Tuesday, 21 July 2026
ଓଡ଼ିଶା ମୁଖ୍ୟ ଖବର ରାଜନୀତି ରାଜ୍ୟ ରାଜନୀତି

ଭୁଷୁଡି ଜୀବ କି ବିଜେଡ଼ି, ନବୀନ ଦେଇଥିବା ଶଙ୍ଖ ଫେରେଇ ଦେବେ କି ଆରୁଖ!

ନବୀନ ଦେଇଥିବା ଶଙ୍ଖ ଫେରେଇ ଦେବେ ବିକ୍ରମ କେଶରୀ ଆରୁଖ ଶଙ୍ଖ ବଦଳରେ ସେଇ ହାତରେ ପଦ୍ମ ଫୁଲ ଧରିବାକୁ ସେ ନିଷ୍ପତି ନେଇ ସାରିଛନ୍ତି। କାରଣ ଆଗରୁ ନବୀନ ପଟ୍ଟନାୟକଙ୍କ ହାତରୁ ମନ୍ତ୍ରୀ ପଦ ମିଳୁଥିଲା। କିନ୍ତୁ ଏବେ ନବୀନଙ୍କ ପାଖରେ ଦେବା ପାଇଁ ଆଉ କିଛି ବାକି ନାହିଁ। ତେଣୁ ନବୀନଙ୍କ ପାଖରୁ ବାହାରି ଆସିବା ପାଇଁ ବିକ୍ରମ ନିଷ୍ପତି ନେଇଛନ୍ତି। ଗଞ୍ଜାମର ଟାଣୁଆ ନେତା ବିକ୍ରମ ଆରୁଖ ନେଇ ଏବେ ଏମିତି ଚର୍ଚ୍ଚା ଚାଲିଛି ।

କାରଣ ବିଜେଡି ସତ୍ତାରୁ ଯିବା ପରଠାରୁ ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏବେ ବିଜେଡି କାର୍ଯ୍ୟକ୍ରମରୁ ଦୂରେଇ ଦୂରେଇ ରହୁଛନ୍ତି। ଗତ କିଛି ମାସ ହେବ ଏ ଦୂରତା ଆହୁରି ବଢିଯାଇଛି। ଏମିତିକି ନବୀନ ଗଢିଥିବା ବିଜେଡି ରାଜନୈତିକ ବ୍ୟାପାର କମିଟିର ସଦସ୍ୟ ଥାଇ ମଧ୍ୟ ବିକ୍ରମ ବୈଠକରେ ଅନୁପସ୍ଥିତ ରହୁଛନ୍ତି। ସେହିପରି ଗଞ୍ଜାମର ଦଳୀୟ କାର୍ଯ୍ୟକ୍ରମରେ ବି ତାଙ୍କୁ ଦେଖିବାକୁ ମିଳୁନାହିଁ। ତେଣୁ ବିଜେଡିରୁ ଖାପ ଛଡା ଦେଉଥିବା ବିକ୍ରମ ଏବେ ବିଜେପି ମୁହାଁ ବୋଲି ଚର୍ଚ୍ଚା ହେଉଛି।

ଆସନ୍ତା ବର୍ଷ ହେବାକୁ ଥିବା ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ସେ ବିଜେଡି ଛାଡ଼ିବେ ବୋଲି ଗଞ୍ଜାମ ରାଜନୀତିରେ ଆଲୋଚନା ଜୋର୍ ଧରିଛି। ଏହି ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି ଗଞ୍ଜାମ ଜିଲ୍ଲାରୁ ଆସୁଥିବା ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ପ୍ରତିକ୍ରିୟା। ବିକ୍ରମଙ୍କ ଭଳି ଟାଣୁଆ ନେତା ବିଜେଡି ଛାଡି ବିଜେପି ଆସିଲେ ସଂଗଠନ ଆହୁରି ମଜଭୁତ ହେବ ବୋଲି କହିଛନ୍ତି। ସେହିପରି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ବି କହିଛନ୍ତି ଆମ ଦ୍ବାର ସବୁବେଳେ ଖୋଲା ଅଛି। ତେଣୁ ବିଜେଡ଼ି ଧୀରେ ଧୀରେ ଖାଲି ହେଉଛି ଆଉ ଦୁର୍ବଳ ହେଉଛି ଜାଣିବା ପରେ ନବୀନଙ୍କ ଚିନ୍ତା ବଢ଼ି ଯାଇଛି।

ଭଞ୍ଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୬ ଥର ନିର୍ବାଚିତ ହୋଇଛନ୍ତି ବିକ୍ରମ ଆରୁଖ। ୧୯୯୫ରୁ ଲଗାତର ଭାବେ ନିର୍ବାଚିତ ହୋଇ ଆସୁଥିବାବେଳେ ୨୦୨୪ ନିର୍ବାଚନରେ ସେ ବିଜେପି ପ୍ରାର୍ଥୀ ପ୍ରଦ୍ୟୁମ୍ନ ନାୟକଙ୍କଠାରୁ ପରାସ୍ତ ହୋଇଥିଲେ। ତେବେ ରୋଚକ କଥା ହେଉଛି, ଗତ ନିର୍ବାଚନ ପ୍ରଚାର ସମୟରେ ବିକ୍ରମ ଖୋଲା ମଞ୍ଚରେ ଘୋଷଣା କରିଥିଲେ ଯେ, ଯଦି ସେ ନିର୍ବାଚନ ହାରିଯାନ୍ତି ତେବେ ସେ ସକ୍ରିୟ ରାଜନୀତିରୁ ଅବସର ନେଇଯିବେ । ଆଉ ନିର୍ବାଚନ ହାରିବା ପରଠାରୁ ତାଙ୍କର ଦେଖା ଦର୍ଶନ ବି ନାହିଁ। ଦୁଇ ବର୍ଷ ପରେ ଗଞ୍ଜାମ ରାଜନୀତିରେ ଏବେ ଚର୍ଚ୍ଚା ଯେ, ଆରୁଖ ଏବେ ବିଜେପିରେ ସାମିଲ୍ ହେବାକୁ ଯାଉଛନ୍ତି। ଅନ୍ୟପକ୍ଷରେ ବିଜେଡି କହିଛି ଆରୁଖ ଗଲେ ଦଳରେ କୌଣସି ପ୍ରଭାବ ପଡିବ ନାହିଁ। ଯେଉଁଥିରୁ ଅନୁମାନ କରାଯାଉଛି ଯେ, ବିଜେଡି ବି ଜାଣିସାରିଲାଣି ଆରୁଖ ଆଉ ପାର୍ଟି ଲାଇନରେ ନାହାନ୍ତି। ରାଜନୈତିକ ସମୀକ୍ଷକଙ୍କ ମତ , ନେତାଙ୍କୁ ନରଖି ପାରିଲେ ବିଜେଡି ସ୍ଥିତି ଆଗକୁ ଆହୁରି ସାଂଘାତିକ ହେବ। ତେଣୁ ନବୀନ ବିଜେଡ଼ି କୁ ପୁଣିଥରେ ଶକ୍ତିଶାଳୀ କରିବା ପାଇଁ କେଉଁ ପଦକ୍ଷେପ ନେବେ ତାହା ଉପରେ ସବୁକିଛି ନିର୍ଭର କରୁଛି।

Leave a Reply

Your email address will not be published. Required fields are marked *

Suchana Tv @2025. All Rights Reserved || Developed By CBSPL