Sunday, 17 May 2026
ଧର୍ମ ପୁରୀ

ଆଜି ପ୍ରଥମାଷ୍ଟମୀ, ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଲମ୍ବା ଲାଇନ

ଆଜି ପ୍ରଥମାଷ୍ଟମୀ ତଥା ପଢୁଆଁଷ୍ଟମୀ । ମାର୍ଗଶିର ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥି ଦିନ ପାଳନ କରାଯାଏ। ଏହା ଓଡ଼ିଶାର ଏକ ପାରମ୍ପାରିକ ପର୍ବ । ଏହି ଅବସରରେ ଶ୍ରୀ ମନ୍ଦିରରେ ମଧ୍ୟ ପ୍ରଥମାଷ୍ଟମୀ ନୀତି ପାଳନ ହୋଇଥାଏ। ମହାପ୍ରଭୁଙ୍କୁ ମଧ୍ୟ ପଢ଼ୁଆଁ କରାଯାଇଥାଏ। ବିଧି ପରମ୍ପରା ଅନୁସାରେ ଆଜି ମାର୍ଗଶିର କୃଷ୍ଣଅଷ୍ଟମୀ ତିଥିଦିନ ଶ୍ରୀମନ୍ଦିରରେ ଭୋଗ ମଣ୍ତପ ସରିବା ପରେ ୩ବାଡରେ ମଇଲମ କରାଯାଇ ପୂଜାପଣ୍ତା ସେବକଙ୍କ ଦ୍ୱାରା ମହାସ୍ନାନ ନୀତି ହୋଇଥାଏ । ଏହାପରେ ପାଳିଆ ପୁଷ୍ପାଳକ ଶ୍ରୀବିଗ୍ରହମାନଙ୍କୁ ନୂଆଲୁଗା ଲାଗି କରାଇଥାନ୍ତି ।ପୂଜାପଣ୍ତା , ପତିମହାପାତ୍ର, ମୂଦିରସ୍ତ ସେବକ ଘଟୁଆରି ଚନ୍ଦନ ଘରଠାରୁ ଚନ୍ଦନ ବିଜେ କରାଇ ଆଣି ତିନି ବାଡରେ ଲାଗି କରାଇଥାନ୍ତି ।ତତ୍ପରେ ବେଶ ଓ ଅଳଙ୍କାରରେ ବିମଣ୍ତିତ ହୋଇ କର୍ପୂର ଲାଗି ପରେ ପୁଷ୍ପାଳକ ମାନେ ସିଂହାସନରୁ ଓହ୍ଲାଇ ଆସିଥାନ୍ତି । ତତ୍ପରେ ସୁଦୁସୁଆର ପୂଜା କରିବା ପରେ ତିନିବାଡରେ ପୂଜାପଣ୍ତା, ପତିମହାପାତ୍ର ଓ ମୁଦିରସ୍ତ ସେବକ ବରୁଣ ପୂଜା କରିଥାନ୍ତି ।

ଏହି ପୂଜା ସମାପନାନ୍ତେ ଭିତରେ ପାଣି ପଡି ମଧ୍ୟାହ୍ନ ଧୂପ ଉଠିସାରିବା ପରେ ତିନି ବାଡରେ ମଙ୍ଗଳାର୍ପଣ ନୀତି ହେବା ସହ ଫୁଲୁପୁରିଆ ଖାଦି ଓ ଛେଦା ପ୍ରସାଦ ଲାଗି ହୋଇ ବନ୍ଦାପନା ହୋଇଥାଏ ।ଏହିପରି ଭାବେ ପ୍ରଥମାଷ୍ଟମୀ ଶ୍ରୀମନ୍ଦିରରେ ବିଶେଷ ନୀତି ପାଳିତ ହୋଇଥାଏ ନିଆଳିର ମାଧବାନନ୍ଦଜୀୟ ମନ୍ଦିରରୁ ଭଣଜା ପାଇଁ ଆସିଛି ନବବସ୍ତ୍ର ଓ ଅଷ୍ଟମୀ ଭାର । ଆଜି ପ୍ରଥମାଷ୍ଟମୀ । ଆଜି ପଢୁଆଁ ହେବେ ବଡଠାକୁର । ଶ୍ରୀଜୀଉଙ୍କ ମାମୁଘର ନିଆଳି ମାଧବ ମନ୍ଦିରରୁ ଭଣଜା ପାଇଁ ଆସିଥିବା ନୂଆ ବସ୍ତ୍ର ପିନ୍ଧିବେ ମହାପ୍ରଭୁ । ପରମ୍ପରା ଅନୁସାରେ ଶ୍ରୀଜୀଉମାନଙ୍କ ଅଙ୍ଗଲାଗି ଖଣ୍ଡୁଆ ବସ୍ତ୍ର , ଅରୁଆ ଚାଉଳ , ବିରି , ନଡିଆ , ଗୁଡ , ପାଚିଲା କଦଳୀ ଆସିଛି ମାମୁଁଘରୁ । କଟକ ଜିଲ୍ଲା ନିଆଳି ବ୍ଲକ ମାଧବସ୍ଥିତ ମାଧବାନନ୍ଦଙ୍କ ମନ୍ଦିର ହେଉଛି ଶ୍ରୀ ଜଗନ୍ନାଥଙ୍କ ମାମୁଁଘର । କେଉଁ ଆବାହାମାନକାଳରୁ ମାଧବ ମନ୍ଦିର ପକ୍ଷରୁ ଜଗନ୍ନାଥଙ୍କୁ ପ୍ରଥମାଷ୍ଟମୀରେ ପୋଢୁଆଁ କରାଯାଉଛି ।ସଂକୀର୍ତନ ମଣ୍ଡଳୀର ସଂକୀର୍ତନ, ଢ଼ୋଲମହୁରୀ ବାଜାର ତାଳେ ତାଳେ ପ୍ରଥମାଷ୍ଟମୀ ଭାର ନିଆଳି ମାଧବ ମନ୍ଦିରରୁ ବାହାରି ଶ୍ରୀକ୍ଷେତ୍ର ଯାଇଥିଲା ।

