ଭୋଜରାଜ ଛତ୍ରୀ (କଳାହାଣ୍ଡି)
ଦଳିତ ପରିବାରରେ ଜନ୍ମ ହେବା କଣ ଭୁଲ, ଦଳିତ ହେଲୁ ବୋଲି ଆମର କୌଣସି ମୌଳିକ ହକ ଅଧିକାର ନାହିଁ,ଯଦି ଦଳିତ ଘରେ ଜନ୍ମ ହୋଇ ଆମର ଭୁଲ ହେଇଚି ତାହେଲେ ସରକାର କି ପ୍ରଶାସନ ଆମକୁ କାହିଁକି ଜନ୍ମରୁ ମାରି ଦେଲାନି,ଦଳିତ ସମ୍ପ୍ରଦାୟର ହୋଇଥିବାରୁ ଆମ ପଡ଼ାକୁ ରାସ୍ତା ଦିଆଯାଉନାହିଁ। ଏଭଳି ଗୁରୁତର ଅଭିଯୋଗ ଆଣିଛନ୍ତି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ବଡ଼ପୁଝାରୀଗୁଡ଼ା ଗ୍ରାମ ପଞ୍ଚାୟତର ପୁଝାରୀଗୁଡ଼ା ଗ୍ରାମର ଦଳିତ ପଡ଼ା ବାସିନ୍ଦାମାନେ।
ଗ୍ରାମର ପ୍ରାୟ ୩୦ ଘର ଦଳିତ ପରିବାର ବସବାସ କରୁଥିବା ଏହି ପଡ଼ାରେ ବର୍ଷ ବର୍ଷ ଧରି ପକ୍କା ରାସ୍ତା ନଥିବାରୁ ଜୀବନଯାପନ ଅତ୍ୟନ୍ତ କଷ୍ଟକର ହୋଇପଡ଼ିଛି ବୋଲି ସେମାନେ କହିଛନ୍ତି। ବର୍ଷା ଦିନରେ କାଦୁଅ ଓ ପାଣି ଜମି ଯୋଗାଯୋଗ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହେଉଥିବାର ଅଭିଯୋଗ ମଧ୍ୟ କରିଛନ୍ତି। ଏହାର ପ୍ରଭାବରେ ଛାତ୍ରଛାତ୍ରୀମାନେ ସ୍କୁଲକୁ ଯିବାରେ ଅସୁବିଧା ଭୋଗିବା ସହ , ଗର୍ଭବତୀ ମହିଳା, ବୃଦ୍ଧ ଓ ରୋଗୀଙ୍କୁ ହସ୍ପିଟାଲକୁ ନେବା ମଧ୍ୟ କଷ୍ଟସାଧ୍ୟ ହୋଇପଡ଼ୁଛି।
ସ୍ଥାନୀୟ ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ବହୁବାର ପଞ୍ଚାୟତ ଓ ପ୍ରଶାସନଙ୍କ ନିକଟରେ ରାସ୍ତା ନିର୍ମାଣ ପାଇଁ ଦାବି କରାଯାଇଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ କୌଣସି ସମାଧାନ ହୋଇନାହିଁ। ସେମାନେ ଦଳିତ ସମ୍ପ୍ରଦାୟର ହୋଇଥିବାରୁ ସେମାନଙ୍କ ପଡ଼ାକୁ ଅବହେଳା କରାଯାଉଛି ବୋଲି ମଧ୍ୟ ଅଭିଯୋଗ ଉଠିଛି।
ଗ୍ରାମବାସୀଙ୍କ ଆଉ ଏକ ଅଭିଯୋଗ ହେଉଛି, ସେମାନଙ୍କ ପଡ଼ାକୁ ଯାଉଥିବା ରାସ୍ତାକୁ ଅନ୍ୟ ସ୍ଥାନରେ କାମ କରାଯାଇ ତାହାକୁ ତାଙ୍କ ପଡ଼ାର ନାମରେ ସୂଚନା ଫଳକ ଲଗାଯାଉଛି। ଏହାକୁ ନେଇ ଅଭିଯୋଗ କଲେ ସରକାରୀ କର୍ମଚାରୀମାନେ ନାଲି ଆଖି ଦେଖାଉଛନ୍ତି ବୋଲି ସେମାନେ କହିଛନ୍ତି।
ଏହି ସମ୍ପର୍କରେ ସ୍ଥାନୀୟ ସମିତି ସଭ୍ୟା ବନବାସୀ ମାଝୀ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଏହି ଦଳିତ ପଡ଼ା ପାଇଁ ଯେତେ ଉନ୍ନୟନ କାର୍ଯ୍ୟ ଆସୁଛି, ବ୍ଲକ ଅଧ୍ୟକ୍ଷ ଥବିର ବାଗ ସେଥିପାଇଁ ଅନୁମୋଦନ ଦେଉନାହାନ୍ତି। ନା ସମିତି ସଭ୍ୟାଙ୍କ କଥା ଶୁଣୁଛନ୍ତି, ନା ପଡ଼ାବାସୀଙ୍କ ସମସ୍ୟାକୁ ଗୁରୁତ୍ୱ ଦେଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।
ଅନ୍ୟପଟେ ପଡ଼ାବାସୀଙ୍କ କହିବା ଅନୁଯାୟୀ, ଅନ୍ୟ ସାହିରେ ବିକାଶମୂଳକ କାର୍ଯ୍ୟ ହୋଇଥିବା ବେଳେ ସେମାନଙ୍କ ଅଞ୍ଚଳରେ ମୌଳିକ ସୁବିଧା ପହଞ୍ଚିପାରିନାହିଁ। ସେମାନେ ଏହି ଘଟଣାର ନିରପେକ୍ଷ ତଦନ୍ତ ସହ ତୁରନ୍ତ ପକ୍କା ରାସ୍ତା ନିର୍ମାଣ ଦାବି କରିଛନ୍ତି।ଯଦି ଆଗାମୀ ଦିନରେ ରାସ୍ତା ନିର୍ମାଣ ନହୁଏ, ତେବେ ବିଡ଼ିଓ ଅଫିସ ସମ୍ମୁଖରେ ଗଣଧାରଣା ଦେବାକୁ ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି।

