Saturday, 5 September 2026
ଓଡ଼ିଶା ମୁଖ୍ୟ ଖବର ରାଜ୍ୟ ଖବର

କମିଛି ବନ୍ୟା, ବଢିଛି ଦୁର୍ଦ୍ଦଶା

ବନ୍ୟା କମିଛି,କିନ୍ତୁ ଲୋକଙ୍କ ଦୁର୍ଦଶା ବଢିଛି। ଗତ ତିନଦିନ ହେବ ବନ୍ୟାସ୍ଥିତିରେ ସୁଧାର ଆସିଥିଲେ ହେଁ ଲୋକମାନଙ୍କ ଦୁର୍ଦଶା ବଢ଼ିବାରେ ଲାଗିଛି.ବନ୍ୟା ଜଳରେ କେବଳ ମଣିଷ ନୁହଁନ୍ତି, ପଶୁ ପକ୍ଷୀ ବି ଦୁର୍ଦଶାର ଶିକାର ହୋଇଛନ୍ତି। ଆଳି ବ୍ଲକ ର 19 ଟି ପଂଚାୟତ ର 70 ହଜାର ପରିବାର ପ୍ରଭାବିତ ହେବା ସହ ଓ ରାଜକନିକା ବ୍ଲକ ର 10 ଟି ପଂଚାୟତ ର 8 ହଜାର ଲୋକ ବନ୍ୟା ଯୋଗୁଁ ବିଭିନ୍ନ ପଂଚାୟତର ନଦୀକୁଳିଆ ଗାଁ ପ୍ରଭାବିତ ହୋଇଛି।

ରାଜକନିକା ବ୍ଲକର ବାଲିସାହି ଗହମପାଳ,କାଇମା ଓ କାନପୁର ଅଧିକ କ୍ଷତିଗ୍ରସ୍ତ ଗାଁରେ ବନ୍ୟା ଜଳ କମିଛି ସତ,ହେଲେ ବଢିଯାଇଛି ସେମାନଙ୍କ ଦୁଃଖ ଆଉ ଦୁରଦଶା । ବନ୍ୟା ପାଣିରେ ବୁଡ଼ି ରହିଥିବା ସେମାନଙ୍କ ଚାଳ-ଛପର ଘରର ମାଟି କାନ୍ଥ ସବୁ ଭୁଷୁଡି ପାଣିରେ ମିଶିଯାଇଛି ନା ସରକାର ନା ପ୍ରଶାସନ କୌଣସି ପଟୁ ସାହାଜ୍ୟ ନ ମିଳିବାରୁ ନିରାଶ ହୋଇ ନିଜ ଘରକୁ ନିଜେ ସଜାଡିବାରେ ଲାଗିଛନ୍ତି ବିପନ୍ନ ପୀଡ଼ିତ।

ପ୍ରଶାସନ ପିଇବା ପାଣିର ବ୍ୟବସ୍ଥା କରିଥିଲେ ମଧ୍ୟ,ଏପର୍ଯନ୍ତ ଆଳି ଓ ରାଜକନିକା ବ୍ଲକର ଅନେକ ତଳିଆ ଅଂଚଳର ଲୋକେ ବାଧ୍ୟ ହୋଇ ପାଣି କିଣିକି ପିଇଛନ୍ତି। କଥାରେ ଅଛି ଜଳ ବିହୁଳେ ‘ସୃଷ୍ଟିନାଶ ଜଳ ବିହୁନେ ସୃଷ୍ଟିନାଶ’ହେଲେ ଏମାନଙ୍କ ପାଇଁ ଦୁଇଟି ଯାକ ସମସ୍ୟାର କାରଣ ପାଲଟିଛି । ଅନ୍ୟପଟେ ଚାଷ ଜମି ଓ ପାଣି ସବୁ ସମାନ ହେତୁ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିପଡ଼ିଛି।ଏପର୍ଯନ୍ତ ଜମିମାନଙ୍କରେ ପାଞ୍ଚ ଫୁଟର ପାଣି ଉଜାଡି ଦେଇଛି ଧାନ ଚାଷ ଠୁଁ ନେଇକି ପରିବା ଚାଷ ସବୁ ପାଣିରେ।

