ସଲମାନ ଖାନଙ୍କ ମୁମ୍ବାଇସ୍ଥିତ ‘ଗାଲାକ୍ସି ଆପାର୍ଟମେଣ୍ଟ’ ବହୁତ ଦିନ ଧରି ଚର୍ଚ୍ଚାର ବିଷୟ ହୋଇଆସିଛି। କେତେବେଳେ ବାସଭବନ ଉପରେ ଆକ୍ରମଣ ତ ଆଉ କେତେବେଳେ ଅନୁପ୍ରବେଶ ରିପୋର୍ଟ ମିଳିଛି । ହେଲେ, ଏବେ ଏପରି ଏକ ଖବର ଆସିଛି ଯାହା ତାଙ୍କ ପ୍ରଶଂସକମାନଙ୍କୁ ଖୁସି କରିଦେବ। ସଲମାନ ଖାନଙ୍କୁ ନୂଆ ଘର ତିଆରି କରିବା ପାଇଁ ମଞ୍ଜୁରୀ ମିଳି ଯାଇଛି, ତାଙ୍କ ମାଆ ସଲମା ଖାନଙ୍କ ନାମରେ ପଞ୍ଜୀକୃତ ସମୁଦ୍ର ମୁଖୀ ପ୍ଲଟରେ ଏକ ନୂତନ କୋଠା ନିର୍ମାଣ ପାଇଁ ଅନୁମୋଦନ ମିଳିଛି। ସୂଚନା ଅନୁଯାୟୀ ଏହି ସ୍ଥାନରେ ଏକ ଛଅ ମହଲା ବିଶିଷ୍ଟ ଗୃହ ନିର୍ମାଣ ପାଇଁ ଯୋଜନା ଚାଲିଛି।
ଖବର ଅନୁଯାୟୀ, ସଲମାନ ଖାନଙ୍କ ନୂତନ ଘର ବାନ୍ଦ୍ରାର ଚିମ୍ବାଇ ଅଞ୍ଚଳରେ ନିର୍ମାଣ କରାଯିବ, ଯାହା ତାଙ୍କ ବର୍ତ୍ତମାନର ବାସସ୍ଥାନ ‘ଗାଲାକ୍ସି ଆପାର୍ଟମେଣ୍ଟ’ ଠାରୁ କିଛି ଦୂରରେ ଅବସ୍ଥିତ। MCZMA ର ସୂତ୍ର ଅନୁଯାୟୀ, ଘରଟି ସଲମାନ ଖାନଙ୍କ ମାଆ ସଲମା ଖାନଙ୍କ ନାମରେ ପଞ୍ଜିକୃତ ଏକ ପ୍ଲଟରେ ନିର୍ମାଣ କରାଯିବ। ୧୯୫୬ ପୂର୍ବରୁ ନିର୍ମିତ ଏକ ଦୁଇ ମହଲା ଘର ପୂର୍ବରୁ ସେହି ସ୍ଥାନରେ ଥିଲା କିନ୍ତୁ ଏହାର ଜୀର୍ଣ୍ଣ ଅବସ୍ଥା ଯୋଗୁଁ ଏହାକୁ ଭାଙ୍ଗି ଦିଆଯାଇଥିଲା।
ଯେମିତିକି ସମସ୍ତେ ଜାଣନ୍ତି ଯେ ସଲମାନ ଖାନ ୧୯୭୪ ମସିହାରୁ ଗାଲାକ୍ସି ଆପାର୍ଟମେଣ୍ଟରେ ରହିଆସୁଛନ୍ତି । ଏହି ନୂତନ କୋଠାରେ ଗ୍ରାଉଣ୍ଡ ଫ୍ଲୋର, ଷ୍ଟିଲ୍ଟ ପାର୍କିଂ ଏବଂ ଛଅ ମହଲା ହେବ । ପ୍ରାୟ ୧୦୧୪ ବର୍ଗ ମିଟର ମୋଟ ନିର୍ମାଣ କ୍ଷେତ୍ର ସହିତ, ଏହି ପ୍ରକଳ୍ପଟି ସାଚ୍ ଡେଭଲପର୍ସ ଦ୍ୱାରା ନିର୍ମାଣ କରାଯିବ। ବିଏମସି ଅକ୍ଟୋବର ୨୦୨୫ ରେ ପ୍ରକଳ୍ପ ପାଇଁ ପ୍ରାରମ୍ଭିକ ଅନୁମୋଦନ – ଆଇଓଡି – ପ୍ରଦାନ କରିସାରିଛି। ପରିବେଶଗତ ବିଚାରକୁ ଦୃଷ୍ଟିରେ ରଖି, ନିର୍ମାଣ ସମୟରେ ଗୋଟିଏ ବି ଗଛ କଟାଯିବ ନାହିଁ; ବରଂ, ଆଖପାଖ ଅଞ୍ଚଳରେ ସ୍ଥାନୀୟ ପ୍ରଜାତିର ନୂତନ ଗଛ ଲଗାଯିବ।

