Sunday, 17 May 2026
କ୍ରୀଡା

ବିସ୍ମୟ ବାଳିକା ତନ୍ବୀଙ୍କ ବଡ଼ ଲକ୍ଷ୍ୟ: ‘ଅଲିମ୍ପିକ୍ସ ସ୍ବପ୍ନ ସବୁଦିନ ଦେଖିଥାଏ’

ପିଭି ସିନ୍ଧୁଙ୍କ ଭଳି ପ୍ରତିଭା, ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିବାର ପ୍ରତିଶ୍ରୁତି। ବ୍ୟାଡ୍‌ମିଣ୍ଟନ୍‌ ‌କୋର୍ଟର ବିସ୍ମୟ ଓଡ଼ିଆ ବାଳିକା ତନ୍ବୀ ପତ୍ରୀ ଜାତୀୟ ସୀମା ସରହଦ ପାର ହୋଇ ଏସୀୟସ୍ତରରେ ସଫଳତାର ଅନନ୍ୟ ଇତିହାସ ରଚିଛନ୍ତି।

ଭୁବନେଶ୍ବର: ପିଭି ସିନ୍ଧୁଙ୍କ ଭଳି ପ୍ରତିଭା, ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିବାର ପ୍ରତିଶ୍ରୁତି। ବ୍ୟାଡ୍‌ମିଣ୍ଟନ୍‌ ‌କୋର୍ଟର ବିସ୍ମୟ ଓଡ଼ିଆ ବାଳିକା ତନ୍ବୀ ପତ୍ରୀ ଜାତୀୟ ସୀମା ସରହଦ ପାର ହୋଇ ଏସୀୟସ୍ତରରେ ସଫଳତାର ଅନନ୍ୟ ଇତିହାସ ରଚିଛନ୍ତି। ଚୀନ୍‌ରୁ ଯେଉଁ ଯାତ୍ରା ଆରମ୍ଭ ହୋଇଥିଲା, ତାହାକୁ ଅଲିମ୍ପିକ୍ସ ପୋଡିୟମ୍‌ରେ ଶେଷ କରିବାକୁ ଲକ୍ଷ୍ୟ ରଖିଛନ୍ତି ୧୩ ବର୍ଷୀୟା ତନ୍ବୀ। ଏଥିଲାଗି ବେଙ୍ଗାଲୁରୁରେ ରହି କିବଂଦନ୍ତି ପ୍ରକାଶ ପାଦୁକୋନଙ୍କ ଏକାଡେମିରେ ପ୍ରଶିକ୍ଷଣ ନେଉଛନ୍ତି। ମାଛ ଆଖି ଉପରେ ଅର୍ଜୁନଙ୍କ ଲକ୍ଷ୍ୟ ଭଳି ଅଲିମ୍ପିକ୍ସ ପଦକକୁ ଲକ୍ଷ୍ୟ କରି ବ୍ୟାଡ୍‌ମିଣ୍ଟନ୍ କୋର୍ଟରେ ନିଜ କଠୋର ତପସ୍ୟା ଜାରି ରଖିଛନ୍ତି। ଅସାଧାରଣ ପ୍ରତିଭା ଓ ଅତୁଳନୀୟ ସ୍ଥିରତା ବଳରେ ତୃତୀୟ ଭାରତୀୟ ଭାବେ ଏସୀୟ ୧୫ ବର୍ଷରୁ କମ୍ ବାଳିକା ଟ୍ରଫି ସହ ରାଜ୍ୟ ଓ ଜାତୀୟସ୍ତରରେ ମାଳମାଳ ପଦକ ଜିତିଥିବା ଏହି ଅଷ୍ଟମ ଶ୍ରେଣୀ ଛାତ୍ରୀ ଜାତୀୟ କନିଷ୍ଠ ବ୍ୟାଡ୍‌ମିଣ୍ଟନ୍‌ ଖେଳିବାକୁ ଭୁବନେଶ୍ବର ଆସିଥିଲା ବେଳେ ନିଜ ଭବିଷ୍ୟତ ଯୋଜନା, ଶକ୍ତି, ସାମର୍ଥ୍ୟ ଓ କୁନି ବୟସରେ କ୍ରୀଡ଼ା କମାଲର ଲମ୍ବା ଧାରା ବିଷୟରେ ଦେଇଥିଲେ ବିସ୍ତୃତ ବିବରଣୀ।

