Tuesday, 20 October 2026
ଓଡ଼ିଶା ମୁଖ୍ୟ ଖବର

ସାତ ଜୁଇ ନ ଲିଭୁଣୁ, ଜଳିଲା ଆଉ ଗୋଟେ ଜୁଇ।

ବେହେରା ପରିବାର ଉପରେ ପୁଣି ପଡ଼ିଛି ଦୁଃଖର ପାହାଡ଼। ମଧ୍ୟପ୍ରଦେଶର ଭୟଙ୍କର ଦୁର୍ଘଟଣାରେ ପରିବାରର ୭ ଜଣଙ୍କୁ ହରାଇବାର ଦୁଃଖ ଏଯାଏଁ ମନରୁ ଲିଭିନି। ସାତଟି ଜୁଇର ନିଆଁ ନ ଲିଭୁଣୁ ପୁଣି ଜଳିଛି ଆଉ ଗୋଟିଏ ଜୁଇ। ଆଉ ଏଥର ପରିବାର ହରାଇଛି ତା’ର ସବୁଠୁ ବୟୋଜ୍ୟେଷ୍ଠ ସଦସ୍ୟଙ୍କୁ।

ଗାଢ଼କାଣର ସବୁଠୁ ବୟସ୍କ ବ୍ୟକ୍ତି ତଥା ଶିବ ବେହେରାଙ୍କ ଜେଜେଙ୍କର ଆଜି ସକାଳ ପ୍ରାୟ ୫ଟା ସମୟରେ ନିଜ ବାସଭବନରେ ପରଲୋକ ଘଟିଛି। ତାଙ୍କ ବିୟୋଗରେ କେବଳ ବେହେରା ପରିବାର ନୁହେଁ, ସମଗ୍ର ଅଞ୍ଚଳରେ ଖେଳିଯାଇଛି ଶୋକର ଛାୟା।

ତାଙ୍କ ଜୀବନ ଥିଲା ଏକ ଜୀବନ୍ତ ଇତିହାସ। ସ୍ୱାଧୀନତା ଆନ୍ଦୋଳନର ସ୍ମୃତିଠାରୁ ଆରମ୍ଭ କରି ଗାନ୍ଧୀଙ୍କ ପଦଯାତ୍ରା ପର୍ଯ୍ୟନ୍ତ ଅନେକ ଐତିହାସିକ ଘଟଣାର ସେ ଥିଲେ ସାକ୍ଷୀ। ସ୍ୱାଧୀନତା ଆନ୍ଦୋଳନରେ ସାମିଲ ହେବା ସହ ମହାତ୍ମା ଗାନ୍ଧୀଙ୍କ ପଦଯାତ୍ରାରେ ମଧ୍ୟ ସାମିଲ ହୋଇଥିବା କୁହାଯାଏ।

ତାଙ୍କ ଦୀର୍ଘ ଜୀବନ ଓ ସାମାଜିକ ଅବଦାନ ପାଇଁ ରାଜ୍ୟପାଳଙ୍କଠାରୁ ଆରମ୍ଭ କରି ବିଭିନ୍ନ ସଂଗଠନ ପକ୍ଷରୁ ସେ ଅନେକଥର ସମ୍ବର୍ଦ୍ଧିତ ହୋଇଥିଲେ। ବୟସର ଶେଷ ପାହାଚରେ ମଧ୍ୟ ତାଙ୍କ ପାଖରେ ଥିଲା ପୁରୁଣା ଦିନର ଅନେକ ଅକୁହା କାହାଣୀ ଓ ସ୍ମୃତି।

ଗୋଟିଏ ପଟେ ୭ ଜଣଙ୍କ ମୃତ୍ୟୁର ଶୋକରେ ଭାଙ୍ଗିପଡ଼ିଥିବା ବେହେରା ପରିବାର, ଆଉ ଏବେ ପରିବାରର ସବୁଠୁ ବୟୋଜ୍ୟେଷ୍ଠ ମଣିଷଙ୍କୁ ହରାଇଛି। ସାତ ଜୁଇର ଧୂଆଁ ଆକାଶରୁ ନ ହଟୁଣୁ, ପୁଣି ଉଠିଛି ଆଉ ଏକ ଜୁଇର ଧୂଆଁ। ଏକ ଯୁଗର ଅବସାନ ଘଟିଛି, ଓଡ଼ିଶା ହରାଇଛି ଜଣେ ଯୋଗଜନ୍ମା ବ୍ୟକ୍ତିଙ୍କୁ।

Leave a Reply

Your email address will not be published. Required fields are marked *

Suchana Tv @2025. All Rights Reserved || Developed By CBSPL