ଦାନୀପାଲିରେ ଯୁବକଙ୍କୁ ହତ୍ୟା, ୬ ଅଭିଯୁକ୍ତ ଗିରଫ । ସମ୍ବଲପୁର ଜିଲ୍ଲା ଅଇଁଠାପାଲି ଥାନା ଦାନୀପାଲି ଅଞ୍ଚଳରେ ଘଟିଥିବା ଏକ ହିଂସାତ୍ମକ ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି ।
ବୁଧବାର ରାତି ପ୍ରାୟ ୯ଟା ବେଳେ ଏକ ନିର୍ମାଣାଧୀନ କୋଠାଘରେ କାମ କରୁଥିବା କିଛି ଶ୍ରମିକଙ୍କ ସହ କିଛି ଯୁବକଙ୍କ ମଧ୍ୟରେ ବିବାଦ ହୋଇଥିଲା । ଘଟଣାସ୍ଥଳରେ ପ୍ରାୟ ୮ଜଣ ଶ୍ରମିକ ଉପସ୍ଥିତ ଥିବାବେଳେ ୬ଜଣ ଯୁବକ ସେମାନଙ୍କ ସହ କଥାବାର୍ତ୍ତା କରିଥିଲେ । ପରେ କୌଣସି କାରଣକୁ ନେଇ ଉଭୟ ପକ୍ଷରେ ଝଗଡା ଆରମ୍ଭ ହୋଇଥିଲା । ଆଧାର କାର୍ଡ ଦେଖାଇବାକୁ କହିବାକୁ ନେଇ ଯୁକ୍ତିତର୍କ ତୀବ୍ର ହେବା ପରେ ଶ୍ରମିକମାନଙ୍କୁ ପ୍ରବଳ ମାଡ ମରାଯାଇଥିଲା ।

ଏହି ଆକ୍ରମଣରେ ପଶ୍ଚିମବଙ୍ଗ ନିବାସୀ ଶେଖ ଜୁଏଲ ରାଣାଙ୍କ ମୃତ୍ୟୁ ହୋଇଥିବାବେଳେ ଅକୁର ରହମାନ ଓ ସୋନୱାର ହୁସେନ ଆହତ ହୋଇଛନ୍ତି । ଘଟଣାରେ ବିଭିନ୍ନ ସ୍ଥାନରେ ଚଢାଉ କରି ୬ ଜଣଙ୍କୁ ଗିରଫ କରିଛି ପୋଲିସ । ଯଦି ଏଥିରେ ଆଉ କାହାର ବି ସମ୍ପୃକ୍ତି ଥାଏ ସେମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ଅତିରିକ୍ତ ଏସପି କହିଛନ୍ତି । ମୃତ ଯୁବକ ଜଣକ ମୁର୍ଶୀଦାବାଦର । ଏମାନେ ବାଙ୍ଗଳାଦେଶୀ ନୁହନ୍ତି । ଆଜି ଗିରଫ ହୋଇଥିବା ଯୁବକଙ୍କୁ କୋର୍ଟ ଚାଲାଣ କରାଯିବ ।

