ସେତେବେଳର ମାଗୁଣି ଆଉ ନାହାନ୍ତି ସତ କିନ୍ତୁ ମାଗୁଣିର ହଳ ଶଗଡ ବଳଦ ଏବେ ବି ରହିଛି । ସମୟର ପଥ ଗଡ଼ି ଚାଲିଛି, ତା ଭିତରେ କିଛି ସ୍ଥାନରେ ଆଜି ବି ଲୋକେ ପୁରୁଣା ପରମ୍ପରାକୁ ଜାବୁଡ଼ି ଧରିଛନ୍ତି । ଶଗଡ଼ ସହ ଲଙ୍ଗଳ ଧରି ଚାଷ କରୁଛନ୍ତି ଚାଷୀ । ଧାନ କଟା ହେବା ପରେ ଶଗଡ଼ରେ ଧାନ ବୋହି ନେଉଛନ୍ତି ଘରକୁ । ଏହା ସହ ଆଧୁନିକ ଯନ୍ତ୍ରପାତିକୁ ମଧ୍ୟ ଟକ୍କର ଦେଉଛି ଏହି ହଳ ଶଗଡ । ଆଜି ବି କଟକ ଜିଲ୍ଲା ବଡମ୍ବା ଓ ନରସିଂହପୁରର ପ୍ରତ୍ୟେକ ଗାଁରେ ଦେଖିବାକୁ ମିଳୁଛି ବଳଦ ଓ କାଠ ତିଆରି ଶଗଡ ଗାଡି । ଚାଷର ପ୍ରଣାଳୀ ବଦଳିଛି ହେଲେ ଚାଷୀ ତାର ପୁରୁଣା ପାରମ୍ପରିକ ଚାଷ ପରିବର୍ତ୍ତନ କରିନାହିଁ ।

ବର୍ତ୍ତମାନର ମହଙ୍ଗା ଯୁଗରେ ଲୋକମାନେ କେମିତି କମ୍ ପରିଶ୍ରମରେ କାମ ହୋଇଯିବ ସେନେଇ ବିଭିନ୍ନ ଉପାୟ ଆପଣାଉଛନ୍ତି । ମଣିଷର ବିଭିନ୍ନ କାମ ପାଇଁ ବିଭିନ୍ନ ଯନ୍ତ୍ରପାତି ବି ବାହାରିଲାଣି । ଲୋକମାନେ ପୁରୁଣା ପରମ୍ପରାକୁ ଭୁଲି ନୂଆ ପରମ୍ପରାକୁ ଆପଣେଇବାରେ ବ୍ୟସ୍ତ । ଯାହା ଫଳରେ ଲୋକମାନଙ୍କର ଅଧିକ କାମ ହେବା ସହ ସମୟ ବି ବଞ୍ଚୁଛି, ହେଲେ ଆଜି ବି ସେହି ପୁରୁଣା ପରମ୍ପରାକୁ ଜାବୁଡି ରଖିଛନ୍ତି କଟକ ଜିଲ୍ଲାର ବଡମ୍ବା ଓ ନରସିଂହପୁର ଅଞ୍ଚଳବାସୀ । ବିଭିନ୍ନ ସମୟରେ ଓ ଭିନ୍ନ ଭିନ୍ନ ଗାଁରେ ଦେଖିବାକୁ ମିଳୁଛି ହଳ ଶଗଡ ଓ କସରା କାଳିଆ ବଳଦ । ଲୋକମାନେ ଚାଷ ପାଇଁ ଆଧୁନିକ ପ୍ରଣାଳୀକୁ ଆଦରି ନେଉଥିବାବେଳେ ଏଠାକାର ଲୋକେ ହଳ ଲଙ୍ଗଳ ଚାଷରେ ସନ୍ତୁଷ୍ଟ ।

ଖରା ବର୍ଷା ସବୁ ସମୟରେ ହଳ ଲଙ୍ଗଳ ପ୍ରତ୍ୟେକ ଜାଗାକୁ ଯାଇପାରିବ । କିନ୍ତୁ ଟ୍ରାକ୍ଟର ଯାଇପାରିବ ନାହିଁ । ଏହା ବ୍ୟତୀତ ଟ୍ରାକ୍ଟର ଚାଷରେ ସମୟ କମ ହେଲେବି ଅଧିକ ଖର୍ଚ୍ଚ । ତେଣୁ ଯାନ୍ତ୍ରିକ ଚାଷ ଅପେକ୍ଷା ହଳ ଚାଷ ସବୁଠାରୁ ଭଲ ବୋଲି କହିଛନ୍ତି ଚାଷୀ । ତେବେ ବର୍ଷା ହେଲେ ଟ୍ରାକ୍ଟର ବିଲ ଭିତରେ ପଶିବା କଷ୍ଟ ହୋଇଥିବାବେଳେ ହଳ ଲଙ୍ଗଳ ବିନା ବାଧାରେ ଯାଇପାରିବ । ନିଜ ମନ ମୁତାବକ କାମ କରିପାରୁଥିବାରୁ ଚାଷୀମାନେ ଖୁସି ଥିବା ମତ ଦେଇଛନ୍ତି ।

ହଳ ଲଙ୍ଗଳରେ ଚାଷ କଲେ ଶରୀର ସୁସ୍ଥ ରହିବା ସହ ଚାଷ ଜମି ଠିକ୍ ଠାକ୍ ରହିବ । ବିଭିନ୍ନ ପର୍ବ ପର୍ବାଣୀରେ ଯଥା ଅକ୍ଷୟତୃତୀୟାରେ ଚାଷ ଅନୁକୂଳ ହଳରେ ହୁଏ କିନ୍ତୁ ଏବେ ସେସବୁ ହେଉ ନାହିଁ । କିନ୍ତୁ ଏଠାକାର ଚାଷୀ ଆଜି ବି ହଳ ଳଙ୍ଗଳ ଧରି ଚାଷ କରୁଥିବାରୁ ବଞ୍ଚି ରହି ପାରିଛି ପୁରୁଣା ପରମ୍ପରା । ଆଜିର ଦୁନିଆରେ ଲୋକେ ଆଧୁନିକତାକୁ ଗଲେ ବି ସେହି ପୁରୁଣା ପରମ୍ପରା ସଦା ସର୍ବଦା ପର ପିଢ଼ୀ ପାଇଁ ଦିଗଦର୍ଶନ ହୋଇ ରହିବ ଏତିରେ ତିଳେ ମାତ୍ର ସନ୍ଦେହ ନାହିଁ ।