ଆପଣଙ୍କୁ ଏବେଠୁ ପିଭି ସିନ୍ଧୁ ଓ ସାଇନା ନେହୱାଲ୍‌ଙ୍କ ଉତ୍ତରାଧିକାରୀ ଭା‌ବେ ବିବେଚନା କରାଗଲାଣି। ସିନ୍ଧୁ ଓ ସାଇନାଙ୍କ କେଉଁ ଗୁଣ ଆପଣଙ୍କୁ ଭଲ ଲାଗେ। କେଉଁ କ୍ଷେତ୍ରରେ ଉନ୍ନତି କରିବାର ଅବକାଶ ରହିଛି ‌ବୋଲି ଭାବୁଛନ୍ତି?
ପିଭି ସିନ୍ଧୁ ଜଣେ କିଂବଦନ୍ତି ଖେଳାଳି। ସେ ଦୁଇଟି ଅଲିମ୍ପିକ୍ସ ପଦକ ଜିତିଛନ୍ତି। ମୁଁ ତ ଏବେ ଏବେ ଆରମ୍ଭ କରୁଛି। ତଥାପି ତାଙ୍କ ଭଳି ହେବାକୁ ଚେଷ୍ଟା କରୁଛି। ସିନ୍ଧୁଙ୍କ ସର୍ଭିସ୍ ବହୁତ ଶକ୍ତିଶାଳୀ। ସେ ଆଟାକିଂ ଖେଳ ଖେଳନ୍ତି। ମୁଁ ତାଙ୍କର ସେହି ଗୁଣକୁ ମୋ ଖେଳରେ ଉପଯୋଗ କରିବାକୁ ଚେଷ୍ଟା କରୁଛି। ସାଇନାଙ୍କୁ ଖେଳୁଥିବାର ମୁଁ ପ୍ରାୟତଃ ଦେଖିନାହିଁ। ଭିଡିଓରୁ ଯାହା ଅନୁସରଣ କରିଛି। ତାଙ୍କ ଖେଳ ବି ବହୁତ ଭଲ। ‌ହେଲେ ମୋ ପସନ୍ଦର ଖେଳାଳି ହେଉଛନ୍ତି ଡେନ୍‌ମାର୍କର ଭିକ୍ଟର ଆକ୍‌ସେଲ୍‌ସନ୍। ଷ୍ଟ୍ରୋକ୍ ପ୍ଲେଇଂ, ଡ୍ରପ୍ସ ଓ ଡିଫେନ୍ସରେ ମୁଁ ଭଲ ଅଛି। ହେଲେ ଗତି ଓ ମୁଭ୍‌ମେଣ୍ଟ୍ ଉପରେ ଆଉ ଟିକିଏ ଧ୍ୟାନ ଦେବାକୁ ପଡ଼ିବ ବୋଲି ଭାବୁଛି।

ଚୀନ୍‌ରେ ଖେଳ ଆରମ୍ଭ କରିଥିଲେ। ଏବେ ଭାରତରେ ପ୍ରଶିକ୍ଷଣ ନେଉଛନ୍ତି। ଚୀନ ଓ ଭାରତର କ୍ରୀଡ଼ା ସଂସ୍କୃତି ବିଷୟରେ କି ପାର୍ଥକ୍ୟ ରହିଛି ବୋଲି ଭାବୁଛନ୍ତି?
ବାପା ସେଠାରେ ରହୁଥିବାରୁ ମାତ୍ର ୬ ବର୍ଷ ବୟସରେ ମୁଁ ସେଠାରେ ଖେଳ ଆରମ୍ଭ କରିଥିଲି। ଚୀନ୍‌ରେ ପ୍ରଶିକ୍ଷକମାନେ ସବୁକିଛି ହାତଧରି ଶିଖାନ୍ତି। ଆପଣ କହି ପାରନ୍ତି ଯେ ବୈଷୟିକ ଦୃଷ୍ଟିକୋଣରୁ ସେମାନେ ବହୁତ ଉପରେ। ବିଶେଷ କରି ଛୋଟଛୋଟ ପିଲାଙ୍କୁ ସେଠାକାର ପ୍ରଶିକ୍ଷକମାନେ ସ୍ବତନ୍ତ୍ର ଧ୍ୟାନ ଦେଇଥା’ନ୍ତି। ଭିତ୍ତିଭୂମିରେ ସେମିତି କିଛି ଫରକ ନାହିଁ। କିନ୍ତୁ ପ୍ରଶିକ୍ଷକ ବ୍ୟବସ୍ଥା ଓ ପ୍ରକ୍ରିୟାରେ ଏବେବି ଫରକ ରହିଛି। ଚୀନ୍‌ରେ ଥିଲା ବେଳେ ବାପା ମଧ୍ୟ ମୋର ଟେକ୍‌ନିକ୍ ସୁଧାରିବା ଲାଗି ବହୁତ ସମୟ ଦେଉଥିଲେ। ହେଲେ ବୟସବର୍ଗକୁ ଗଲା ପରେ ମୋତେ ସବୁକିଛି ଏଠାକାର ପ୍ରଶିକ୍ଷକଙ୍କ ମାର୍ଗଦର୍ଶନ ଉପରେ ନିର୍ଭର କରିବାକୁ ପଡ଼ୁଛି। ତା ସହ ଚୀନ୍‌ ଭଳି ଶକ୍ତିଶାଳୀ ପ୍ରତିପକ୍ଷ ମିଳିବା ବି ଏଠି ସହଜ ନୁହେଁ।

