Sunday, 17 May 2026
ମୁଖ୍ୟ ଖବର ରାଜ୍ୟ ଖବର

ସ୍ୱାମୀର ପରକିୟା ପ୍ରୀତି ସହିପାରିଲାନି ସ୍ତ୍ରୀ, ଥାନାର ଦ୍ୱାରସ୍ଥ ହୋଇ ମାଗୁଛି ନ୍ୟାୟ

ସ୍ୱାମୀଙ୍କ ପରକିୟା ପ୍ରୀତିରେ ଅତିଷ୍ଠ ହୋଇ ନ୍ୟାୟ ପାଇଁ ଥାନାର ଦ୍ବାରସ୍ଥ ହୋଇଛନ୍ତି ଜଣେ ୨୭ ବର୍ଷୀୟ ବିବାହିତା ମହିଳା । ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା ଅନ୍ତର୍ଗତ ଅଡଙ୍ଗ ପନ୍ତେଇ ଗାଁର ମମତା ରାଣୀ ମାଝି ଶ୍ବଶୁର ଘର ଲୋକଙ୍କ ନିର୍ଯାତନାର ଶିକାର ହୋଇ ଭୋଗରାଇ ଥାନାର ଦ୍ବାରସ୍ଥ ହୋଇ ନ୍ୟାୟ ପାଇଁ ବାରମ୍ବାର ଥାନାକୁ ଦୌଡୁଥିବା କହିଛନ୍ତି ।

ସୂଚନା ଅନୁଯାୟୀ ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ଗଡସାହି ବାଲିଆପାଳ ଗାଁର ବରେନ୍ଦ୍ର କୁମାର ମାଝୀଙ୍କ ଝିଅ ମମତା ରାଣୀ ମାଝୀ ଗତ ୨୦୨୪ ମସିହା ଜୁନ୍ ୭ ତାରିଖରେ ଅଡଙ୍ଗ ପନ୍ତେଇ ଗାଁର ବିମଳ ବେଜଙ୍କ ପୁତ୍ର ସଞ୍ଜୟ କୁମାର ବେଜଙ୍କୁ ବିବାହ କରିଥିଲେ । ମାତ୍ର ମମତାଙ୍କ ଅଭିଯୋଗ ଅନୁଯାୟୀ ବିବାହର ମାତ୍ର ୮ ଦିନ ପରେ ଶାଶୁଘର ଲୋକେ ଅଧିକ ଯୌତୁକ ଦାବି କରି ଛୋଟ ଛୋଟ କଥାରେ ମାରପିଟ କରିବା ସହ ବାପଘରୁ ଯୌତୁକ ନ ଆଣିଲେ ଜୀବନରୁ ମାରି ଦେବାର ଧମକ ବି ଦେଉଥିଲେ । ଏପରିକି ସ୍ବାମୀଙ୍କ ଦ୍ଵିତୀୟ ବିବାହର ଧମକ ସହ ଅନେକ ସମୟରେ ପରିବାର ଲୋକେ ମମତାଙ୍କୁ ଖାଇବାକୁ ନଦେଇ ଉପାସରେ ରଖୁଥିଲେ । ଏଥିପାଇଁ ବାରମ୍ବାର ବୈଠକରେ ସମାଧାନ ହୋଇଥିଲେ ମଧ୍ୟ ଅତ୍ୟାଚାରର ଶିକାର ହୋଇଥିଲେ ମମତା । ଏନେଇ ମମତା ମାଡ଼ ଭୟରେ ବାପ ଘରକୁ ପଳାଇ ଆସିଥିଲେ । ସେହି ଦିନରୁ ସମସ୍ତ ଯୋଗାଯୋଗ ବିଚ୍ଛିନ୍ନ କରିବା ସହ ମମତାଙ୍କୁ ବୋହୁର ଅଧିକାର ଦେଉ ନଥିଲେ ମମତାଙ୍କ ଶାଶୁଘର ଲୋକେ ।

ତେବେ ସ୍ୱାମୀ ସଞ୍ଜୟ ବାହାର ରାଜ୍ୟରେ ଦାଦନ ଶ୍ରମିକ ଭାବେ କାମ କରୁଥିବା ବେଳେ ଅନ୍ୟ ମହିଳାଙ୍କ ସହ ପରକିୟା ପ୍ରିତୀରେ ଲିପ୍ତଥିବା ଅଭିଯୋଗ ହୋଇଛି । ତେବେ ଗତ ନଭେମ୍ବର ୨ ତାରିଖରେ ସଞ୍ଜୟ ଗାଁକୁ ଫେରିଥିବା ନେଇ ମମତା ଜାଣିବା ପରେ ଶ୍ବଶୁର ଘରକୁ ଆସିଥିଲେ । କିନ୍ତୁ ଶାଶୁ ଶ୍ବଶୁର ମମତାଙ୍କୁ ଦେଖି ଗାଳି ଗୁଲଜ କରିବା ସହ ମାରିବାକୁ ଚେଷ୍ଟା କରିଥିଲେ ବୋଲି ଅଭିଯୋଗ କରିଛନ୍ତି ମମତା । ଜୀବନ ବିକଳରେ ମମତା ପୁଣି ନିଜ ବାପାଘରକୁ ପଳାଇ ଆସିଥିଲେ । ନ୍ୟାୟ ପାଇଁ ମମତା ଭୋଗରାଇ ଥାନାର ଦ୍ବାରସ୍ଥ ହୋଇଥିବା ବେଳେ ଅଭିଯୋଗକୁ ଭିତ୍ତି କରି ମାମଲା ରୁଜୁ କରି ତଦନ୍ତ ଚଳାଇଛି ପୋଲିସ । ଏନେଇ ପୋଲିସର ପ୍ରତିକ୍ରିୟା ମିଳି ପାରିନି । ସେପଟେ ଶାଶୁଘର ଲୋକଙ୍କର ବି ପ୍ରତିକ୍ରିୟା ମିଳିପାରିନି ।

Leave a Reply

Your email address will not be published. Required fields are marked *

Suchana Tv @2025. All Rights Reserved || Developed By CBSPL