ଗତ କିଛି ବର୍ଷ ହେବ ବନ୍ଦ ରହିଥିଲା ଏହି ପ୍ରଥା । ପରମ୍ପରାକୁ ପୁନଃ ପ୍ରଚଳନ କରିବା ପାଇଁ ପୁଣି ଉଦ୍ୟମ ଆରମ୍ଭ ହୋଇଥିଲା । ପୁରାତନ ପ୍ରଥାକୁ ବଚାଂଇ ରଖିବାକୁ ଚଳିତ ବର୍ଷ ନିଆଳିର ମାଧବାନନ୍ଦଜୀଉ ମନ୍ଦିରର ଛତିଶା ସେବକ ନିଯୋଗ ସହ ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହୋଇ ଶ୍ରୀ ବଳଭଦ୍ରଙ୍କ ଉଦ୍ଦେଶ୍ୟରେ ପ୍ରଥମାଷ୍ଟମୀ ଭାର ଓ ନୁଆ ବସ୍ତ୍ର ନେଇ ପୁରୀ ଆସିଥିଲେ । ଅତୀତରେ, ମାର୍ଗଶିର ମାସକୁ ବର୍ଷର ଆଦ୍ୟ ମାସ ବା ପ୍ରଥମ ମାସ ବୋଲି ଗଣନା କରାଯାଉ ଥିଲା। ତେଣୁ ବର୍ଷର ପ୍ରଥମ ମାସର ପ୍ରଥମ ଅଷ୍ଟମୀକୁ ପ୍ରଥମାଷ୍ଟମୀ ବୋଲି କୁହାଯାଇଅଛି । ଏ ଦିନ ବଂଶର ପ୍ରଥମ ଜାତ ସନ୍ତାନ ପୁଅ ବା ଝିଅ ଙ୍କୁ ନୂଆ ପୋଷାକ ପିନ୍ଧାଇ, ବନ୍ଦାପନା କରାଯାଏ । ଏହିଦିନ ପରିବାରର ଜ୍ୟେଷ୍ଠ ସନ୍ତାନର ସୁଖ ସମୃଦ୍ଧି ଓ ଦୀର୍ଘଜୀବନ ପାଇଁ ପୂଜାବିଧି ଅନୁଷ୍ଠିତ ହୋଇଥାଏ । ଏହି ଦିନ ସେମାନଙ୍କର ଦୀର୍ଘଜୀବନ କାମନା କରି ମାଆମାନେ ଷଠୀ ଦେବୀଙ୍କର ପୂଜା ଅର୍ଚ୍ଚନା କରିଥାନ୍ତି । ପଞ୍ଚପଲ୍ଲବ ଓ ପଞ୍ଚଶସ୍ୟରେ କଳସପୂଜା ଓ ବରୁଣ ପୂଜା ହୋଇଥାଏ ।

