Sunday, 17 May 2026
ଭୁବନେଶ୍ୱର ରାଜ୍ୟ

ଭୁବନେଶ୍ବର ରାସ୍ତା ହେବ ଆକ୍ସିଡେଣ୍ଟ ଫ୍ରି

କମିବ ଦୁର୍ଘଟଣା । ଆଉ ଯିବନି ନିରୀହ ଜୀବନ । ଭୁବନେଶ୍ବର ରାସ୍ତା ହେବ ଆକ୍ସିଡେଣ୍ଟ ଫ୍ରି । ରାସ୍ତାରେ କିପରି ଦୁର୍ଘଟଣା କମିବ, ଯାତ୍ରୀଙ୍କ ସୁରକ୍ଷା ବଢିବ, ଏଥିପାଇଁ ଭୁବନେଶ୍ବରରେ ଆୟୋଜିତ ହେବ ୪ ଦିନିଆ ଭାରତୀୟ ରୋଡ କଂଗ୍ରେସ।

୧୦ ବର୍ଷ ପରେ ଓଡ଼ିଶାକୁ ଫେରୁଛି ଇଣ୍ଡିଆନ ରୋଡ କଂଗ୍ରେସ । ଏହି ୪ ଦିନିଆ ଆଇଆରସି ପାଇଁ ସଜେଇ ହେଉଛି ଜନତା ମଇଦାନ। ୬ ତାରିଖରେ ପ୍ରଦର୍ଶନୀ ହେବ ୭ ତାରିଖରୁ ୧୦ ତାରିଖ ଯାଏଁ ସମ୍ମିଳନୀ। ରାସ୍ତା ନିର୍ମାଣ କ୍ଷେତ୍ରରେ ନୂଆ ଟେକ୍ନୋଲୋଜିର ବ୍ୟବହାର ଉପରେ ସମ୍ମିଳନୀରେ ଆଲୋଚନା ହେବ । କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ ଏହି ସମ୍ମିଳନୀର ଶୁଭାରମ୍ଭ କରିବେ । ଏହା ସହ ଯୋଗଦେବେ ଇଂଜିନିୟର, ବିଶେଷଜ୍ଞ, ଅଧିକାରୀ।

ରାସ୍ତାରେ କିପରି ଦୁର୍ଘଟଣା କମିବ, ଯାତ୍ରୀଙ୍କ ସୁରକ୍ଷା ବଢିବ, ଗାଡ଼ି ଚାଳକଙ୍କ ପାଇଁ ରାସ୍ତା ନିରାପଦ ହେବ, ଟ୍ରାଫିକ କମିବ, ଏସବୁ ବିଷୟରେ ଆଲୋଚନା ହେବ। ୬ ତାରିଖରେ ରାସ୍ତା ନିର୍ମାଣ ସମ୍ପର୍କିତ ମେସିନାରୀ ଓ ଟେକ୍ନୋଲୋଜିକୁ ନେଇ ପ୍ରଦର୍ଶନୀ ଆରମ୍ଭ ହେବ। ୭ ତାରିଖରେ ଉଦଘାଟନୀ ଉତ୍ସବ ପରେ ବିଭିନ୍ନ ଟେକନିକାଲ ସେସନରେ ବିଶେଷଜ୍ଞ ଓ ଇଂଜିନିୟରମାନେ ସେମାନଙ୍କର ମତ ରଖିବେ। ପ୍ରତ୍ୟକ ଦିନ ଦୁର୍ଘଟଣାରେ ଅନେକ ଲୋକଙ୍କ ଅକାଳରେ ଜୀବନ ଚାଲିଯାଉଛି । ଏହି ସମ୍ମିଳନୀରେ ଦୁର୍ଘଟଣା କମିବ ବୋଲି ଆଶା କରାଯାଉଛି ।

ରାଜ୍ୟ ତଥା ଦେଶ ବାହାରୁ ପ୍ରାୟ ସାଢେ ୩ ହଜାର ପ୍ରତିନିଧି ଏହି ସମ୍ମିଳନୀରେ ଭାଗ ନେବେ। ସେମାନଙ୍କ ପାଇଁ ଆତିଥୟେତା, ରହିବା ବ୍ୟବସ୍ଥା ସାଙ୍ଗକୁ ଓଡ଼ିଶା ପରମ୍ପରାରେ ସ୍ବାଗତ ପାଇଁ ଆୟୋଜନ ହୋଇଛି । ଯେହେତୁ ରାସ୍ତା ନିର୍ମାଣ କ୍ଷେତ୍ରରେ ଏହା ସବୁଠାରୁ ବଡ଼ ମଞ୍ଚ, ଏଥିରେ ରାସ୍ତାର ବିଭିନ୍ନ ଦିଗ ପ୍ରତି ଆଲୋଚନା କରାଯିବ। ନୂଆ ରାସ୍ତା ନିର୍ମାଣ ବେଳେ ଭବିଷ୍ୟତ ଯୋଜନା ପାଇଁ ଉଭୟ ପାର୍ଶ୍ବରେ ୫୦ ଫୁଟ ଲେଖାଏଁ ଜାଗା ଛାଡ଼ିବା ଉପରେ ଗୁରୁତ୍ବ ଦେଇଛନ୍ତି ବିଶେଷଜ୍ଞ। ଓଡ଼ିଶାରେ ଆଇଆରସି ଆୟୋଜନ ହେବା ସୌଭାଗ୍ୟର କଥା, ହେଲେ ଏଥିରୁ ଓଡ଼ିଶାକୁ କେମିତି ଫାଇଦା ମିଳିବ, ତା ଉପରେ ଧ୍ୟାନ ଦେବା ଦରକାର। ଗାଡ଼ି ଚାଳକଙ୍କ ପାଇଁ ପ୍ରତି ୩୦ କିଲୋମିଟରରେ ବିଶ୍ରାମ ସ୍ଥାନ, ଜାତୀୟ ଓ ରାଜ୍ୟ ରାଜପଥ ମଝିରେ କ୍ରସିଂ ନରଖିବା, ଅତ୍ୟାଧୁନିକ ଟେକ୍ନୋଲାଜି ବ୍ୟବହାର କରି ଦୁର୍ଘଟଣା ମୁକ୍ତ କରିବା ଉପରେ ଆଇଆରସିରେ ଆଲୋଚନା ହେବ ବୋଲି ଜଣାପଡ଼ିଛି।

ଓଡ଼ିଶାରେ ଇଣ୍ଡିଆନ ରୋଡ କଂଗ୍ରେସ ୧୯୫୪, ୧୯୮୨, ୧୯୯୪, ୨୦୦୫, ୨୦୧୫ରେ ହୋଇଥିବା ବେଳେ ଏଥର ୮୪ତମ ଆଇଆରସି ଜନତା ମଇଦାନରେ ଆୟୋଜିତ ହେଉଛି। ଏହାକୁ ସଫଳ କରିବାକୁ ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ସବୁ ପ୍ରକାର ପ୍ରସ୍ତୁତି କରିଥିବା ବେଳେ ଅନ୍ୟ ବିଭାଗଗୁଡ଼ିକ ସହାୟତା କରୁଛନ୍ତି।

Leave a Reply

Your email address will not be published. Required fields are marked *

Suchana Tv @2025. All Rights Reserved || Developed By CBSPL