ଏସୀୟସ୍ତରରେ ଆଧିପତ୍ୟ ବିସ୍ତାର କରିବା ସତ୍ତ୍ବେ ଜାତୀୟ କନିଷ୍ଠ ବ୍ୟାଡ୍‌ମିଣ୍ଟନ୍‌ର ସେମିଫାଇନାଲ୍‌ରେ ଆପଣଙ୍କ ବିଜୟ ରଥ ଅଟକି ଯାଇଥିଲା? ଏମିତି କାହିଁକି ହେଲା ବୋଲି ଭାବୁଛନ୍ତି?
ମୋ ଭୁଲ୍ ପାଇଁ ହିଁ ଫାଇନାଲ୍ ଖେଳି ପାରିଲି ନାହିଁ। ପ୍ରଥମ ସେଟ୍‌ରେ ମୁଁ ଆଗୁଆ ଥିଲି। ହେଲେ ଜଲ୍‌ଦି ଜଲ୍‌ଦି ମ୍ୟାଚ୍ ଶେଷ କରିବା ପ୍ରୟାସରେ ବହୁତ ଅନିଚ୍ଛାକୃତ ତ୍ରୁଟି କରିଥିଲି। ପ୍ରତିପକ୍ଷ ଖେଳାଳିଙ୍କୁ ପଏଣ୍ଟ୍‌ ଦେଇ ଚାଲିଥିଲି। ଫଳରେ ଶେଷ ଦୁଇ ସେଟ୍‌ ହାରି କାଂସ୍ୟ ପଦକରେ ସନ୍ତୁଷ୍ଟ ରହିଥିଲି। ଆଗକୁ ଏହି ଭୁଲ୍ କରିବିନି ବୋଲି ଶପଥ ନେଇଛି। ଏଠାରୁ ମୁଁ ଅନେକ କିଛି ଶଖିଛି।

ସାମାଜିକ ଗଣମାଧ୍ୟମରେ ସମୟ ଅପଚୟ କରିବା ଆଜିକାର ପିଲାଙ୍କ ଭିତରେ ଏକ ନିଶାରେ ପରିଣତ ହେଲାଣି। ଆପଣ କିଭଳି ନିଜକୁ ଏଥିରୁ ଦୂରେଇ ରଖୁଛନ୍ତି? ଏକାଗ୍ରତା ପାଇଁ କ’ଣ କରନ୍ତି?
ମୁଁ ପୂର୍ବରୁ ପ୍ରସ୍ତୁତ କରିଥିବା ସାରଣୀ ଅନୁସାରେ ହିଁ କାମ କରିଥାଏ। ମୋବାଇଲ୍ ଓ ସାମାଜିକ ଗଣମାଧ୍ୟମରୁ ଯଥାସମ୍ଭବ ଦୂରେଇ ରହିବାକୁ ଚେଷ୍ଟା କରିଥାଏ। ଦିନକୁ କେବଳ ୧୦ରୁ ୨୦ ମିନିଟ୍ ଏଥିଲାଗି ସମୟ ଦେଇଥାଏ। କେବେବି ଅଧଘଣ୍ଟାଏରୁ ଅଧିକ ସମୟ ଏଥିଲାଗି ବ୍ୟୟ କରି ନଥାଏ। ଏକାଗ୍ରତା ଓ ଶୃଙ୍ଖଳିତ ଜୀବନ ପାଇଁ ମୁଁ ‌ସବୁଦିନ ସକାଳୁ ଯୋଗ ଓ ପ୍ରାଣାୟମ୍ କରିଥାଏ। ସବୁ ପିଲାଙ୍କୁ ଯୋଗ କରିବାକୁ ମୁଁ ଆହ୍ବାନ କରିବି। ସମୟ ମିଳିଲେ ମୁଁ ଶୋଇପଡ଼େ। ସାମାଜିକ ଗଣମାଧ୍ୟମ ଅପେକ୍ଷା ଶୋଇବାକୁ ମୋତେ ବହୁତ ଭଲ ଲାଗେ।