ଓଡ଼ିଆ ପରମ୍ପରା ଅନୁଯାୟୀ ପ୍ରଥମାଷ୍ଟମୀ ଦିନ ଘରର ଜ୍ୟେଷ୍ଠ ସନ୍ତାନ ସେ କନ୍ୟା ହେଉ କି ପୁତ୍ର ତାକୁ ସ୍ନାନାନ୍ତେ ନୂତନ ବସ୍ତ୍ର ପିନ୍ଧାଇ ଦିଅଁଙ୍କ ଆଗରେ ପିଢ଼ା ଉପରେ ବସାଇ ଦୁଇ କାନରେ ଫୁଲ ଓ ମୁଣ୍ଡରେ ଚନ୍ଦନ ଲଗାଇ ଦୁବ, ବରକୋଳି ପତ୍ର ଓ ହଳଦୀମିଶା ଚାଉଳ ମିଶାଇ ସେଥିରେ ମା’ ମାନେ ତାଙ୍କୁ ବନ୍ଦାପନା କରନ୍ତି । ବନ୍ଦାପନା ପରେ ଜ୍ୟେଷ୍ଠ ସନ୍ତାନ ଷଠୀ ଦେବୀଙ୍କୁ ମୁଣ୍ଡିଆ ମାରିବା ସହିତ ପିତାମାତାଙ୍କୁ ଓ ଗୁରୁଜନଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ଭିକ୍ଷା କରନ୍ତି । ପରିବାରର ଜ୍ୟେଷ୍ଠ ପୁତ୍ର ବା ଜ୍ୟେଷ୍ଠା କନ୍ୟାର ନବ ବସ୍ତ୍ର ପରିଧାନ ଓ ବନ୍ଦାପନା ହେବାର ଏହି ବିଶେଷ ବିଧିକୁ ‘ପଢୁଆଁ ହେବା’ କହିଥାନ୍ତି । ‘ପଢୁଆଁ’ ଶବ୍ଦଟି ‘ପ୍ରଥମା’ର ଅପଭ୍ରଂଶ ।ପରମ୍ପରା ଅନୁଯାୟୀ ଏହି ଦିନ ଜ୍ୟେଷ୍ଠ ସନ୍ତାନ ପିନ୍ଧୁଥିବା ନୂତନ ବସ୍ତ୍ର ମାମୁ ଘରୁ ଆସିଥାଏ ।

ଏହିଦିନ ମାମୁଁମାନେ ନୂଆଲୁଗା, ମିଷ୍ଟାନ୍ନ ଓ ଅନ୍ୟାନ୍ୟ ସାମଗ୍ରୀ ସହ ଭଣଜା ଭାଣିଜୀ ଘରକୁ ଯାଇ ପଢୁଆଁ କରନ୍ତି । ସେଥିପାଇଁ ମାମୁଁଙ୍କୁ ଶ୍ରଦ୍ଧା ଓ ପରିହାସରେ ଅଷ୍ଟମୀ ବନ୍ଧୁ ବୋଲି କୁହାଯାଏ I ଅବଶ୍ୟ ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ଘରର ଜ୍ୟେଷ୍ଠପୁତ୍ର ବା ଜ୍ୟେଷ୍ଠକନ୍ୟାକୁ ନୂଆ ଲୁଗାପଟା ବାପ ମାଆମାନେ ପିନ୍ଧେଇଥାନ୍ତି ।ଏହିବିଧିରେ ସାମାଜିକ ଓ ପାରିବାରିକ ବନ୍ଧନ, ଶୃଙ୍ଖଳା ଓ ଆଦର୍ଶବୋଧ ଅତିମାତ୍ରାରେ ନିହିତ ରହିଛି । ଜ୍ୟେଷ୍ଠପୁତ୍ର, ପରିବାରରେ ପିତା ସମାନ । ପିତାଙ୍କ ଅନ୍ତେ କିମ୍ବା ପିତାଙ୍କ ଅକର୍ତ୍ତବ୍ୟରେ ଘର ଚଳାଇବା ଓ ଅନ୍ୟ ସନ୍ତାନ (ଭାଇ ଭଉଣୀ) ମାନଙ୍କୁ ପ୍ରତିପୋଷଣ କରିବା ଦାୟିତ୍ୱ ଜ୍ୟେଷ୍ଠ ପୁତ୍ର ଉପରେ ପଡ଼ିଥାଏ ।

ତେଣୁ ତାକୁ ସମସ୍ତେ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ପ୍ରଥମାଷ୍ଟମୀ ଓ ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ପ୍ରଥମ ସନ୍ତାନ ବା ଜ୍ୟେଷ୍ଠ ସନ୍ତାନକୁ ପୂଜା ବନ୍ଦାପନା କରିବାର ବିଧି ଆମ ସମାଜରେ ପ୍ରଚଳିତ । ଏଣ୍ଡୁରି ପିଠା ପ୍ରଥମାଷ୍ଟମୀର ବିଶେଷତ୍ୱ । ଏହି ପିଠା ପାଇଁ ହଳଦୀପତ୍ରର ବ୍ୟବହାର ମଧ୍ୟ ଅନ୍ୟ ଏକ ବିଶେଷତ୍ୱ । ଅନ୍ୟ କୌଣସି ପିଠାରେ ହଳଦୀ ପତ୍ର ବ୍ୟବହୃତ ହୁଏନାହିଁ I କେବଳ ପ୍ରଥମାଷ୍ଟମୀ ଉପଲକ୍ଷେ ଏଣ୍ଡୁରି ପିଠାରେ ହଳଦୀପତ୍ରର ବ୍ୟବହାର ହୁଏ ।

Leave a Reply

Your email address will not be published. Required fields are marked *

Suchana Tv @2025. All Rights Reserved || Developed By CBSPL