ଟିକେ ନଜର ପକାନ୍ତୁ ଦୃଶ୍ୟ ଉପରେ ଏ ହେଉଛି କେନ୍ଦ୍ରାପଡା ଜିଲ୍ଲାର ଆଳି,ମାନପୁର,ଡ଼ିମିରିପାଳ,ଅର୍ଗଳ,ସଂସିଦା,ପେ୍ତପଡ଼ା, ଏରଡ଼ଙ୍ଗ,ଆଦି ଧୋୟା ଅଂଚଳ ସମେତ ରାଜକନିକା ବ୍ଲକର ଅନେକ ନଦୀ କୁଳିଆ ତଳି ଅଞ୍ଚଳ । ରୋଇଥିବା ଧାନ ତଳିକୁ ବନ୍ୟା ଜଳ ସବୁ ଭସାଇ ନେଇଥିବାବେଳେ,ପରିବା ଭାଡ଼ିକୁ ଦେଖିଲେ ଏବେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି। ଏସବୁ ଭିତରେ ବେଶୀ କଷ୍ଟ ବଢାଇ ଦେଇଛି ଗୃହପାଳିତ ପଶୁଙ୍କ ଅବସ୍ଥା। ଚାରିଆଡେ ପାଣି ଜମିରହିଥିବାରୁ,ସେମାନେ କେଉଁ ଆଡେ ବି ଚରିବାକୁ ଯାଇପାରୁନଥିବା ବେଳେ,ଗୁହାଳ ବି ବନ୍ୟାରେ ଭାଙ୍ଗି ଚୁରମାର ହୋଇଯାଇଛି ସତେ ଯେମିତି ବୋଝ ଉପରେ ନଳିତା ବିଡ଼ା ।

ପ୍ରଶାସନ ରନ୍ଧା ଖାଦ୍ଯ,ଶୁଖିଲା ଖାଦ୍ଯ ଏବଂ ଗୋଖାଦ୍ୟର ବ୍ୟବସ୍ଥା କରିଛି ସତ, ହେଲେ ତାହା ଯାଗାରେ ପହଂଚିବା ପୂର୍ବରୁ ବାଟ ମାରଣା ହେଇଯାଉଛି । ଯାହା ପାଇଁ ଦେଖା ଦେଇଛି ଜନ ଅସନ୍ତୋଷ। ତେବେ ଏସବୁ ଭିତରେ ଯାହାର ସବୁ କିଛି ଉଜୁଡିଯାଇଛି ସେହି ମଣିଷଟେ ଚାତକ ପକ୍ଷୀ ପରି ଚାହିଁ ବସିଛି କେବଳ ସରକାରୀ ସହାୟତାକୁ। ଧାର,କରଜ,ଋଣ କରି ଯେଉଁ ଚାଷ କରିଥିଲା,ସେସବୁତ ବନ୍ୟା ବୁହାଇ ନେଲା,ବର୍ଷକର ଆହାର କେଉଁଠୁ ପାଇବ,ଏବଂ ଋଣ ଟଙ୍କା କେମିତି ସୁଝିବ? ଯାହାକୁ ନେଇ ଏବେ ସମସ୍ତେ ଚିନ୍ତାରେ!

ଏହି ପରିପ୍ରେକ୍ଷୀରେ ଆଜି ଆଳି ବ୍ଲକ ଗସ୍ତରେ ଆସି ଓଡିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ବନ୍ୟାଞ୍ଚଳ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି। ଆଳି ବ୍ଲକର ସର୍ବାଧିକ କ୍ଷତିଗ୍ରସ୍ତ ଅଞ୍ଚଳ ସଂସିଦା ଓ ପେତପଡା ପଂଚାୟତର ବନ୍ୟା ବିପନ୍ନଙ୍କ ସମସ୍ୟା ପଚାରିବୁଝିଥିଲେ। ମନ୍ତ୍ରୀଙ୍କ ଏହି ଗସ୍ତରେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ଓ ଆଳି ବ୍ଲକ ପ୍ରଶାସନର ଅଧିକାରୀ ମାନଙ୍କ ସହିତ ବନ୍ୟାର ବିସ୍ତୃତ ଆଲୋଚନା କରିବାସହିତ ତୁରନ୍ତ ବନ୍ୟା କ୍ଷତିଗ୍ରସ୍ତ ଚିହ୍ନଟ କରାଯାଇ ସରକାରୀ ସହାୟତା ଦିଆଯିବାକୁ ପ୍ରତିଶୃତି ଦେଇଥିଲେ। ତେବେ ଉପମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ବିରୋଧୀ ଦଳ ତାତ୍ସଲ୍ୟ କରିଛନ୍ତି।

Leave a Reply

Your email address will not be published. Required fields are marked *

Suchana Tv @2025. All Rights Reserved || Developed By CBSPL