Sunday, 17 May 2026
ଓଡ଼ିଶା

ଚିଲିକା ପାଇଁ ସତର୍କ ଘଣ୍ଟି: ବର୍ଷକୁ ଜମା ହେଉଛି ୧୦ ଲକ୍ଷ ଟନ୍‌ ପଟୁ

ଚିଲିକାକୁ ବିପଦ ପଟୁ ମାଟି। ଏସିଆ ମହାଦେଶର ସର୍ବବୃହତ୍‌ ଲବଣାକ୍ତ ହ୍ରଦ ଗର୍ଭରେ ପ୍ରତିବର୍ଷ ଭର୍ତ୍ତି ହେଉଛି ୧୦ ଲକ୍ଷ ଟନ୍‌ର ମାଟି। ଚିଲିକାରେ ମିଶିଥିବା ବିଭିନ୍ନ ନଦୀ ମାଧ୍ୟମରେ ନଦୀର ଉପର ଅବବାହିକାରୁ ଆସୁଥିବା |

ଖୋର୍ଦ୍ଧା: ଚିଲିକାକୁ ବିପଦ ପଟୁ ମାଟି। ଏସିଆ ମହାଦେଶର ସର୍ବବୃହତ୍‌ ଲବଣାକ୍ତ ହ୍ରଦ ଗର୍ଭରେ ପ୍ରତିବର୍ଷ ଭର୍ତ୍ତି ହେଉଛି ୧୦ ଲକ୍ଷ ଟନ୍‌ର ମାଟି। ଚିଲିକାରେ ମିଶିଥିବା ବିଭିନ୍ନ ନଦୀ ମାଧ୍ୟମରେ ନଦୀର ଉପର ଅବବାହିକାରୁ ଆସୁଥିବା ମାଟି ଗଭୀର ଚିଲିକାକୁ ପୋତି ପକାଉଛି। ଚିଲିକାର ଜୈବ ବିବିଧତା ଉପରେ ଏହାର ପ୍ରତିକୂଳ ପ୍ରଭାବ ମଧ୍ୟ ପଡ଼ୁଛି। ଯେଉଁ ଚିଙ୍ଗୁଡ଼ି ଓ କଙ୍କଡ଼ା ପ୍ରଜାତିଙ୍କ ପାଇଁ ଚିଲିକାର ପ୍ରସିଦ୍ଧି ଥିଲା, ସେଗୁଡ଼ିକ ଏବେ ବିପଦରେ ପଡ଼ିଛନ୍ତି। ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ) ଦର୍ଶାଇଛି ଯେ ଚିଲିକାର ଗଭୀରତା ସବୁଠି ସମାନ ନୁହେଁ। ସର୍ବନିମ୍ନ ଏହାର ଗଭୀରତା ୦.୩୮ ମିଟରରୁ ଆରମ୍ଭ କରି ସର୍ବାଧିକ ୬.୨୦ ମିଟର ଯାଏ ରହିଛି। ପ୍ରାୟତଃ ୧୧ଶହ ବର୍ଗକିଲୋମିଟର ପରିଧି ବିଶିଷ୍ଟ ଚିଲିକା ଗର୍ଭକୁ ବର୍ଷକୁ ପ୍ରାୟ ୧୦ ଲକ୍ଷ ଟନ୍‌ର ପଟୁମାଟି ପ୍ରବେଶ କରୁଛି। ଚିଲିକାର ପୂରା ଜୈବ ବିବିଧତା ସମୁଦ୍ର ସହିତ ଜଡ଼ିତ। ଏହି ହ୍ରଦ ସହିତ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ବହୁ ନଦୀ, ଉପନଦୀ ଏବଂ ନାଳ ଯୋଡ଼ି ହୋଇ ରହିଛି। ନଦୀରୁ ଆସୁଥିବା ମଧୁର ଜଳ ଓ ସମୁଦ୍ରରୁ ପ୍ରବାହିତ ଲୁଣି ପାଣିର ଆଦାନପ୍ରଦାନ ମାଛ, ଚିଙ୍ଗୁଡ଼ି, କଙ୍କଡ଼ା ଏବଂ ଅର୍ଥକରୀ ମାଛବଂଶର ପ୍ରଜନନକୁ ପ୍ରଭାବିତ କରିଥାଏ। କିନ୍ତୁ ପଟୁ ମାଟିରେ ଚିଲିକାର ପେଟ ପୂରିବା ଘଟଣା ଚିଲିକାର ସ୍ବାସ୍ଥ୍ୟ ପାଇଁ ସତର୍କ ଘଣ୍ଟି ହୋଇଛି।

