Sunday, 17 May 2026
କଟକ ଭୁବନେଶ୍ୱର

କମିଶନରେଟ ପୋଲିସର ୩୦ଟି ଜରୁରୀକାଳୀନ ପ୍ରଶମନ ସହାୟତା ଯାନ ଲୋକାର୍ପଣ(ଜୟନ୍ତୀ କୁମାରୀ ସାହୁ ଙ୍କ ରିପୋର୍ଟ )

ଭୁବନେଶ୍ୱର, ଡ଼ିସେମ୍ବର 12

କମିଶନରେଟ ପୋଲିସର ୩୦ଟି ଜରୁରୀକାଳୀନ ପ୍ରଶମନ ସହାୟତା ଯାନ ଲୋକାର୍ପଣ

-ଏହି ଯାନ ଗୁଡିକ ହେଉଛି ନ୍ୟାୟ, ଶୃଙ୍ଖଳା, ଭୟମୁକ୍ତ ବାତାବରଣ ଓ ଅପରାଧମୁକ୍ତ ସମାଜର ପ୍ରତୀକ

-ଆଗାମୀ ଦିନରେ ୫ ହଜାର ଗୃହରକ୍ଷୀ ପଦବୀ ପୂରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

-ଗୃହରକ୍ଷୀମାନଙ୍କ ଦୈନିକ ଭତ୍ତା ବୃଦ୍ଧି ପାଇଁ ନିଷ୍ପତ୍ତି

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି କଟକ-ଭୁବନେଶ୍ୱର କମିଶନରେଟ ପୋଲିସ ପାଇଁ ‘Emergency Response Support System(ERSS)’ ଯୋଜନାରେ ୩୦ଟି ଜରୁରୀକାଳୀନ ପ୍ରଶମନ ସହାୟତା ଯାନର ଲୋକାର୍ପଣ କରିଛନ୍ତି।

ERSS ଯୋଜନା ହେଉଛି ଏକ କେନ୍ଦ୍ର ସରକାରଙ୍କ ଯୋଜନା। ଦିଲ୍ଲୀର ନିର୍ଭୟା କାଣ୍ଡ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୯ ମସିହାରେ ଜରୁରୀକାଳୀନ ପରିସ୍ଥିତିରେ ପୋଲିସର ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଏହି ଯୋଜନା ଆରମ୍ଭ କରିଥିଲେ।

