ମଣିଷ ପଣିଆ ଓ ମାନବିକତାକୁ ଦୋହଲାଇ ଦେଲା ଭଳି ଏକ ଅତି ଦୁଃଖଦ ଖବର ସାମ୍ନାକୁ ଆସିଛି ବରଗଡ଼ ଜିଲ୍ଲାରୁ। ମୃତ୍ୟୁ ପରେ ବି ମିଳିଲାନି ସମ୍ମାନ, ମିଳିଲାନି ଚାରି କାନ୍ଧ। ସମାଜର ବାସନ୍ଦ ଓ କଟକଣା ଆଗରେ ହାର୍ ମାନିଲା ମଣିଷ ପଣିଆ। ଶେଷରେ ଜଣେ ୮୦ ବର୍ଷୀୟ ବୃଦ୍ଧାଙ୍କ ମରଶରୀରକୁ ସାଇକେଲରେ ବୋହି ଶ୍ମଶାନକୁ ନେବାକୁ ପଡ଼ିଲା। ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ଅଞ୍ଚଳର ଏହି ହୃଦୟ ବିଦାରକ ଦୃଶ୍ୟ ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି।
ମୃତ୍ୟୁ ପରେ ମଧ୍ୟ କେହି କାନ୍ଧ ଦେବାକୁ ଆସିଲେ ନାହିଁ । ଶେଷ ଯାତ୍ରା ପାଇଁ ଗାଁରୁ କେହି ନ ଆସିବାରୁ ଶେଷରେ ସାଇକେଲରେ ବୁହା ହୋଇ ଶ୍ମଶାନକୁ ନିଆଗଲା ଜଣେ ୮୦ ବର୍ଷୀୟ ବୃଦ୍ଧାଙ୍କ ମରଶରୀର। ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ପଦ୍ମପୁର ଉପଖଣ୍ଡ ପାଇକମାଲ ସହରର କଣ୍ଟାପଡ଼ା ଅଞ୍ଚଳରେ।
ସୂଚନା ଅନୁଯାୟୀ କଣ୍ଟାପଡ଼ାର ଜୟନ୍ତୀ ବଛା ନାମକ ୮୦ ବର୍ଷୀୟ ବୃଦ୍ଧାଙ୍କର ଆଜି ମୃତ୍ୟୁ ହୋଇଥିଲା। ପୂର୍ବରୁ ବଡ଼ ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ପୁଅ ପରିବାର ଜୀବିକା ଚଳାଇବା ପାଇଁ ବାହାରକୁ ଦାଦନ ଖଟିବାକୁ ଯାଇଥିବା ଜଣାପଡ଼ିଛି। ଅଞ୍ଚଳବାସୀଙ୍କ କହିବା ଅନୁଯାୟୀ ତାଙ୍କର ଦୁଇ ପୁଅ ଅନ୍ୟ ଜାତିରେ ବିବାହ କରିଥିବାରୁ ତାଙ୍କୁ ସମାଜରୁ ବାସନ୍ଦ କରାଯାଇଥିଲା, ଯାହା ଫଳରେ ଜୟନ୍ତୀ ବଛାଙ୍କ ମରଶରୀରକୁ କାନ୍ଧ ଦେବା ପାଇଁ କେହି ଆସିନଥିବା ଅଭିଯୋଗ ହୋଇଛି।
ଘରକୁ ଗ୍ରାମର କେହି ଲୋକ ନ ଆସିବାରୁ ଶେଷରେ ତାଙ୍କର ଦୁଇ ଝିଅ ଓ ନାତି ଏକ ସାଇକେଲ ସାହାଯ୍ୟରେ ମରଶରୀରକୁ ନେଇ ଶବ ସତ୍କାର କରିବାପାଇଁ ସ୍ମସାନକୁ ନେଇଥିଲେ। ଏହି ଘଟଣାଟି ସମାଜରେ ମାନବିକତା, ପରମ୍ପରା ଓ ସାମାଜିକ ଚିନ୍ତାଧାରାକୁ ନେଇ ଅନେକ ପ୍ରଶ୍ନ ଉଠୁଛି, ବର୍ତ୍ତମାନ ଆମେ ଡିଜିଟାଲ ଯୁଗରରେ ପହଁଚି ଛେ ସତ ହେଲେ ଅନ୍ଧ ବିଶ୍ୱାସରୁ ନିଜକୁ ଦୁରେଇ ପାରିନାହୁଁ , ଯାହାର ଜ୍ୱଳନ୍ତ ଉଦାହରଣ ହେଉଛି ଜୟନ୍ତୀ ବଛା ।ଘଟଣାଟି ସାମ୍ନାକୁ ଆସିବା ପରେ ମଣିଷ ପଣିଆ ଆଉ ନାହିଁ ଏ କଥାକୁ ଏଡାଇ ଦେଇ ପାରିବା ନାହିଁ ।

