Sunday, 17 May 2026
କଳା ଓ ସଂସ୍କୃତି ପୁରୀ

କୋଣାର୍କ ଉତ୍ସବର ଦିତୀୟ ଦିନ

କୋଣାର୍କ, ଡ଼ିସେମ୍ବର 3(ବ୍ୟୁରୋ)

କୋଣାର୍କ ଉତ୍ସବର ଆଜି ଦିତୀୟ ଦିନରେ କୋଣାର୍କ ଏବଂ ତାର ପରିପାର୍ଶ୍ଵ ଏକ ଲାସ୍ୟମୟୀନାୟିକା ଭାବର ସଜେଇ ହୋଇଛି । ରୂପ ,ରସ, ଛନ୍ଦରେ ସେ ସ୍ଵାଗତ କରୁଛି ତାର ଅତିଥିବୃନ୍ଦଙ୍କୁ, ପ୍ରିୟ ଦର୍ଶକଗଣଙ୍କୁ । ଆଜି ମଣିପୁରୀ ଏବଂ ଓଡିଶୀ ନୃତ୍ୟରେ ସେ ଆଭୂଷିତା ହୋଇଛି । ଆଜି ସେ ଏକ ଅଭିସାରିକା ସାଜିଛି ।
ମଣିପୁରୀନୃତ୍ୟ : ଉତ୍ତର-ପୂର୍ବ ଭାରତର ଏକ ପ୍ରସିଦ୍ଧ ଶାସ୍ତ୍ରୀୟ ନୃତ୍ୟ ଶୈଳୀ। ଏହି ନୃତ୍ୟ ଶୈଳୀ କୁ “ମଣିପୁରୀ ରାସ ଲୀଳା” ମଧ୍ୟ କୁହାଯାଏ। ପାରମ୍ପରିକ ବୈଷ୍ଣବୀୟ ଧାରାର ଏ ଏକ ପ୍ରାଚୀନ ନୃତ୍ୟ ଶୈଳୀ। ପ୍ରଥମେ ଏହା ମେଟାଇ ହିନ୍ଦୁ ରାଜାଙ୍କ ଦ୍ଵାରା ପ୍ରତିଷ୍ଠିତ ଓ ପ୍ରସାରିତ ହୋଇଥିଲା ଏବଂ ପ୍ରଧାନତଃ ରାଧା କୃଷ୍ଣ ଚେତନାରେ ଏହି ନୃତ୍ୟ ଶୈଳୀ ପରିବେଷିତ ହୋଇଥାଏ। ଆଖି, ମୁହଁ, ଶରୀରର ନାନା ଭଙ୍ଗୀମା ମାଧ୍ୟମରେ ଏହି ନୃତ୍ୟକୁ ଉପସ୍ଥାପନ କରାଯାଇଥାଏ । ମଣିପୁରରେ ମଧ୍ୟ ଜଗନ୍ନାଥ ସଂସ୍କୃତି ଓ ଚେତନାର ଏକ ସୁଦୃଢ ପରମ୍ପରା ରହି ଆସିଛି । ବିଷ୍ଣୁ ଓ ଜଗନ୍ନାଥ ସମାନ ଭାବରେ ପୂଜିତ ହୁଅନ୍ତି ଏଇଠି। ନିର୍ମଳ ଭକ୍ତି ଭାବରେ ଆଉ ଆଧ୍ୟାତ୍ମିକ ଚେତନାରେ ଏହି ନୃତ୍ୟକୁ ପରିବେଷଣ କରାଯାଇଥାଏ।ଆଜି କୋଣାର୍କ ଉତ୍ସବର ଦ୍ଵିତୀୟ ଦିନରେ ଭାରତ ବର୍ଷର ପ୍ରସିଦ୍ଧ ମଣିପୁରୀ ନୃତ୍ୟାଙ୍ଗନା ଶ୍ରୀମତୀ ପ୍ରୀତି ପଟେଲ ଓ ତାଙ୍କ ସାଥି ବୃନ୍ଦଙ୍କ ଦ୍ଵାରା ମଣିପୁରୀ ନୃତ୍ୟ ଶୈଳୀରେ “ନାଚେମଲେଇ” ନୃତ୍ୟ ପରିବେଷଣ କରାଯାଇଥିଲା। ଫୁଲର ବିଭିନ୍ନ ରୂପ ଓ ବିଭବକୁ ମଣିପୁରୀ ନୃତ୍ୟ ଶୈଳୀରେ ପରିବେଷଣ କରି ଶିଳ୍ପୀ ଗଣ ସେମାନଙ୍କ କଳା ନୈପୁଣ୍ୟ ସହିତ ଭକ୍ତି ଭାବ,ପ୍ରେମ ଭାବ,ନିର୍ଭୟ ଭାବ ଓ ତ୍ୟାଗ ଭାବର ଏକ ନିର୍ମଳ ଛନ୍ଦ କୁ ତୋଳି ଧରିଥିଲେ। ଶ୍ରୀମତୀ ପ୍ରୀତି ପଟେଲଙ୍କ ପରିକଳ୍ପନା ଓ ନିର୍ଦ୍ଦେଶନାରେ ଏବଂ ଏସ କରୁଣା ଦେବୀ ଓ ଥ. ଇମୋଚା ସିଂହ ଙ୍କ ସହଯୋଗରେ ଏହି ଅପୂର୍ବ ନୃତ୍ୟ ଶୈଳୀଟି ପ୍ରସ୍ତୁତ ହୋଇଥିଲା।
ଦ୍ୱିତୀୟ ଭାଗରେ ପରିବେଷଣ ହୋଇଥିଲା କଲିକତାରୁ ଆସିଥିବା ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟାଙ୍ଗନା ଗୁରୁମା ଆଲୋକା କାନୁନଗୋ ଙ୍କ ଶିଂଜନନୃତ୍ୟାଳୟର ଶିଳ୍ପୀ ମାନଙ୍କ ଦ୍ଵାରା ଓଡିଶୀ ନୃତ୍ୟ। ସେମାନେ “ବନ୍ଦେ ମାତରମ୍”, “ତାରା ପଲ୍ଲବୀ” ଓ“ସୂର୍ଯ୍ୟଲାବଣ୍ୟ” ତିନୋଟି ନୃତ୍ୟ ବିଭବକୁ ଓଡ଼ିଶୀ ମାଧ୍ୟମରେ ପରିବେଷଣ କରିଥିଲେ। ଓଡ଼ିଶୀ ନୃତ୍ୟର ଲାଳିତ୍ୟ, ମାଧୁର୍ଯ୍ୟ ଓ ଭଙ୍ଗିମା ଅତ୍ୟନ୍ତ ଉଚ୍ଚକୋଟୀର ମନେ ହୋଇଥିଲା ଶିଳ୍ପୀ ମାନଙ୍କ ପରିବେଷଣ ଶୈଳୀରୁ । ଭାରତୀୟ ସାସ୍ତ୍ରିୟ ନୃତ୍ୟ ପରମ୍ପରାରେ ଓଡ଼ିଶୀ ନୃତ୍ୟର ଲାଳିତ୍ୟ ଓ ନାନ୍ଦିନୀକତା ଅନ୍ୟ ଯେକୌଣସି ନୃତ୍ୟ ଶୈଳୀ ଠାରୁ ଅନନ୍ୟ ଓ ଉନ୍ନତ -ଏ କଥା ସ୍ୱୀକାର କରିବାକୁ ହେବ। ନୃତ୍ୟ ନିର୍ଦ୍ଦେଶନା ଓ ପରିକଳ୍ପନାରେ ଶ୍ରୀମତୀ ଆଲୋକା କାନୁନଗୋ, ସଙ୍ଗୀତରେ ଲକ୍ଷ୍ମୀକାନ୍ତ ପାଲିତ୍, ହିମାଂଶୁ ସ୍ଵାଇଁ,ସୁଶ୍ରୀ ସିଙ୍ଗିତ ପଣ୍ଡା ଓ ଧନେଶ୍ୱର ସ୍ଵାଇଁ ସହଯୋଗ କରିଥିଲେ।
ଆଗାମୀ କାଲି କୋଣାର୍କ ଉତ୍ସବର ତୃତୀୟ ଦିନ ପ୍ରଥମ ପର୍ଯ୍ୟାୟରେ ଓଡ଼ିଶୀ ନୃତ୍ୟ ପରିବେଷଣ କରିବେ କଲିକତାର ଦର୍ପଣୀ ଅନୁଷ୍ଠାନର ଗୁରୁ ଅର୍ଣ୍ଣବ ବନ୍ଦୋପାଧ୍ୟାୟ ଓ ସାଥୀବୃନ୍ଦ । ଦ୍ୱିତୀୟ ପର୍ଯ୍ୟାୟରେ ମୋହିନୀୟାଟ୍ଟମ୍ ପରିବେଷଣ କରିବେ ସୁଦୂର ଆମେରିକାରୁ ଆସିଥିବା ଡ. ସୁନନ୍ଦା ନାୟାର ଓ ସାଥୀବୃନ୍ଦ ।
