Sunday, 17 May 2026
କ୍ରୀଡା

ଆଡିଲେଡ୍ ପାଇଁ ଅଙ୍କକଷା ଆରମ୍ଭ: ରୋହିତ ଫେରିବା ପରେ ସୁଖଦ ଦ୍ବନ୍ଦ୍ବ

ପର୍ଥ ଟେଷ୍ଟ୍‌ରେ ଭାରତର ଦମ୍‌ଦାର ବିଜୟ ପରେ ଏବେ ଆଡିଲେଡ୍‌ରେ ଭାରତକୁ ଆହୁରି ମଜବୁତ୍‌ କରିବା ପାଇଁ ଦଳ ସହିତ ଯୋଗଦେଇସାରିଛନ୍ତି ଅଧିନାୟକ ରୋହିତ ଶର୍ମା। ଦେବଦତ୍ତ ପଡ଼ିକଲଙ୍କ ସ୍ଥାନରେ ରୋହିତ ଖେଳିବା ସ୍ପଷ୍ଟ ହୋଇଛି। ଯଶସ୍ବୀ ଜୟସ୍ବାଲ୍‌ଙ୍କ ସହିତ ରୋହିତ ପାଳି ଆରମ୍ଭ କରିବେ। ଏପରି ହେଲେ କେଏଲ୍ ରାହୁଲ୍‌ କେଉଁ ସ୍ଥାନରେ ଖେଳିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି। ‌ରାହୁଲ୍‌ ସମ୍ଭବତଃ ପଡ଼ିକଲଙ୍କ ସ୍ଥାନରେ ତୃତୀୟ ନମ୍ବରରେ ଖେଳିବାକୁ ଛଡ଼ାଯାଇପାରେ। ତଥାପି ଶୁବମନ ଗିଲ୍‌ଙ୍କ ସୁସ୍ଥତା ଉପରେ ଏହା ନିର୍ଭର କରିବ। ଅନ୍ୟପକ୍ଷରେ କିଛି ବିଶେଷଜ୍ଞଙ୍କ କହିବାନୁସାରେ ରାହୁଲ୍‌ ପ୍ରାରମ୍ଭିକ ବ୍ୟାଟିଂ କରି ଭଲ ସଫଳତା ପାଇଥିବାରୁ ରୋହିତ ମଧ୍ୟକ୍ରମରେ ଖେଳିପାରନ୍ତି। ୫ କିମ୍ବା ୬ ନମ୍ବର ସ୍ଥାନରେ ସେ ବ୍ୟାଟିଂକୁ ଆସି ଦଳକୁ ଫାଇଦାରେ ରଖିବାକୁ ଚାହିପାରନ୍ତି। ପର୍ଥରେ ରୋହିତଙ୍କ ଅନୁପସ୍ଥିତିରେ ରାହୁଲ୍‌ ଅସ୍ଥାୟୀ ଭାବେ ପାଳି ଆରମ୍ଭ କରିଥିଲେ। କିନ୍ତୁ ଉଭୟ ପାଳିରେ ୨୬ ଓ ୭୭ ରନ୍‌ କରି ଭାରତକୁ ଦୃଢ଼ତା ପ୍ରଦାନ କରିଥିଲେ। ଏଥିପୂର୍ବରୁ ଅଷ୍ଟ୍ରେଲିଆରେ ‘ଏ’ ଦଳୀୟ ମ୍ୟାଚ୍‌ରେ ରାହୁଲ ଖେଳି ଅଭିଜ୍ଞତା ସାଉଁଟିଥିବାରୁ ତାହା ତାଙ୍କୁ ସୁବିଧାରେ ରଖିଥିଲା।

