Sunday, 17 May 2026
ଅପରାଧ ଖୋର୍ଦ୍ଧା ବିଧାନସଭା ସମାଚାର ଭୁବନେଶ୍ୱର ମୁଖ୍ୟ ଖବର ମୁହାଁ ମୁହିଁ ରାଜ୍ୟ ରାଜ୍ୟ ଖବର ରାଜ୍ୟର ପ୍ରମୁଖ ସହର

ସୌମ୍ୟ ହତ୍ୟାକାଣ୍ଡରେ ଗିରଫ ସଂଖ୍ୟା ୧୧କୁ ବୃଦ୍ଧି

ଆଇନକୁ ହାତକୁ ନେଇ ସୌମ୍ୟଙ୍କୁ ପିଟିପିଟି ହତ୍ୟା
ବାଲିଅନ୍ତା ହତ୍ୟାକାଣ୍ଡରେ ଗିରଫ ସଂଖ୍ୟା ୧୧କୁ ବୃଦ୍ଧି
ଷଡଯନ୍ତ୍ର ଅଭିଯୋଗ ଆଣିଲେ ସୌମ୍ୟଙ୍କ ପରିବାର
ଭିଡିଓ ଫୁଟେଜ ଯାଞ୍ଚ କରି ତଦନ୍ତ ଜୋରଦାର କଲା ପୁଲିସ

ବାଲିଅନ୍ତାରେ ଜିଆରପି କନଷ୍ଟେବଳ ସୌମ୍ୟରଞ୍ଜନ ସ୍ୱାଇଁଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଘଟଣା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ମାମଲାରେ ପୁଲିସ ତଦନ୍ତକୁ ଜୋରଦାର କରିଥିବା ବେଳେ ଗିରଫଦାରୀ ସଂଖ୍ୟା ମଧ୍ୟ ବଢ଼ିଛି । ପ୍ରଥମେ ୫ ଜଣଙ୍କୁ ଗିରଫ କରାଯାଇଥିଲା । ପରେ ଆଉ ୬ ଜଣଙ୍କୁ ପୁଲିସ ଧରିଥିବାରୁ ମୋଟ ଗିରଫ ସଂଖ୍ୟା ୧୧ରେ ପହଞ୍ଚିଛି । ଗିରଫ ଭୟରେ ଗାଁର ଅନେକ ପୁରୁଷ ଫେରାର ହୋଇଥିବା ଜଣାପଡ଼ିଛି । ବାଲିଅନ୍ତା ଥାନା ଅଧୀନ ରାମଚନ୍ଦ୍ରପୁର ଅଞ୍ଚଳରେ ଏହି ଭୟଙ୍କର ଘଟଣା ଘଟିଥିଲା। ଓଲଟପୁର ଥାନା ଅଧୀନ ସଲେଇ ମଉଜପୁର ଗାଁର ସୌମ୍ୟରଞ୍ଜନ ସ୍ୱାଇଁଙ୍କୁ ସ୍ଥାନୀୟ ଲୋକେ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଅଭିଯୋଗ ହେଉଛି, ଅସଦାଚରଣକୁ କେନ୍ଦ୍ର କରି ଲୋକମାନେ ଆଇନକୁ ନିଜ ହାତକୁ ନେଇ ସୌମ୍ୟଙ୍କୁ ନିର୍ମମ ଭାବେ ପିଟିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲକୁ ପଠାଯାଇଥିଲା, କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏହି ଘଟଣାକୁ ନେଇ ସୌମ୍ୟଙ୍କ ପରିବାର ଗଭୀର ସନ୍ଦେହ ପ୍ରକାଶ କରିଛନ୍ତି । ସେମାନଙ୍କ କହିବା ଅନୁସାରେ, ଏହା ପଛରେ କୌଣସି ଷଡଯନ୍ତ୍ର ଥାଇପାରେ। କେବଳ ଅସଦାଚରଣ ଅଭିଯୋଗ ପାଇଁ ଏତେ ନିର୍ମମ ଆକ୍ରମଣ ହେବା ସହଜରେ ବିଶ୍ୱାସଯୋଗ୍ୟ ନୁହେଁ ବୋଲି ପରିବାର ଅଭିଯୋଗ କରିଛନ୍ତି। ଏହାକୁ ନେଇ ଲୋକମାନଙ୍କ ମଧ୍ୟରେ ମଧ୍ୟ ଅନେକ ଚର୍ଚ୍ଚା ଚାଲିଛି।

ଘଟଣା ଦିନ ସୌମ୍ୟଙ୍କ ସହ ଥିବା ତାଙ୍କ ବନ୍ଧୁ ଓମ୍‌ ମଧ୍ୟ କ୍ୟାମେରା ସାମ୍ନାରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ, ସୌମ୍ୟ କାହାକୁ କମେଣ୍ଟ କରିନଥିଲେ କିମ୍ବା କୌଣସି ଦୁଷ୍କର୍ମ ଉଦ୍ୟମ କରିନଥିଲେ । ଦୁଇ ଯୁବତୀ ଗଣମାଧ୍ୟମ ଆଗରେ ମିଛ କହୁଥିବା ଓମ୍‌ ଅଭିଯୋଗ କରିଛନ୍ତି । ଏପଟେ ପୁଲିସ ତଦନ୍ତକୁ ଆହୁରି ଜୋରଦାର କରିଛି । ଘଟଣାସ୍ଥଳରେ ପହଞ୍ଚି ପୁଲିସ ଡିଜି ପରିସ୍ଥିତିର ସମୀକ୍ଷା କରିଛନ୍ତି । ଭିଡିଓ ଫୁଟେଜ ଯାଞ୍ଚ କରାଯାଉଥିବା ବେଳେ ଆଗାମୀ ଦିନରେ ଆଉ ଗିରଫଦାରୀ ହୋଇପାରେ ବୋଲି କୁହାଯାଉଛି । ଓଡ଼ିଶା ପୁଲିସ କନଷ୍ଟେବଳ ମହାସଂଘ ମଧ୍ୟ ଏହି ଘଟଣାକୁ ନିନ୍ଦା କରି ନିରପେକ୍ଷ ତଦନ୍ତ ଦାବି କରିଛି । ଅନ୍ୟପଟେ, ଘଟଣାରେ ଜଡିତ ଦୁଇ ପୀଡ଼ିତାଙ୍କୁ ପୁଲିସ ସୁରକ୍ଷା ଦେବାକୁ ନିଷ୍ପତ୍ତି ନିଆଯାଇଛି । ମହିଳା କମିସନଙ୍କ ଟିମ୍ ଘଟଣାସ୍ଥଳ ଓ ପୀଡ଼ିତାଙ୍କ ଘରକୁ ଯାଇ ସେମାନଙ୍କ ସହ କଥା ହୋଇଛନ୍ତି । ପ୍ରକୃତ ଦୋଷୀଙ୍କୁ ଚିହ୍ନଟ କରି କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମହିଳା କମିସନ ଅଧ୍ୟକ୍ଷା କହିଛନ୍ତି ।

 

 

 

Leave a Reply

Your email address will not be published. Required fields are marked *

Suchana Tv @2025. All Rights Reserved || Developed By CBSPL