ଦୁନିଆକୁ ଅଲ୍ବିଦା କହିଛନ୍ତି ସ୍ବରର ସାଗର ହ୍ୟୁମାନ୍ ସାଗର।କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗରଙ୍କ ଜନ୍ମ ୧୯୯୦ ମସିହା ନଭେମ୍ବର ମାସ ୨୫ ତାରିଖ। ହେଲେ କେହି ଭାବିନଥିଲେ ମାତ୍ର ୩୫ ବର୍ଷ ବୟସରେ ଜଣେ ଲୋକପ୍ରିୟ କଣ୍ଠଶିଳ୍ପୀ ଦୁନିଆରୁ ଚିର ବିଦାୟ ନେଇଯିବେ। ପୁଣି ସେହି ନଭେମ୍ବର ଅର୍ଥାତ୍ ଜନ୍ମମାସରେ। ଆଜି ନଭେମ୍ବର ୧୭ ଆଉ ୨୦୨୫ ।
ଅନୁଭବ ମହାନ୍ତିଙ୍କ ଆଗାମୀ ଚଳଚ୍ଚିତ୍ର ‘ଛକିଶୂନ’ରେ ସେ ସଙ୍ଗୀତ ନିର୍ଦ୍ଦେଶନା କାମ ଆରମ୍ଭ କରିଥିଲେ । ହେଲେ ସିନେମା ଶେଷ ହେବା ପୂର୍ବରୁ ସେ ଚାଲିଗଲେ ଶେଷଯାତ୍ରାରେ। ଜୀବନଯାତ୍ରାର ଛକିଶୂନ ଖେଳରେ ହାରି ମହାଶୂନ୍ୟକୁ ଚାଲିଗଲେ।ଆହା ରେ ଆହା ରେ, ଦୁନିଆଟେ ଅଛି ଏଇ ଦୁନିଆ ବାହାରେ, ଚୁନା ଚୁନା କେତେ ଯେ ଭାବନା ଏଇ ହୃଦୟ ଭିତରେ। ବସ୍ତୁବାଦୀ ଦୁନିଆକୁ ଛାଡ଼ି ଆଉ ଗୋଟିଏ ସ୍ବପ୍ନର ଦୁନିଆ ସମ୍ପର୍କରେ ଦର୍ଶାଯାଇଥିବା ଏମିତି କିଛି ହୃଦୟସ୍ପର୍ଶୀ ଗୀତକୁ ଶେଷଥର ପାଇଁ ଗାଇଥିଲେ ଓଲିଉଡ୍ର ଅନେକ ଲୋକପ୍ରିୟ ହିଟ୍ ଗୀତ ଗାଇଥିବା ପ୍ରସିଦ୍ଧ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ।
ଦୁନିଆ ଛାଡ଼ିବା ଆଗରୁ ନିଜ ସୁରିଲା କଣ୍ଠରେ ଦୁଇ ସପ୍ତାହ ତଳେ ଏହି ଗୀତରେ କଣ୍ଠଦାନ କରିଥିଲେ ହ୍ୟୁମାନ ସାଗର । ଯାହା ଥିଲା ହ୍ୟୁମାନଙ୍କ ଜୀବନର ଶେଷ ଗୀତ। ତେବେ ଏହି ଗୀତକୁ ସେ ଗାଇଥିଲେ ମଧ୍ୟ ଶେଷ କରିପାରି ନଥିଲେ। ତା ଆଗରୁ ୧୫ ହଜାରରୁ ଅଧିକ ଗୀତ ସେ ଗାଇଛନ୍ତି। କେତେ ଲକ୍ଷ ବିବାହ ପ୍ରୋସେସନ୍ ଓ କେତେ ଭସାଣୀ, ପୂଜା ମଣ୍ଡପରେ ତାଙ୍କ ଗୀତ ବାଜିଛି ତାର ହିସାବ ନାହିଁ । ଓଡ଼ିଶାରେ ୯୦% ୟୁଟୁବ୍ ଚ୍ୟାନେଲ୍ ମନିଟାଇଜ୍ ହେବାର ପ୍ରମୁଖ କାରଣ ମଧ୍ୟ ହ୍ୟୁମାନ୍ । ପ୍ରଚ୍ଛଦ ପଟରେ ରହି ସେ କେତେ ଜଣଙ୍କ କ୍ୟାରିଅର୍ କରିଛନ୍ତି ତା’ର ହିସାବ କେବଳ ସେ ହିଁ କହି ପାରିବେ ।
ସବୁବର୍ଗର ଶ୍ରୋତା ତାଙ୍କ ସ୍ବରର ଦିୱାନା ଥିଲେ। ସେଥିପାଇଁ ତାଙ୍କୁ ଓଡ଼ିଶାର ଅରିଜିତ୍ ସିଂ ବୋଲି ପ୍ରଶଂସକମାନେ କହିଆସୁଥିଲେ। ପୂଜା ହେଉ କି ପାର୍ବଣ, ପ୍ରତି ସମୟରେ ଖୋଜା ପଡ଼ତନ୍ତି ହ୍ୟୁମାନ୍। ବିଭିନ୍ନ ସ୍ଥାନରେ ଆୟୋଜିତ ମେଲୋଡି ଓ ଷ୍ଟେଜ୍ ଶୋ’ରେ ହ୍ୟୁମାନ୍ଙ୍କ ଜାଦୁଗରୀ ସ୍ବର ଶୁଣିବାକୁ ମିଳେ। ହେଲେ ଆଉ ସେ ଆସିବେନି। ପାର୍ବଣ ଆସିଲେ ଭାରି ମନେପଡ଼ିବେ।ଆଉ ଶୁଭିବନି ଏହି ଲୋକପ୍ରିୟ କଣ୍ଠଶିଳ୍ପୀଙ୍କ ସୁରିଲା ସ୍ବର। ଭୁବନେଶ୍ୱର ଏମ୍ଭରେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ରାତି ୯ଟା ୮ ମିନିଟରେ ତାଙ୍କର ଦେହାନ୍ତ ହୋଇଛି। ଏମ୍ଭ କର୍ତ୍ତୃପକ୍ଷ ଏହି ଦୁଃଖଦ ସୂଚନା ଦେବା ପରେ ସାରା ଓଡ଼ି ଶାର ସଙ୍ଗୀତ ପ୍ରେମୀ ଶୋକର ସାଗରରେ ବୁଡ଼ିଯାଇଛନ୍ତି। ଆଉ ୭ ଦିନ ପରେ ଜନ୍ମଦିନ ପାଳିଥାନ୍ତେ। ଏ ତାରିଖ ଆଉ ଘଟଣା ସମସ୍ତ ହ୍ୟୁମାନ୍ ପ୍ରେମୀଙ୍କୁ ସ୍ତଦ କରି ଦେଇଛି।


