ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆସନ୍ତା ବର୍ଷ ଆରମ୍ଭରେ ଭାରତ ଗସ୍ତ କରିପାରନ୍ତି। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଶନିବାର ଏହି ସୂଚନା ସେୟାର କରିଛନ୍ତି। ରୁବିଓ କହିଛନ୍ତି ଯେ ଆମେରିକା ପ୍ରଶାସନ ଆସନ୍ତା ବର୍ଷ (୨୦୨୭) ଆରମ୍ଭରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଗସ୍ତ ପାଇଁ ପ୍ରସ୍ତୁତି କରୁଛି।
ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଗଣମାଧ୍ୟମକୁ କହିଛନ୍ତି, “ରାଷ୍ଟ୍ରପତି ଟ୍ରମ୍ପଙ୍କ ଆସନ୍ତା ବର୍ଷ ଭାରତ ଗସ୍ତ ପାଇଁ ପ୍ରସ୍ତୁତି ଚାଲିଛି। ମୁଁ ଭାବୁଛି ଏହା ଏକ ବଡ ସକାରାତ୍ମକ କଥା।”
ମାର୍କୋ ରୁବିଓ କହିଛନ୍ତି ଯେ ଭାରତ ଏବଂ ଆମେରିକା ମଧ୍ୟରେ ଏକ ବାଣିଜ୍ୟ ଚୁକ୍ତି ଖୁବ୍ ଶୀଘ୍ର ଚୂଡ଼ାନ୍ତ ହେବ ବୋଲି ଆଶା କରାଯାଉଛି। ଟ୍ରମ୍ପ ଆସନ୍ତା ବର୍ଷ ଆରମ୍ଭରେ ଭାରତ ଗସ୍ତରେ ଆସିବେ। ମୁଁ ରାଷ୍ଟ୍ରପତିଙ୍କ ଗସ୍ତର ବିବରଣୀ ଚୂଡ଼ାନ୍ତ କରିବା ପାଇଁ ଭାରତ ଯାତ୍ରା କରୁଛି। ରୁବିଓ ଉଲ୍ଲେଖ କରିଛନ୍ତି ଯେ ରାଷ୍ଟ୍ରପତି ଟ୍ରମ୍ପ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭଲ ସମ୍ପର୍କ ରହିଛି ।
ଭାରତ ଆମେରିକା ଏବଂ ଭେନେଜୁଏଲା ସହିତ ଆଲୋଚନା କରୁଛି। ଆମେ ଯୋଗାଣ ବୃଦ୍ଧି କରିବା ପାଇଁ ମିଶିକି କାମ କରୁଛୁ। ଭାରତ ବିଶ୍ୱର ସେହି କିଛି ଦେଶ ମଧ୍ୟରୁ ଗୋଟିଏ ଯାହାର ଭାରୀ ଅଶୋଧିତ ତୈଳ ବିଶୋଧନ କରିବାର କ୍ଷମତା ଅଛି। ନିଜକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସକ ଭାବରେ ବର୍ଣ୍ଣନା କରି ସେ କହିଛନ୍ତି ଯେ ମୋଦି ଭାରତକୁ ଏକ ବିଶ୍ୱ ଶକ୍ତିରେ ପରିଣତ କରିଛନ୍ତି।
ଭାରତକୁ ଆମେରିକାର ଏକ ପ୍ରମୁଖ ରଣନୈତିକ ଅଂଶୀଦାର ଭାବରେ ବର୍ଣ୍ଣନା କରି ରୁବିଓ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ମଧ୍ୟରେ ବ୍ୟକ୍ତିଗତ ସମ୍ପର୍କ ଉପରେ ଆଲୋକପାତ କରିଥିଲେ।




