Sunday, 17 May 2026
ମୁଖ୍ୟ ଖବର

ନୂଆ ରେକର୍ଡ ହାସଲ କଲା ଅମୁର୍ ଫାଲକନ୍, ୫ ଦିନରେ କଲା ୫ ହଜାର କିମି ଯାତ୍ରା

ନୂଆ ରେକର୍ଡ ହାସଲ କଲା ବିଶ୍ୱର ସବୁଠାରୁ ଆଶ୍ଚର୍ଯ୍ୟଜନକ ପକ୍ଷୀ ଅମୁର୍ ଫାଲକନ୍ । ଆକାରରେ ଛୋଟ, କିନ୍ତୁ କାମରେ ବଡ଼ । ମାତ୍ର ୫ ଦିନରେ ୫ ହଜାର କିଲୋମିଟର ଯାତ୍ରା । ଶୁଣିବାକୁ ହୁଏତ ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ ଆପଣ ଦେଖୁଥିବା ଏ କୁନି ପକ୍ଷୀ ମାତ୍ର କିଛି ଦିନରେ ୫ରୁ ୬ ହଜାର କିଲୋମିଟର ଯାତ୍ରା କରି ଜିମ୍ବାୱେ ଓ କେନ୍ୟାରେ ପହଞ୍ଚି ରେକର୍ଡ ସ୍ରୁଷ୍ଟି କରିଛି ।

ଭାରତର ମଣିପୁରରୁ ଉଡ଼ିଥିବା ତିନୋଟି ଅମୁର ଫାଲକନ୍ ଜାତୀୟ ପକ୍ଷୀ ଯଥା- ଆପାପାଙ୍ଗ୍, ଆଲାଙ୍ଗ୍ ଏବଂ ଆହୁ – ମାତ୍ର କିଛି ଦିନରେ ଦକ୍ଷିଣ ଆଫ୍ରିକାରେ ପହଞ୍ଚିଛନ୍ତି । କିଛି ଦିନରେ ହଜାର ହଜାର କିଲୋମିଟର ଯାତ୍ରା କରି ନୂଆ ରେକର୍ଡ ସ୍ଥାପନ କରିଛନ୍ତି ଏହି କୁନି ପକ୍ଷୀ । ସାଟେଲାଇଟ୍-ଟ୍ୟାଗ୍ ଲାଗିଥିବା ତିନୋଟି ଅମୁର ଫାଲକନ୍ ଡିସେମ୍ବରରେ ଏସିଆରୁ ଆଫ୍ରିକା ପର୍ଯ୍ୟନ୍ତ ବାହାରିଥିଲେ । ଏହି ୩ କୁନି କୁନି ପକ୍ଷୀ ପାଞ୍ଚରୁ ଛଅ ଦିନରେ ହିଁ ୫ ହଜାର ରୁ ୬ ହଜାର କିଲୋମିଟର ଉଡ଼ି ଜିମ୍ବାୱେ, କେନିଆ ଏବଂ ସୋମାଲିଆରେ ପହଞ୍ଚିଥିଲେ ।

ପୁଣି ଥରେ ବିଶ୍ୱବ୍ୟାପୀ ପକ୍ଷୀ ବିଶେଷଜ୍ଞ ଏବଂ ସଂରକ୍ଷଣବାଦୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଏହି ତିନୋଟି ପକ୍ଷୀ । ନାରଙ୍ଗୀ ଟ୍ୟାଗ୍ ଲାଗିଥିବା ଅପାପାଙ୍ଗ ନଭେମ୍ବର ମାସରେ ମାତ୍ର ଛଅ ଦିନରେ ପ୍ରାୟ ୬, ୧୦୦ କିଲୋମିଟର ଦୂରତା ଅତିକ୍ରମ କରିଥିଲା । ଏହି ଉଡ଼ାଣ ଭାରତ, ଆରବ ସାଗର ଏବଂ ଆଫ୍ରିକାର ହର୍ଣ୍ଣ ଅଞ୍ଚଳ ପାର କରି କେନିଆରେ ଶେଷ ହୋଇଥିଲା । ଏକ ଛୋଟ ଶିକାରୀ ପକ୍ଷୀର ଏତେ ଲମ୍ବା ଯାତ୍ରାକୁ ବିରଳ ବୋଲି କୁହାଯାଉଛି ।

ତିନି ଜଣଙ୍କ ମଧ୍ୟରୁ ସବୁଠାରୁ ଛୋଟ ଅଲାଙ୍ଗ ପକ୍ଷୀଟି ପ୍ରାୟ ୫,୬୦୦ କିଲୋମିଟର ଯାତ୍ରା କରିଥିଲା । ହଳଦିଆ ଟ୍ୟାଗ୍ ଲାଗିଥିବା ଏହି ପକ୍ଷୀ କେନିଆରେ ପହଞ୍ଚିବା ପୂର୍ବରୁ ତେଲେଙ୍ଗାନା ଏବଂ ମହାରାଷ୍ଟ୍ରରେ  ଅଟକିଥିଲା । ଲାଲ ଟ୍ୟାଗ୍ ଲାଗିଥିବା ଆହୁ ପକ୍ଷୀଟି ପ୍ରଥମେ ବାଂଲାଦେଶରେ ବିଶ୍ରାମ ନେଇଥିଲା ଏବଂ ପରେ ସୋମାଲିଆରେ ପହଞ୍ଚିବା ପାଇଁ ଆରବ ସାଗର ପାର ହୋଇ ୫,୧୦୦ କିଲୋମିଟର ଉଡ଼ିଥିଲା । ୱାଇଲ୍ଡ ଲାଇଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ବୈଜ୍ଞାନିକ ଡକ୍ଟର ସୁରେଶ କୁମାର ଏହି ପକ୍ଷୀମାନଙ୍କ ଉପରେ ସାଟେଲାଇଟ୍ ଟ୍ୟାଗ୍ ଲଗାଇଥିଲେ । ଏହି ଟ୍ୟାଗ ଦ୍ବାରା ପକ୍ଷୀମାନଙ୍କର ସ୍ଥାନ ଏବଂ ଉଡ଼ାଣ ଶୈଳୀ ଜଣା ପଡ଼ିଥାଏ ।

Leave a Reply

Your email address will not be published. Required fields are marked *

Suchana Tv @2025. All Rights Reserved || Developed By CBSPL