ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକ ଅନ୍ତର୍ଗତ ଗଣ୍ଡକିପୁର ଗ୍ରାମରେ ପ୍ରବଳ ବର୍ଷା ଯୋଗୁଁ ଘଟିଛି ଏକ ଦୁଃଖଦ ଘଟଣା । ଘଟଣାରେ ଜଣେ ୫୪ ବର୍ଷୀୟ ବ୍ୟକ୍ତିଙ୍କର ପ୍ରାଣହାନି ଘଟିଛି। ମୃତକ ହେଲେ ରତ୍ନାକର ବେହେରା। ଅବିରତ ବର୍ଷା ଯୋଗୁଁ ଘରର ଇଟା ଓ ସିମେଣ୍ଟରେ ନିର୍ମିତ କାନ୍ଥ ଦୁର୍ବଳ ହୋଇ ହଠାତ୍ ଭୁଷୁଡ଼ି ପଡ଼ିବାରୁ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, ରତ୍ନାକର ବେହେରା ଦିନରେ ଖାଇସାରି ଘରୁ ବାହାରକୁ ଯିବା ପାଇଁ ସାଇକେଲ ବାହାର କରୁଥିଲେ।ଲଗାତର ବର୍ଷା ଯୋଗୁ ଘରର କାନ୍ଥ ଦୁର୍ବଳ ହୋଇପଡ଼ିଥିଲା ସେହି ସମୟରେ କାନ୍ଥଟି ହଠାତ୍ ତାଙ୍କ ଉପରେ ଭୁଷୁଡ଼ି ପଡ଼ିଥିଲା। ଏହି ଦୁର୍ଘଟଣାରେ ସେ କାନ୍ଥ ତଳେ ଚାପି ହୋଇଯାଇଥିଲେ।
ରତ୍ନାକର ବେହେରା ତାଙ୍କ ପରିବାରର ଏକମାତ୍ର ରୋଜଗାରକ୍ଷମ ସଦସ୍ୟ ଥିଲେ। ତାଙ୍କ ରୋଜଗାର ଉପରେ ସମଗ୍ର ପରିବାର ନିର୍ଭରଶୀଳ ଥିବା ବେଳେ ତାଙ୍କର ଦୁଇଟି ସନ୍ତାନ ଏବେ ପାଠପଢ଼ା କରୁଛନ୍ତି। ହଠାତ୍ ତାଙ୍କର ମୃତ୍ୟୁ ଯୋଗୁଁ ପରିବାର ଗଭୀର ଆର୍ଥିକ ଓ ମାନସିକ ସଙ୍କଟରେ ପଡ଼ିଛି। ଘଟଣା ଘଟିବା ପରେ ପରିବାର ଲୋକ ଓ ପଡ଼ୋଶୀମାନେ ଦୌଡ଼ି ଆସି ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟାକରିଥିଲେ। ତେବେ କାନ୍ଥଟି ଇଟା ଓ ସିମେଣ୍ଟରେ ତିଆରି ହୋଇଥିବାରୁ ଏହାକୁ ହଟାଇବାରେ ସମୟ ଲାଗିଥିଲା। ଫଳରେ ରତ୍ନାକରଙ୍କୁ ଶୀଘ୍ର ଉଦ୍ଧାର କରିବା ସମ୍ଭବ ହୋଇନଥିଲା ଏବଂ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଘଟଣା ପରେ ସମଗ୍ର ଗ୍ରାମରେ ଶୋକର ଛାୟା ଖେଳିଯାଇଛି।ଖବର ପାଇ କୁଜଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିଥିଲା। ପରେ ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ପ୍ରବଳ ବର୍ଷା ଯୋଗୁଁ କାନ୍ଥ ଦୁର୍ବଳ ହୋଇ ଭୁଷୁଡ଼ି ପଡ଼ିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ବେଳେ ପୋଲିସ ଅନ୍ୟାନ୍ୟ ଦିଗକୁ ମଧ୍ୟ ଯାଞ୍ଚ କରୁଛି।
ଏହି ଦୁଃଖଦ ଘଟଣା ପରେ ଗ୍ରାମବାସୀ ମୃତକଙ୍କ ପରିବାର ପାଇଁ ସରକାରୀ ସହାୟତା ଓ ଆର୍ଥିକ ଅନୁଦାନ ଯୋଗାଇ ଦେବାକୁ ଦାବି କରିଛନ୍ତି। ପରିବାରର ଭବିଷ୍ୟତ, ଦୁଇ ସନ୍ତାନଙ୍କ ଶିକ୍ଷା ଏବଂ ଜୀବିକାକୁ ଦୃଷ୍ଟିରେ ରଖି ପ୍ରଶାସନ ତୁରନ୍ତ ଆବଶ୍ୟକ ସହାୟତା ପ୍ରଦାନ କରିବାକୁ ସ୍ଥାନୀୟ ଲୋକମାନେ ନିବେଦନ କରିଛନ୍ତି।

