Sunday, 17 May 2026
କ୍ରୀଡା

ବୈଭବଙ୍କୁ କ୍ରିକେଟର କରିବା ପାଇଁ ଜମି ବିକିଥିଲେ ବାପା; ସର୍ବକନିଷ୍ଠ ଆଇପିଏଲ ଖେଳାଳିଙ୍କ କାହାଣୀ

ନୂଆଦିଲ୍ଲୀ: “ଏହା କେବଳ ଏକ ନିବେଶ ନୁହେଁ, ଏହା ଏକ ବଡ ନିବେଶ। ମୁଁ ଆପଣଙ୍କୁ ଆଉ ଅଧିକ କ’ଣ କହିବି। ପୁଅ ପାଇଁ ଆମେ ଆମର ଜମି ବିକ୍ରି କରିଛୁ। ବର୍ତ୍ତମାନ ସୁଦ୍ଧା ମଧ୍ୟ ଆମ ଆର୍ଥିକ ସ୍ଥିତି ସମ୍ପୂର୍ଣ୍ଣ ସୁଧୁରିନାହିଁ | ବର୍ତ୍ତମାନ ସେ କେବଳ ମୋର ପୁଅ ନୁହଁନ୍ତି, ସେ ପୁରା ବିହାରର ପୁଅ।” ଏଭଳି କହି ଭାବବିହ୍ବଳ ହୋଇଯାଇଥିଲେ ବୈଭବ ସୂର୍ଯ୍ୟବଂଶୀଙ୍କ ବାପା ସଞ୍ଜୀବ ସୂର୍ଯ୍ୟବଂଶୀ | ଆଇପିଏଲ୍ ୨୦୨୫ର ମେଗା ନିଲାମିରେ ବୈଭବ ଇତିହାସ ସୃଷ୍ଟି କରିଛନ୍ତି | ନଭେମ୍ବର ୨୫ରେ ତାଙ୍କୁ ୧.୧୦କୋଟି ଟଙ୍କାରେ କିଣିଥିଲା ରାଜସ୍ଥାନ ରୟାଲ୍ସ। ମାତ୍ର ୧୩ବର୍ଷ ବୟସରେ ସେ କୋଟିପତି ହୋଇଥିବାରୁ ଏବେ ତାକୁ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଛି। ଏମଧ୍ୟରେ ତାଙ୍କ ବାପା ତାଙ୍କୁ ଏହି ସଫଳତା ଦେବା ପାଇଁ କେତେ ସଂଘର୍ଷ କରିଥିଲେ ତାହା ଜଣାଇଛନ୍ତି।

ବୈଭବ ବିହାରର ସମସ୍ତିପୁର ସହରରେ ଥିବା ମୋତିପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ୮ବର୍ଷ ହୋଇଥିବା ବେଳେ ବୈଭବଙ୍କର କ୍ରିକେଟ ପ୍ରତି ଭଲପାଇବା ଥିବା ଜାଣିସାରିଥିଲେ ବାପା ସଞ୍ଜୀବ। ଏହା ପରେ ସେ ପୁଅର କ୍ରିକେଟର ହେବାର ସ୍ବପ୍ନକୁ ପୂରଣ କରିବେ ବୋଲି ନିଷ୍ପତ୍ତି ନେଇଥିଲେ । ୮ବର୍ଷ ବୟସରୁ ହିଁ ଆରମ୍ଭ ହୋଇଥିଲା ବୈଭବଙ୍କ କ୍ରିକେଟର ହେବାର ଯାତ୍ରା।

ସଫଳତା ପାଇବା ପାଇଁ ପୁଅ କରିଥିବା ସଂଘର୍ଷ ବିଷୟରେ କହିବାକୁ ଯାଇ ସଞ୍ଜୀବ କହିଥିଲେ, “ମୋ ପୁଅ ବହୁତ କଠିନ ପରିଶ୍ରମ କରିଛି। ୮ବର୍ଷ ବୟସରେ ସେ ଅଣ୍ଡର-୧୬ ଜିଲ୍ଲା ପରୀକ୍ଷାରେ ଭଲ ପ୍ରଦର୍ଶନ କରିଥିଲେ। ମୁଁ ତାଙ୍କୁ କ୍ରିକେଟ୍ କୋଚିଂ ପାଇଁ ସମସ୍ତିପୁରରୁ ଘରକୁ ନେବା ଆଣିବା କରୁଥିଲି। କିଛି ମାସ ପରେ ତାଙ୍କ ପ୍ରଶିକ୍ଷଣ ପାଇଁ ଅଧିକ ଟଙ୍କା ଦରକାର ହେବାରୁ ମୁଁ ଜମି ବିକି ଦେଇଥିଲି। ଏଥିପାଇଁ ଆମ ଅର୍ଥିକ ଅବସ୍ଥା ଏବେଯାଏ ସୁଧୁରି ନାହିଁ। ହେଲେ ଆଇପିଏଲ ନିଲାମିରେ ରାଜସ୍ଥାନ ରୟାଲ୍ସ ତାଙ୍କୁ କିଣିବା ପରେ ଆମର ସବୁ ଦୁଃଖ ଦୂର ହୋଇଛି। ଏବେ ସେ‌ କେବଳ ଆମର ନୁହେଁ ସାରା ବିହାରର ପୁଅ।”

Leave a Reply

Your email address will not be published. Required fields are marked *

Suchana Tv @2025. All Rights Reserved || Developed By CBSPL