ହଠାତ ଓଡ଼ିଶାରେ ପହଞ୍ଚିଲେ ପ୍ରସିଦ୍ଧ କଣ୍ଠଶିଳ୍ପୀ ଅରିଜିତ ସିଂ । କିଛି ସୂଚନା ନଥାଇ ଯାଜପୁର ଜିଲ୍ଲାର ଗଡ଼ମଧୁପୁର ରାଜବାଟିରେ ପହଞ୍ଚିଥିଲେ ଅରିଜିତ ସିଂ। ରାଜବାଟି ପରିସର ବୁଲିବା ସହ ଫ୍ୟାନ୍ସଙ୍କୁ ଭେଟିଲେ । ଏହି ସମୟରେ ସାଦା ପୋଷାକରେ ନଜର ଆସିଥିଲେ ଅରିଜିତ୍ ସିଂ । ଅରିଜିତଙ୍କୁ ପାଖରେ ପାଇ ଘେରି ଯାଇଥିଲେ ଫ୍ୟାନ୍ସ । କିଏ ସେଲ୍ଫି ନେଉଥାଏ ତ କିଏ ଭିଡିଓ କରୁଥାଏ । ନିଜ ମନ ପସନ୍ଦର ଗାୟକଙ୍କୁ ହଠାତ ପାଖରେ ପାଇ ଖୁସିରେ ବିଭୋର ହୋଇ ଉଠିଥିଲେ ପିଲା ଠୁ ବୟସ୍କ ।

ଗତ କାଲି ଅର୍ଥାତ ୨୯ ତାରିଖ ଅପରାହ୍ନ ସମୟରେ ହଠାତ ଅରିଜିତ ସିଂ ଗଡ଼ମଧୁପୁର ରାଜବାଟିରେ ପହଞ୍ଚିଥିଲେ । ସେଠାରେ ଗଡ଼ମଧୁପୁର ରାଣୀ ଅପର୍ଣ୍ଣା ଧୀର ସିଂ ତାଙ୍କୁ ସ୍ୱାଗତ କରିବା ସହ ରାଜବାଟିକୁ ପାଛୋଟି ନେଇଥିଲେ । ଅରିଜିତ ରାଜବାଟି ଭିତରେ ପ୍ରାୟ ଅଧ ଘଣ୍ଟାଏ ରହିଥିଲେ । ତେବେ ରାଜବାଟିରୁ ଅରିଜିତ ବାହାରିବା ପରେ ଲୋକେ ତାଙ୍କୁ ଦେଖିବାକୁ ଅପେକ୍ଷା କରିଥିବା ଜାଣି ସେ ନିକଟରେ ଥିବା ପଡିଆକୁ ଆସି ସମସ୍ତଙ୍କ ସହ ଫଟୋ ଉଠାଇଥିଲେ । ଛୋଟ ପିଲା ଠାରୁ ଆରମ୍ଭ କରି ଯୁବକ ପର୍ଯ୍ୟନ୍ତ ସମସ୍ତେ ଅରିଜିତଙ୍କୁ ଏତେ ପାଖରେ ପାଇ ସେଲ୍ଫି ନେବା ପାଇଁ ଭିଡ଼ ଲଗାଇଥିବା ଦେଖିବାକୁ ମିଳିଥିଲା ।

ବେଶ ଚର୍ଚ୍ଚିତ କଳାକାର ହେଉଛନ୍ତି ଅରିଜିତ ସିଂ । ହିନ୍ଦୀ ଗାୟକଙ୍କ ମଧ୍ୟରେ ସେ ଜଣେ ଆଗ ଧାଡିର ସଫଳ କଳାକାର ଭାବେ ଖୁବ ପରିଚିତ । ଅରିଜିତ ସିଂ ଜଣେ ଏଭଳି ସିଙ୍ଗର ଯିଏ ନିଜ ସ୍ୱରରେ ସମସ୍ତଙ୍କ ହୃଦୟକୁ ଜିତିବାରେ ସଫଳ ହୋଇପାରିଛନ୍ତି । ଖୁବ କମ ବୟସରେ ସମସ୍ତଙ୍କ ପସନ୍ଦର କଳାକାର ହୋଇପାରିଛନ୍ତି ଅରିଜିତ । ନିଜର ହସ ହସ ଚେହେରାରେ ପ୍ରଶଂସକଙ୍କୁ ବାନ୍ଧି ରଖିପାରିବାର କାଇଦା ଅରିଜିତ ସିଂଙ୍କୁ ବେଶ ମାଲୁମ । ତେବେ ଗଡ଼ମଧୁପୁର ଅଞ୍ଚଳକୁ ଅରିଜିତଙ୍କ ଏହି ଅଚାନକ ଗସ୍ତର କାରଣ ସ୍ପଷ୍ଟ ଜଣାପଡିନାହିଁ ।