ଗତ ୫ ବର୍ଷ ଧରି ରୋହିତ ଭାରତୀୟ ଦଳରେ ଶୀର୍ଷ ସ୍ଥାନରେ ବ୍ୟାଟିଂ କରୁଛନ୍ତି। କିନ୍ତୁ ଅଷ୍ଟ୍ରେଲିଆ ଭଳି ଆହ୍ବାନପୂର୍ଣ୍ଣ ଦେଶରେ ପରବର୍ତ୍ତୀ ୪ ଟେଷ୍ଟ୍‌ରେ ତାଙ୍କୁ ଆକ୍ରମଣ କରିବାକୁ ହେବ। ଏଠାକାର ବାଉନ୍ସିଂ ପିଚ୍‌ରେ ତାଙ୍କୁ ପୁଲ୍‌ ସଟ୍‌ ଖେଳିବାକୁ ସହଜ ହେବ। ତେଣୁ ଦ୍ବିତୀୟ ଟେଷ୍ଟ୍‌ରୁ ସେ ତାଙ୍କର ଲୟ ଫେରିପାଇବାକୁ ନିଶ୍ଚୟ ଚେଷ୍ଟା କରିବେ। ଗିଲ୍‌ ଶୃଙ୍ଖଳା ଆରମ୍ଭ ହେବା ପୂର୍ବରୁ ଅନ୍ତଃଦଳୀୟ ମ୍ୟାଚ୍ ବେଳେ ଆଘାତପ୍ରାପ୍ତ ହୋଇଥିଲେ। ଯେଉଁଥିପାଇଁ ପ୍ରଥମ ଟେଷ୍ଟ୍‌ରେ ସେ ଖେଳିପାରି ନଥିଲେ। ତାଙ୍କୁ ସୁସ୍ଥ ହେବାରେ କିଛି ଦିନ ବିଳମ୍ବ ହୋଇପାରେ। ଏପର୍ଯ୍ୟନ୍ତ ସେ ନେଟ୍ସକୁ ଓହ୍ଲାଇ ନାହାନ୍ତି। ଆଡିଲେଡ୍‌ର ଦିବା-ରାତ୍ର ମ୍ୟାଚ୍‌ ପୂର୍ବରୁ ଅଭ୍ୟାସ କରିବା ପାଇଁ ଆଉ ଅଳ୍ପ ସମୟ ରହିଲା। ତେଣୁ ଗିଲ୍‌ଙ୍କୁ ନେଇ ଦଳ ରିସ୍କ ନେବାକୁ ଚାହିବନି। ଯଦିବି ଗିଲ୍‌ ସୁସ୍ଥ ହୋଇଯାଅନ୍ତି, ତାହେଲେ ଧ୍ରୁବ ଜୁରେଲ୍‌ଙ୍କୁ ଏକାଦଶରୁ ବାଦ୍‌ ଦିଆଯିବ।

ଜୟସ୍ବାଲଙ୍କ ପରବର୍ତ୍ତୀ ପ୍ରାରମ୍ଭିକ ସାଥୀ କିଏ?
ଗୋଲାପି ବଲ୍‌ରେ ଖେଳାଯିବ ମ୍ୟାଚ୍
ରୋହିତ ଫେରିବା ପରେ ସୁଖଦ ଦ୍ବନ୍ଦ୍ବ

