ଦିଲ୍ଲୀରେ ଘଟିଥିବା ବିସ୍ପୋରଣ ସହିତ ଓଡ଼ିଶାର ଲିଙ୍କ ରହିଥିବା କଥା ଜଣା ପଡିଛି । ଆତଙ୍କୀ ମୁଜାମ୍ମୀଲ ସକିଲର ସମ୍ପର୍କ ଓଡ଼ିଶାରେ ରହିଛି । ତଦନ୍ତ ବେଳେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ଟିମ ହାତରେ ଲାଗିଛି। ମୁଜାମ୍ମୀଲର ହ୍ୱାଟ୍ସଆପ ଯାଞ୍ଚ ସମୟରେ ଓଡ଼ିଶାର କେତେକ ନମ୍ବର ସହ ମେସେଜ ଓ ବାର୍ତ୍ତାଳପ ହୋଇଥିବା ତଥ୍ୟ ସାମ୍ନାକୁ ଆସିଥିଲା।
ବର୍ତ୍ତମାନ ଏହି ଘଟଣା ଜମ୍ମୁ , ହରିୟାଣା , ତାମିଲନାଡୁର ଲିଙ୍କ ରହିଥିବା ଜଣା ପଡିଛି । ଏଠି କଥା ଉଠୁଛି ଯେ ଓଡ଼ିଶାର କେଉଁମାନେ ମୁଜାମ୍ମୀଲ ସମ୍ପର୍କରେ ରହିଛନ୍ତି, ସେମାନେ ମୁଜାମ୍ମୀଲ ସହିତ କେଉଁ ସବୁ ପ୍ରସଙ୍ଗରେ କଥାବାର୍ତ୍ତା ଓ ଚାଟିଙ୍ଗ କରୁଥିଲେ, ତମାମ ବିଷୟର ଖୋଳତାଡ଼ କରିବ (NIA)।
ସୂଚନା ଅନୁଯାୟୀ ଏନଆଇଏ ଦଳ କେତେଙ୍କ ତାଲିକା କରିଛି। ଖାସକରି କଟକ ଜିଲ୍ଲାର ଏକ କଲେଜକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଅଧିକ ତନାଘନା ପାଇଁ ଖୁବ୍ ଶୀଘ୍ର ଏନଆଇଏ ର ଏକ ଦଳ ଓଡିଶା ଆସିବ ବୋଲି ଜଣା ପଡିଛି ।
ପୂର୍ବରୁ ପୁରୀ ଓ କଟକକୁ ଆତଙ୍କବାଦୀ ଟାର୍ଗେଟ କରିଥିବା କଥା ପଦାକୁ ଆସିଥିଲା । ସେହିପରି ଭଦ୍ରକ, କଟକ, ଯାଜପୁର ଓ ଭୁବନେଶ୍ୱରରୁ ମଧ୍ୟ ଆତଙ୍କୀ ସଙ୍ଗଠନକୁ ଠାବ କରାଯାଇଥିବାର ନଜିର ରହିଛି ।
ଦିଲ୍ଲୀ ବିସ୍ପୋରଣ ଘଟଣା ପରେ ସବୁଠି ଭୟ ସୃଷ୍ଟି ରହିଛି । ଅନ୍ୟପଟେ ଆତଙ୍କୀଙ୍କ ସହ ଓଡିଶା ଲିଙ୍କ ପଦାକୁ ଆସିବା ପରେ ରାଜ୍ୟ ପୋଲିସ ଅଧିକ ସତର୍କ ହୋଇଯାଇଛି ।
ଓଡ଼ିଶାରେ ହାଇଆଲର୍ଟ ଜାରିରହିଥିବା ବେଳେ ପର୍ଯ୍ୟଟନ ଋତୁ ଥିବାରୁ ଦେଶ ବିଦେଶରୁ ପୁରୀ, କୋଣାର୍କ ସମେତ ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ହଜାର ହଜାର ପର୍ଯ୍ୟଟକ ଆସୁଛନ୍ତି । ବର୍ତ୍ତମାନ କଟକ ବାଲିଯାତ୍ରା ପାଇଁ ମଧ୍ୟ ଲୋକଙ୍କ ଗହଳି ଜମୁଛି । ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ପୋଲିସ ପକ୍ଷରୁ ବିମାନବନ୍ଦରଠାରୁ ଆରମ୍ଭ କରି ରେଳଷ୍ଟେସନ, ବସଷ୍ଟାଣ୍ଡ, ହୋଟେଲ, ମଲ ଆଦି ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।
ଅନ୍ୟପଟେ ପର୍ଯ୍ୟଟନସ୍ଥଳୀ, ମନ୍ଦିର, ଓ ଜନଗହଳି ସ୍ଥାନ ଗୁଡିକ ଉପରେ ମଧ୍ୟ ପୋଲିସ ନଜର ରଖିଛି । ପୋଲିସ ପେଟ୍ରୋଲିଙ୍ଗ ବ୍ୟବସ୍ଥାକୁ ଅଧିକ ସକ୍ରିୟ କରାଯିବା ସହିତ ରାତ୍ରିକାଳୀନ ଚେକିଂ କୁ କଡାକଡି କରାଯାଇଛି । ଏଥିପାଇଁ କମିଶନରେଟ ପୋଲିସ ଓ ସମସ୍ତ ଏସ୍ପିଙ୍କୁ ସ୍ଥିତି ଉପରେ ନଜର ରଖିବା ପାଇଁ ପୋଲିସ ମୁଖ୍ୟାଳୟର ନିର୍ଦେଶ ରହିଛି ।