ଦ୍ୱିତୀୟ ଦିନ 14 ତମ ଆନ୍ତର୍ଜାତୀୟ ବାଲୁକା ମହୋତ୍ସବରେ ଭାରତବର୍ଷ ଓ ବିଦେଶରୁ ଆସିଥିବା ବାଲୁକା ଶିଳ୍ପୀ ଗଣ ଚନ୍ଦ୍ରଭାଗାର ବେଳାଭୂମି କୁ ସଜାଇବେ ସେମାନଙ୍କ କଳା ନୈପୁଣ୍ୟରେ । ସମୁଦ୍ରର ଅଥଳ ଜଳରାଶି ଆଉ ଅସରନ୍ତି ବେଳାଭୂଇଁ ର ବାଲୁକା ଭୂଖଣ୍ଡ ଚିତ୍ରିତ ହୋଇ ଉଠିବ ।ଦର୍ଶକ ଗଣ ସେହି ବାଲି ଆଉ ପାଣିକୁ ଛୁଇଁ ପୁଲକିତ ହେବେ ନିଶ୍ଚୟ-କହିବା ବାହୁଲ୍ୟ ମାତ୍ର।
ଆଜି ଦ୍ୱିତୀୟ ଦିନର ଉତ୍ସବରେ ଅତିଥି ଭାବେ ଯୋଗ ଦେଇଥିଲେ ମୁଖ୍ୟ ଅତିଥି ଭାବେ ଓଡିଶାର ମାନ୍ୟବର ପାଞ୍ଚାୟତରାଜ ଏବଂ ପାନୀୟ ଜଳ ମନ୍ତ୍ରୀ ଶ୍ରୀଯୁକ୍ତ ରବିନାରାୟଣ ନାୟକ ଉଦଘାଟନ କରିଛନ୍ତି ତାଙ୍କ ସହିତ ସୁପ୍ରିମ କୋର୍ଟ ର ମାନ୍ୟବରନ୍ୟାୟମୂର୍ତ୍ତି ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମିଶ୍ର ଓ ଓଡିଶାର ଉଚ୍ଚ ନ୍ୟାୟାଳୟର ମାନ୍ୟବରନ୍ୟାୟମୂର୍ତ୍ତି ଶ୍ରୀଯୁକ୍ତ ଚକ୍ରଧର ଶରଣ ସିଂହ, ପର୍ଯ୍ୟଟନ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀଯୁକ୍ତ ବଳୱନ୍ତ ସିଂହ, ପୂର୍ବତଟ ରେଳପଥର ମହା ପ୍ରବନ୍ଧକ ଶ୍ରୀଯୁକ୍ତ ପରମେଶ୍ଵର ଫଙ୍କ୍ଓ୍ୱାଲ୍ ଓ ପର୍ଯ୍ୟଟନ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀଯୁକ୍ତ ବାଳମୁକୁନ୍ଦ ଭୂୟାଁ ପ୍ରମୁଖ ଅନ୍ୟତମ ଅତିଥି ଭାବେ ଉପସ୍ଥିତ ଥିଲେ ।
Tag:

Leave a Reply

Your email address will not be published. Required fields are marked *

Suchana Tv @2025. All Rights Reserved || Developed By CBSPL