋଗଦାନ କରିଛନ୍ତି । କୃତ୍ରିମ ବୁଦ୍ଧିମତ୍ତାକୁ କିପରି ଅଧିକରୁ ଅଧିକ ବିଭିନ୍ନ ପ୍ରକଳ୍ପରେ ବ୍ୟବହାର କରାଯାଇପାରିବ, ଏହା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ଏହି ଅବସରରେ ଅତିଥିମାନଙ୍କ ଦ୍ଵାରା ୨୦୨୫ ମସିହା ପାଇଁ ପ୍ରସ୍ତୁତ ‘ପ୍ରୋଜେକ୍ଟ ପ୍ରୋଫାଇଲ୍’ ଏବଂ ପ୍ରଦର୍ଶନୀରେ ପ୍ରଦର୍ଶିତ ବିଭିନ୍ନ ବିଷୟକୁ ନେଇ ପ୍ରସ୍ତୁତ ଅନ୍ୟ ଏକ ପୁସ୍ତିକା ଉନ୍ମୋଚିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ଓଡିଶା ଏନ.ଆଇ.ସି.ର ଉପ ମହାନିର୍ଦ୍ଦେଶକ ତଥା ରାଜ୍ୟ ସୂଚନା ବିଜ୍ଞାନ ଅଧିକାରୀ ଡଃ. ଅଶୋକ କୁମାର ହୋତା ଅଧ୍ୟକ୍ଷତା କରିଥିଲେ ଏବଂ ଅତିରିକ୍ତ ରାଜ୍ୟ ସୂଚନା ବିଜ୍ଞାନ ଅଧିକାରୀ ଶ୍ରୀ ସୁରେନ୍ଦ୍ର ନାଥ ବେହେରା ଧନ୍ୟବାଦ ଦେଇଥିଲେ । ପ୍ରଶିକ୍ଷଣ ବିଭାଗର ମୁଖ୍ୟ ଶ୍ରୀ ଜୟନ୍ତ କୁମାର ମିଶ୍ର ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

Tag:

Leave a Reply

Your email address will not be published. Required fields are marked *

Suchana Tv @2025. All Rights Reserved || Developed By CBSPL