ଆଡିଲେଡ୍‌ ଓଭାଲ୍‌ରେ ଦଳୀୟ ଏକାଦଶ ଚୟନ କଲାବେଳେ ସ୍ପିନରଙ୍କୁ ଧ୍ୟାନରେ ରଖିବାକୁ ହେବ। ପର୍ଥରେ ରବିଚନ୍ଦ୍ରନ ଅଶ୍ବିନ ଓ ରବୀନ୍ଦ୍ର ଜାଡ଼େଜାଙ୍କୁ ପଛରେ ପକାଇ ୱାସିଂଟନ୍‌ ସୁନ୍ଦର ଏକମାତ୍ର ସ୍ପିନର ଭାବେ ଖେଳିଥିଲେ। କିନ୍ତୁ ଏହି ମ୍ୟାଚ୍‌ରେ ସ୍ପିନରଙ୍କ ଅପେକ୍ଷା ଦ୍ରୁତ ବୋଲର୍‌ମାନେ ଅଧିକ ସଫଳ ହୋଇଥିଲେ। ଅନ୍ୟପକ୍ଷରେ ନେଟ୍ସରେ ଅଶ୍ବିନ, ଜାଡ଼େଜା ଓ ୱାସିଂଟନ୍‌ଙ୍କ ପ୍ରଦର୍ଶନକୁ ଦେଖିଲେ ସମସ୍ତେ ଖେଳିବାକୁ ଯୋଗ୍ୟତା ରଖୁଛନ୍ତି। ତେବେ ଏମାନଙ୍କ କ୍ଷେତ୍ରରେ ବ୍ୟାଟିଂ ସବୁଠୁ ବଡ଼ ଭୂମିକା ନେବ। ବିଦେଶ ମାଟିରେ ଖେଳିବା ବେଳେ ଜାଡ଼େଜାଙ୍କ ବ୍ୟାଟିଂ ଭାରତକୁ ଭଲ ସ୍ଥିତିରେ ପହଞ୍ଚାଇଥାଏ। କିନ୍ତୁ ପର୍ଥରେ ବିରାଟ କୋହଲିଙ୍କ ସହ ମିଶି ୱାସିଂଟନ୍‌ ୮୯ ରନ୍‌ର ଭାଗୀଦାରି ଗଢ଼ିବା ପରେ ଭାରତ ୫୦୦ ରନ୍‌ର ନିକଟତର ହୋଇଥିଲା। ତେଣୁ ଏକାଦଶ ଚୟନ କଲାବେଳେ ଦଳରେ ଏକାଧିକ ପରିବର୍ତ୍ତନ ହେବା ନେଇ ଆଶା କରାଯାଇପାରେ।

ଅଷ୍ଟ୍ରେଲିଆ ଅପରିବର୍ତ୍ତିତ
ମେଲବର୍ଣ୍ଣ: ପର୍ଥ ଟେଷ୍ଟ୍‌ରେ ପରାଜୟ ସତ୍ତ୍ବେ ଆଡିଲେଡ୍‌ ପାଇଁ ଅଷ୍ଟ୍ରେଲିଆ ତାହାର ଦଳରେ‌ ‌କୌଣସି ପରିବର୍ତ୍ତନ କରିନାହିଁ। ଦଳର ପ୍ରଶିକ୍ଷକ ତଥା ଚୟନକର୍ତ୍ତା ଆଣ୍ଡ୍ରୁ ମ୍ୟାକ୍‌ଡୋନାଲ୍ଡ ଦଳରେ କିଛି ଅସୁସ୍ଥ ଖେଳାଳିଙ୍କ ପ୍ରତି ଚିନ୍ତା ଦେଖାଇଥି‌ଲା ବେଳେ ମିଚେଲ୍‌ ମାର୍ସ ପୂର୍ଣ୍ଣ ମାତ୍ରାରେ ସୁସ୍ଥ ହୋଇନାହାନ୍ତି। ଇଂଲଣ୍ଡ ଗସ୍ତ ବେଳଠୁ ମାର୍ସ ଆହତ ହୋଇଥିଲେ ମଧ୍ୟ ପର୍ଥରେ ୧୭ ଓଭର ବୋଲିଂ କରିଥିଲା ବେଳେ ୩ ୱିକେଟ୍‌ ଅକ୍ତିଆର କରିଛନ୍ତି। ମାର୍ସଙ୍କ ବୋଲିଂରେ ମ୍ୟାକ୍‌ଡୋନାଲ୍ଡ ସନ୍ତୁଷ୍ଟ ଅଛନ୍ତି। ତେବେ ଆଗକୁ ସେ ଖେଳିବାକୁ ଥିବା ମ୍ୟାଚ୍‌ଗୁଡ଼ିକରେ ତାଙ୍କ ଫିଟ୍‌ନେସ୍‌ ଉପରେ ସବୁବେଳେ ନଜର ରହିବ ବୋଲି ମ୍ୟାକ୍‌ଡୋନାଲ୍ଡ କହିଛନ୍ତି। ଦ୍ବିତୀୟ ଟେଷ୍ଟ୍‌ ବେଳକୁ ମାର୍ନସ ଲବୁସାନ୍‌ଙ୍କ ଉପରେ ଅଧିକ ନିର୍ଭର କରୁଛି ଦଳ। ତେଣୁ ଲବୁସାନ୍‌ ଦ୍ବିତୀୟ ଟେଷ୍ଟ୍‌ରେ ଲୟକୁ ଫେରିବେ ବୋଲି ମ୍ୟାକ୍‌ଡୋନାଲ୍ଡ ଆଶା ରଖିଛନ୍ତି।