ନଦୀରେ ଆସି ହ୍ରଦରେ ମିଶୁଛି 
ପଙ୍କ ଉଦ୍ଧାରରେ ୩ ବର୍ଷରେ ଖର୍ଚ୍ଚ ହେଲାଣି ୭ କୋଟି

ଚିଲିକା ଗର୍ଭରୁ ଏହି ମାଟିକୁ ବାହାର କରିବା ପାଇଁ ସିଡିଏ ପକ୍ଷରୁ ତିନି ପ୍ରକାର ଯୋଜନା କରାଯାଇଛି। ବିଭାଗ ଦର୍ଶାଇଛି, ତିନିମୁହାଁଣରୁ ମଗରମୁଖ ପର୍ଯ୍ୟନ୍ତ ପୁଣି ନାଳ ଖନନ ହେବ। ଏଥିପାଇଁ ମୋଟ୍ ୨.୮୧ କୋଟିର ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଦ୍ବିତୀୟ ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ‘ସାଗରମାଳା’ ପ୍ରକଳ୍ପରେ ଅନ୍ତର୍ଭୁକ୍ତ। ଜହ୍ନିକୁଦାରୁ ସାତପଡ଼ା ପର୍ଯ୍ୟନ୍ତ ଫେରି ଯାତାୟାତ କରୁଥିବା ନାଳର ଖନନ ଏହି ପ୍ରକଳ୍ପ ଜରିଆରେ କରାଯିବ। ଏଥିପାଇଁ ମୋଟ୍ ୧୨.୫୯ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସିଡିଏ ଦର୍ଶାଇଛି। ଉପରୋକ୍ତ ଦୁଇଟି ଅନୁମୋଦନରେ ମୋଟ୍ ୧୫ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବାର ଧାର୍ଯ୍ୟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ୍‌ ବାଲିପାଟପୁର ଜେଟିରୁ ଚିଲିକା ଭିତରକୁ ୯ କିଲୋମିଟର ଯାଏ ନାଳ ଖନନ କରିବାକୁ ୨୦.୮୯ କୋଟି ଟଙ୍କାର ପ୍ରସ୍ତାବ ସିଡିଏ ପ୍ରସ୍ତୁତ କରିଛି। କେନ୍ଦ୍ର ସରକାରଙ୍କଠାରୁ ଏହି ଟଙ୍କା ଆଣିବା ପାଇଁ ଅନୁମୋଦନକୁ ଅପେକ୍ଷା କରାଯାଇଛି। ଏହି ୩୫ କୋଟି ଟଙ୍କା ବାଦ୍‌ ଚିଲିକାରୁ ପଙ୍କ ଉଦ୍ଧାର କାମରେ ସିଡିଏ କର୍ତ୍ତୃପକ୍ଷ ୨୦୧୯ରୁ ୨୦୨୨ ମଧ୍ୟରେ ମୋଟ୍ ୬ କୋଟି ୯୪ ଲକ୍ଷ ୩୭ହଜାର ଟଙ୍କା ଖର୍ଚ୍ଚ କରି ସାରିଲେଣି। ଏତିକି ଟଙ୍କାରେ ମାତ୍ର ୩ ଲକ୍ଷ ୨୬ ହଜାର ୭୧୬ କ୍ୟୁବିକ୍‌ ମିଟର ପଙ୍କ ଚିଲିକାରୁ କଢ଼ା ଯାଇଥିବା ବିଭାଗ ଯଦିଓ ବିଭାଗ ରିପୋର୍ଟ ଦେଇଛି, ତଥାପି ଉଦ୍ଧାର ପଙ୍କର ପରିମାଣକୁ ନେଇ ସନ୍ଦେହ ରହିଛି।

Leave a Reply

Your email address will not be published. Required fields are marked *

Suchana Tv @2025. All Rights Reserved || Developed By CBSPL