ପଶ୍ଚିମବଙ୍ଗର ଉତ୍ତର 24 ପ୍ରଗଣା ଜିଲ୍ଲାର ମଧ୍ୟମଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ଘଟିଥିବା ଏକ ଗୁଳିକାଣ୍ଡ ସମଗ୍ର ରାଜ୍ୟର ରାଜନୀତିକ ପରିସ୍ଥିତିକୁ ଉତ୍ତେଜିତ କରିଦେଇଛି। ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟକ୍ତିଗତ ସହାୟକ ତଥା ଘନିଷ୍ଠ ସହଯୋଗୀ ଚନ୍ଦ୍ରନାଥ ରଥଙ୍କୁ ଅଜ୍ଞାତ ଦୁର୍ବୃତ୍ତମାନେ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ଆସିଛି। ଏହି ଘଟଣା ପରେ ବିଜେପି ନେତା ଓ କର୍ମୀମାନଙ୍କ ମଧ୍ୟରେ ଭାରୀ କ୍ଷୋଭ ଦେଖାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆକ୍ରମଣକାରୀଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣାପଡ଼ିନଥିବା ବେଳେ, ଏହା ପଛରେ ରାଜନୈତିକ ଷଡଯନ୍ତ୍ର ରହିଥିବା ଅଭିଯୋଗ ମଧ୍ୟ ଉଠୁଛି। ଚନ୍ଦ୍ରନାଥ ରଥ ଶୁଭେନ୍ଦୁ ଅଧିକାରୀଙ୍କ ନିକଟତମ ବିଶ୍ୱସ୍ତ ସହଯୋଗୀ ଭାବେ ପରିଚିତ ଥିଲେ। ନନ୍ଦିଗ୍ରାମ ଓ ଭବାନୀପୁର ବିଧାନସଭା ନିର୍ବାଚନ ସମୟରେ ସେ ପ୍ରଚାର ଓ ସଂଗଠନ କାର୍ଯ୍ୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ।
ପିଟିଆଇ ରିପୋର୍ଟ ଅନୁସାରେ, ୪୧ ବର୍ଷୀୟ ଚନ୍ଦ୍ରନାଥ ରଥ ପୂର୍ବ ମେଦିନୀପୁର ଜିଲ୍ଲାର ଚାନ୍ଦିପୁର ଅଞ୍ଚଳର ନିବାସୀ ଥିଲେ। ସେ ରାହାରା ରାମକୃଷ୍ଣ ମିଶନରେ ପଢ଼ାଶୁଣା କରିଥିଲେ ଏବଂ ପ୍ରାୟ 20 ବର୍ଷ ଭାରତୀୟ ବାୟୁସେନାରେ କାର୍ଯ୍ୟ କରିଥିଲେ। ପରେ ସେ ସ୍ୱେଚ୍ଛାକୃତ ଅବସର ନେଇ କର୍ପୋରେଟ୍ କ୍ଷେତ୍ରରେ କାମ କରିଥିଲେ। ତା’ପରେ ଧୀରେ ଧୀରେ ରାଜନୀତିକ ସଂଗଠନ ଓ ପ୍ରଶାସନିକ କାର୍ଯ୍ୟରେ ସକ୍ରିୟ ହୋଇଥିଲେ। ଚନ୍ଦ୍ରନାଥଙ୍କ ପରିବାର ପୂର୍ବରୁ ତୃଣମୂଳ କଂଗ୍ରେସ ସହ ଜଡିତ ଥିଲା। ତାଙ୍କ ମାଆ ହସି ରଥ ଟିଏମସି ସମୟରେ ସ୍ଥାନୀୟ ପଞ୍ଚାୟତ ସଂସ୍ଥାରେ ଦାୟିତ୍ୱ ନିଭାଇଥିଲେ। ପରେ ୨୦୨୦ରେ ଶୁଭେନ୍ଦୁ ଅଧିକାରୀଙ୍କ ସହ ପରିବାର ବିଜେପିରେ ଯୋଗ ଦେଇଥିଲା ।

୨୦୧୯ରୁ ଚନ୍ଦ୍ରନାଥ ଶୁଭେନ୍ଦୁଙ୍କ ସହ ଘନିଷ୍ଠ ଭାବେ କାମ କରୁଥିଲେ ଏବଂ ପରେ ତାଙ୍କ ପିଏ ଭାବେ ଦଳୀୟ କାର୍ଯ୍ୟ, ପ୍ରଚାର ପରିଚାଳନା ଓ ସମନ୍ୱୟ କାର୍ଯ୍ୟ ସମ୍ଭାଳୁଥିଲେ।
ବିଜେପି ନେତ୍ରୀ ଶ୍ରୀରୂପା ମିତ୍ର ଚୌଧୁରୀ କହିଛନ୍ତି ଯେ ଚନ୍ଦ୍ରନାଥ ଜଣେ ଅତ୍ୟନ୍ତ ନିଷ୍ଠାବାନ ଓ ଭଲ ମଣିଷ ଥିଲେ। ଅଗ୍ନିମିତ୍ର ପଲ୍ ମଧ୍ୟ ତାଙ୍କୁ “ମିଷ୍ଟର ଡିପେଣ୍ଡେବଲ୍” ବୋଲି ବର୍ଣ୍ଣନା କରି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଏହି ଘଟଣା ପରେ ପଶ୍ଚିମବଙ୍ଗରେ ରାଜନୀତିକ ପରିସ୍ଥିତି ଅଧିକ ସମ୍ବେଦନଶୀଳ ହୋଇପଡ଼ିଛି। ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଛି ଏବଂ ଶୀଘ୍ର ଦୋଷୀଙ୍କୁ ଗିରଫ କରାଯିବ ବୋଲି କୁହାଯାଇଛି।
