Sunday, 17 May 2026
କଟକ ରାଜ୍ୟ ଖବର

ଗାଁରେ ଦେଖିବାକୁ ମିଳୁଛି ଶଗଡ ଗାଡି, ଏବେ ବି ବଞ୍ଚି ରହିଛି ପୁରୁଣା ପରମ୍ପରା

ସେତେବେଳର ମାଗୁଣି ଆଉ ନାହାନ୍ତି ସତ କିନ୍ତୁ ମାଗୁଣିର ହଳ ଶଗଡ ବଳଦ ଏବେ ବି ରହିଛି । ସମୟର ପଥ ଗଡ଼ି ଚାଲିଛି, ତା ଭିତରେ କିଛି ସ୍ଥାନରେ ଆଜି ବି ଲୋକେ ପୁରୁଣା ପରମ୍ପରାକୁ ଜାବୁଡ଼ି ଧରିଛନ୍ତି । ଶଗଡ଼ ସହ ଲଙ୍ଗଳ ଧରି ଚାଷ କରୁଛନ୍ତି ଚାଷୀ । ଧାନ କଟା ହେବା ପରେ ଶଗଡ଼ରେ ଧାନ ବୋହି ନେଉଛନ୍ତି ଘରକୁ । ଏହା ସହ ଆଧୁନିକ ଯନ୍ତ୍ରପାତିକୁ ମଧ୍ୟ ଟକ୍କର ଦେଉଛି ଏହି ହଳ ଶଗଡ  । ଆଜି ବି କଟକ ଜିଲ୍ଲା ବଡମ୍ବା  ଓ ନରସିଂହପୁରର ପ୍ରତ୍ୟେକ ଗାଁରେ ଦେଖିବାକୁ ମିଳୁଛି ବଳଦ ଓ କାଠ ତିଆରି ଶଗଡ ଗାଡି । ଚାଷର ପ୍ରଣାଳୀ ବଦଳିଛି ହେଲେ ଚାଷୀ ତାର ପୁରୁଣା ପାରମ୍ପରିକ ଚାଷ ପରିବର୍ତ୍ତନ କରିନାହିଁ ।

ବର୍ତ୍ତମାନର ମହଙ୍ଗା ଯୁଗରେ ଲୋକମାନେ କେମିତି କମ୍ ପରିଶ୍ରମରେ କାମ ହୋଇଯିବ ସେନେଇ ବିଭିନ୍ନ ଉପାୟ ଆପଣାଉଛନ୍ତି । ମଣିଷର ବିଭିନ୍ନ କାମ ପାଇଁ ବିଭିନ୍ନ ଯନ୍ତ୍ରପାତି ବି ବାହାରିଲାଣି । ଲୋକମାନେ ପୁରୁଣା  ପରମ୍ପରାକୁ ଭୁଲି ନୂଆ ପରମ୍ପରାକୁ ଆପଣେଇବାରେ ବ୍ୟସ୍ତ । ଯାହା ଫଳରେ ଲୋକମାନଙ୍କର ଅଧିକ କାମ ହେବା ସହ  ସମୟ ବି ବଞ୍ଚୁଛି, ହେଲେ ଆଜି ବି ସେହି ପୁରୁଣା ପରମ୍ପରାକୁ ଜାବୁଡି ରଖିଛନ୍ତି କଟକ ଜିଲ୍ଲାର ବଡମ୍ବା ଓ ନରସିଂହପୁର ଅଞ୍ଚଳବାସୀ । ବିଭିନ୍ନ ସମୟରେ ଓ ଭିନ୍ନ ଭିନ୍ନ ଗାଁରେ  ଦେଖିବାକୁ ମିଳୁଛି ହଳ ଶଗଡ ଓ  କସରା  କାଳିଆ  ବଳଦ । ଲୋକମାନେ ଚାଷ ପାଇଁ ଆଧୁନିକ ପ୍ରଣାଳୀକୁ ଆଦରି ନେଉଥିବାବେଳେ ଏଠାକାର ଲୋକେ ହଳ ଲଙ୍ଗଳ ଚାଷରେ ସନ୍ତୁଷ୍ଟ  ।

ଖରା ବର୍ଷା ସବୁ ସମୟରେ ହଳ ଲଙ୍ଗଳ ପ୍ରତ୍ୟେକ ଜାଗାକୁ ଯାଇପାରିବ  । କିନ୍ତୁ ଟ୍ରାକ୍ଟର ଯାଇପାରିବ ନାହିଁ ।  ଏହା ବ୍ୟତୀତ  ଟ୍ରାକ୍ଟର ଚାଷରେ ସମୟ କମ ହେଲେବି  ଅଧିକ ଖର୍ଚ୍ଚ  ।  ତେଣୁ ଯାନ୍ତ୍ରିକ ଚାଷ ଅପେକ୍ଷା ହଳ ଚାଷ  ସବୁଠାରୁ ଭଲ ବୋଲି କହିଛନ୍ତି ଚାଷୀ  । ତେବେ ବର୍ଷା ହେଲେ ଟ୍ରାକ୍ଟର ବିଲ ଭିତରେ ପଶିବା କଷ୍ଟ ହୋଇଥିବାବେଳେ  ହଳ ଲଙ୍ଗଳ ବିନା ବାଧାରେ ଯାଇପାରିବ  । ନିଜ ମନ ମୁତାବକ  କାମ କରିପାରୁଥିବାରୁ ଚାଷୀମାନେ ଖୁସି ଥିବା ମତ ଦେଇଛନ୍ତି   ।

ହଳ ଲଙ୍ଗଳରେ ଚାଷ କଲେ ଶରୀର ସୁସ୍ଥ ରହିବା ସହ ଚାଷ ଜମି ଠିକ୍ ଠାକ୍ ରହିବ । ବିଭିନ୍ନ ପର୍ବ ପର୍ବାଣୀରେ ଯଥା ଅକ୍ଷୟତୃତୀୟାରେ ଚାଷ ଅନୁକୂଳ ହଳରେ ହୁଏ କିନ୍ତୁ ଏବେ ସେସବୁ ହେଉ ନାହିଁ ।  କିନ୍ତୁ ଏଠାକାର ଚାଷୀ ଆଜି ବି ହଳ ଳଙ୍ଗଳ ଧରି ଚାଷ କରୁଥିବାରୁ ବଞ୍ଚି ରହି ପାରିଛି ପୁରୁଣା ପରମ୍ପରା । ଆଜିର ଦୁନିଆରେ ଲୋକେ ଆଧୁନିକତାକୁ ଗଲେ ବି ସେହି ପୁରୁଣା ପରମ୍ପରା ସଦା ସର୍ବଦା ପର ପିଢ଼ୀ ପାଇଁ ଦିଗଦର୍ଶନ ହୋଇ ରହିବ ଏତିରେ ତିଳେ ମାତ୍ର ସନ୍ଦେହ ନାହିଁ ।

Leave a Reply

Your email address will not be published. Required fields are marked *

Suchana Tv @2025. All Rights Reserved || Developed By CBSPL