ବ୍ୟକ୍ତିଗତ କାରଣ ପାଇଁ ସ୍ବଦେଶ ଫେରିଲେ ଗମ୍ଭୀର
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ‘ବ୍ୟକ୍ତିଗତ ଜରୁରି’ ଦର୍ଶାଇ ଅଷ୍ଟ୍ରେଲିଆରୁ ସ୍ବଦେଶ ଫେରିଆସିଛନ୍ତି। ଫଳରେ ନଭେମ୍ବର ୩୦ ତାରିଖରେ କାନ୍‌ବେରାରେ ହେବାକୁ ଥିବା ପ୍ରଧାନମନ୍ତ୍ରୀ ଏକାଦଶ ବିପକ୍ଷ ଦୁଇ ଦିନିଆ ପିଙ୍କ୍‌ ବଲ୍‌ ଅଭ୍ୟାସ ମ୍ୟାଚ୍‌ରେ ମଧ୍ୟ ଗମ୍ଭୀର ଅନୁପସ୍ଥିତ ରହିବେ। ତେବେ ଡିସେମ୍ବର ୬ ତାରିଖରୁ ଆଡିଲେଡ‌୍‌ରେ ଆରମ୍ଭ ହେବାକୁ ଥିବା ଦ୍ବିତୀୟ ଟେଷ୍ଟ୍‌ ପୂର୍ବରୁ ସେ ଅଷ୍ଟ୍ରେଲିଆରେ ପହଞ୍ଚିସାରିଥିବେ ବୋଲି ଜଣାପଡ଼ିଛି। ଭାରତୀୟ ଦଳ ବୁଧବାର କାନ୍‌ବେରା ଗସ୍ତ କରି‌ବ। ସେଠାରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲ୍‌ବାନିସ୍‌ଙ୍କ ସହିତ ଅଫିସିଆଲ୍‌ ରିସେପସନ୍‌ରେ ଭାରତୀୟ ଖେଳାଳିମାନେ ‌ସାମିଲ ହେବେ। ଦ୍ବିତୀୟ ଟେଷ୍ଟ୍‌ ପୂର୍ବରୁ ଏହି ଅଭ୍ୟାସ ମ୍ୟାଚ୍‌ ବହୁତ ଗୁରୁତ୍ବ ବହନ କରୁଛି। ଅଭ୍ୟାସ ମ୍ୟାଚ୍‌ରେ ପ୍ରଧାନମନ୍ତ୍ରୀ ଏକାଦଶର ନେତୃତ୍ବ ନେବେ ଜାକ୍‌ ଏଡ୍‌ୱାର୍ଡ୍ସ। ଦଳରେ ଅଧିକାଂଶ ନବାଗତମାନଙ୍କୁ ସୁଯୋଗ ଦିଆଯାଇଥିଲା ବେଳେ, ସ୍କଟ୍‌ ବୋଲାଣ୍ଡ, ମାଥ୍ୟୁ ରେନ୍‌ସଅଙ୍କ ଭଳି କିଛି ଆନ୍ତର୍ଜାତିକ‌ ମ୍ୟାଚ୍‌ ଖେଳିସାରିଥିବା ଖେଳାଳିମା‌ନେ ରହିବେ।

Leave a Reply

Your email address will not be published. Required fields are marked *

Suchana Tv @2025. All Rights Reserved || Developed By CBSPL