ପୋଲିସ କମିଶନରେଟ କାର୍ଯ୍ୟାଳୟ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ୩୦ଟି ନୂଆ ଯାନ ପୋଲିସଙ୍କ କାର୍ଯ୍ୟ ଦକ୍ଷତାକୁ ସୁଦୃଢ କରିବ। ଏଗୁଡିକ ସାଧାରଣ ଗାଡି ନୁହେଁ। ଏଗୁଡିକ ହେଉଛି ଗୋଟିଏ ଗୋଟିଏ ସୁରକ୍ଷା ରଥ। ଏଗୁଡିକ ହେଉଛି ନ୍ୟାୟର, ଶୃଙ୍ଖଳାର, ଭୟମୁକ୍ତ ବାତାବରଣର ଓ ଅପରାଧମୁକ୍ତ ସମାଜର ପ୍ରତୀକ । ଏହି ଗାଡିଗୁଡିକ ଯେତିକି ଗଡିବ ଲୋକମାନେ ସେତିକ ନ୍ୟାୟ ପାଇବେ ଓ ସେମାନଙ୍କ ଆତ୍ମବିଶ୍ୱାସ ବଢିବ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପୋଲିସ ବାହିନୀକୁ ଆହୁରି ସଶକ୍ତ କରିବା ପାଇଁ ଗୃହ ବିଭାଗରେ ପ୍ରାୟ ୧୦ ହଜାର ପଦବୀ ଖୁବ୍‌ ଶୀଘ୍ର ପୂରଣ କରାଯିବ। ଗୃହରକ୍ଷୀମାନେ ହେଉଛନ୍ତି ପୋଲିସର ଏକ ଅଭିନ୍ନ ଅଙ୍ଗ। ଆମ ରାଜ୍ୟରେ ଗୃହରକ୍ଷୀମାନେ ବହୁତ ଭଲ କାମ କରୁଛନ୍ତି। ୨୦୨୦ ଠାରୁ ଗୃହରକ୍ଷୀ ନିଯୁକ୍ତି ଉପରେ ଯେଉଁ କଟକଣା ଲଗା ଯାଇଥିଲା ତାହାକୁ ଉଠାଇ ଦିଆଯାଇଛି। ଖୁବଶୀଘ୍ର ଖାଲିଥିବା ୨୪୧୬ଟି ପଦବୀ ସହିତ ୨୫୮୪ଟି ନୂତନ ପଦବୀ ସୃଷ୍ଟି କରାଯିବ। ସମୁଦାୟ ୫ ହଜାର ଗୃହରକ୍ଷୀ ପଦବୀ ପୂରଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏଥି ସହିତ ଗୃହରକ୍ଷୀମାନଙ୍କର ଦୈନିକ ଭତ୍ତା ବୃଦ୍ଧି ପାଇଁ ସରକାରୀ ସ୍ତରରେ ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ, ERSS ଯୋଜନାରେ ଆଜି ପୋଲିସ କମିଶନରେଟରେ ଲୋକାର୍ପିତ ହୋଇଥିବା ୩୦ଟି ଯାନ ମଧ୍ୟରୁ ଭୁବନେଶ୍ୱର ସହରରେ ପାଇଁ ୨୨ଟି ଏବଂ କଟକରେ ୮ଟି ଗାଡି କାର୍ଯ୍ୟ କରିବ। ପୂର୍ବରୁ ଅଚଳ ହୋଇଥିବା PCR ଗାଡି ଗୁଡିକ ବଦଳରେ ଏହି ନୂତନ ଯାନ ମଧ୍ୟ କାର୍ଯ୍ୟ କରିବ। ଏହି ERSS ଯୋଜନା ଦ୍ୱାରା ପୋଲିସ ବ୍ୟବସ୍ଥାର ସୁଦୃଢିକରଣ ହେବା ସହ ସୁରକ୍ଷା ବାତାବରଣ ସୃଷ୍ଟି ହେବ। ଏଥି ସହିତ ଆଗାମୀ ଦିନରେ ପେଟ୍ରୋଲିଂ, ଅପରାଧୀ ଏବଂ ପୀଡିତଙ୍କ ପାଖରେ ତୁରନ୍ତ ପହଞ୍ଚିବା ପାଇଁ ପୋଲିସକୁ ହାଇ ସ୍ପିଡ ଗାଡି ଯୋଗାଇ ଦିଆଯିବ ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ରାଜ୍ୟ ସରକାର ପୋଲିସର ସାମର୍ଥ୍ୟ ଓ ଶକ୍ତି ବୃଦ୍ଧି ପାଇଁ ସମସ୍ତ ପ୍ରକାର ପ୍ରୟାସ ଜାରି ରଖିଛନ୍ତି। ସମାଜରେ ଲୋକମାନଙ୍କ ପାଇଁ ଆପଣମାନେ ଜଣେ ଜଣେ ସାହାଯ୍ୟକାରୀ ବନ୍ଧୁ ଭାବେ କାମ କରି ପୋଲିସର ଭାବମୂର୍ତ୍ତୀ ଆହୁରି ଉଚ୍ଚ ସ୍ତରକୁ ନିଅନ୍ତୁ।

କାର୍ଯ୍ୟକ୍ରମରେ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ୱାଇ.ବି. ଖୁରାନିଆ ସ୍ୱାଗତ ଭାଷଣ ଦେଇ କହିଥିଲେ ଯେ, ବାତ୍ୟା ଦାନା ସମୟରେ ଆମର ଏହି ERSS ଯାନ ଗୁଡିକ ଲୋକମାନଙ୍କୁ ପ୍ରଶଂସନୀୟ ସେବା ଯୋଗାଇ ଦେଇଛି। ଏହି ନୂତନ ଯାନ ଗୁଡିକ ଭୁବନେଶ୍ୱର-କଟକ ଜନସାଧାରଣଙ୍କୁ ଉପଯୁକ୍ତ ଓ ତ୍ୱରିତ ସେବା ଯୋଗାଇଦେବ ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଦୟାଲ ଗଙ୍ଗୱାର ଉପସ୍ଥିତ ଥିଲେ। ପୋଲିସ କମିଶନର ଶ୍ରୀ ଏସ୍. ଦେବଦତ୍ତ ସିଂ ଧନ୍ୟବାଦ ଦେଇଥିଲେ।

Leave a Reply

Your email address will not be published. Required fields are marked *

Suchana Tv @2025. All Rights Reserved || Developed By CBSPL