 ଓଡ଼ିଶାର ବିଶାଖା ଟପ୍ପୋ, ପ୍ରଗତି ପରିଡ଼ା ଓ ପଣ୍ଡା ଭଉଣୀଙ୍କ ଭଳି ଖେଳାଳି ବ୍ୟାଡ୍‌ମିଣ୍ଟନ୍‌ରେ ବେଶ୍ ନାଁ କରିଛନ୍ତି। ଏଭଳି ଖେଳାଳିଙ୍କ ସଂଖ୍ୟା ଆହୁରି ବଢ଼ାଇବା ଲାଗି କି ପ୍ରକାର ପଦକ୍ଷେପ ଓ ପ୍ରୋତ୍ସାହନର ଆବଶ୍ୟକତା ରହିଛି ବୋଲି ଭାବୁଛନ୍ତି?
ବିଶାଖା, ପ୍ରଗତି ଦିଦି ଏବଂ ଶ୍ବେତାପର୍ଣ୍ଣା ଓ ଋତାପର୍ଣ୍ଣା ପଣ୍ଡା ନିଜ ନିଜ କ୍ଷେତ୍ରରେ ବହୁତ ଭଲ କରୁଛନ୍ତି। ଓଡ଼ିଶାରୁ ଖେଳାଳି ବଢ଼ାଇବାକୁ ହେଲେ ଆମକୁ ପ୍ରଶିକ୍ଷଣ ବ୍ୟବସ୍ଥା‌ ଉପରେ ଅଧିକ ଧ୍ୟାନ ଦେବାକୁ ହେବ। ଘରୋଇ ଏକାଡେମି ଆଦିକୁ ପ୍ରୋତ୍ସାହନ ମିଳିଲେ ବହୁତ ଭଲ ହେବ। କାରଣ ଆମର ବହୁତ ପିଲା ବାହାରେ ପ୍ରଶିକ୍ଷଣ ନେଉଛନ୍ତି। ଏଠାକାର ଭିତ୍ତିଭୂମି ବହୁତ ଭଲ ଅଛି। ତଥାପି ମୁଁ କହିବି ଏଗୁଡ଼ିକର ଆକାର ଆଉ ଟିକେ ବଡ଼ ହେବା ଦରକାର। ଦର୍ଶକଙ୍କ ପାଇଁ ଗ୍ୟାଲେରି ବହୁତ ଛୋଟ। ଅଧିକ ଦର୍ଶକ ଆସିଲେ ହିଁ ପିଲା ବ୍ୟାଡ୍‌ମିଣ୍ଟନ୍ ଖେଳିବାକୁ ଅଧିକ ଉତ୍ସାହିତ ହେବେ।

ବ୍ୟାଡ୍‌ମିଣ୍ଟନ୍‌ ଓ ପାଠପଢ଼ା ମଧ୍ୟରେ କିଭଳି ସନ୍ତୁଳନ ରକ୍ଷା କରୁଛନ୍ତି। କାହାକୁ କେତେ ସମୟ ଦେଉଛନ୍ତି?
ମୁଁ ଏବେ ଭୁବନେଶ୍ବରର ଓଡିଏମ୍ ଗ୍ଲୋବାଲ ସ୍କୁଲ୍‌ରେ ଅଷ୍ଟମ ଶ୍ରେଣୀରେ ପଢ଼ୁଛି। ସେମାନେ ମୋର ପ୍ରାୟୋଜକ ଅଛନ୍ତି। ଖେଳ ପାଇଁ ନିୟମିତ କ୍ଲାସ୍ କରିବା‌ ଉପରେ ମୋତେ ବିଦ୍ୟାଳୟ କର୍ତ୍ତୁପକ୍ଷ ରିହାତି ପ୍ରଦାନ କରିଛନ୍ତି। କେବଳ ପରୀକ୍ଷା ଦେବାକୁ ଆସୁଛି। ମୋ ମା’ ମଧ୍ୟ ମୋତେ ଘରେ ପାଠ ପଢ଼ାନ୍ତି। ପାଠ ଓ ଖେଳରେ ସନ୍ତୁଳନ ରଖିବା ସେତେ‌ଟା ସହଜ ନହେଲେ ମଧ୍ୟ ସେମିତି କିଛି ଅସୁବିଧା ହେଉନି।

 ଆପଣ କୁହନ୍ତି ବାପା ଓ ମା’ଙ୍କ ସମର୍ଥନ, ମାର୍ଗଦର୍ଶନ ଓ ତ୍ୟାଗ ହିଁ ଆପଣଙ୍କୁ ଏତେ ବାଟ ଆପଣଙ୍କୁ ଆଣି ପାରିଛି। ଆପଣଙ୍କ ସଫଳତାରେ ସେମାନଙ୍କ ଛଡ଼ା ଆଉ କାହାର ଅବଦାନ ରହିଛି?
ମୋ ବାପା ରବିନାରାୟଣ ପତ୍ରୀ କଗ୍ନିଜାଣ୍ଟ ଓ ମା’ ଶୈଳବାଳା ପଣ୍ଡା‌ ଇନଫୋ‌ସିସ୍‌ରେ କାମ କରନ୍ତି। ସମୟ ବାହାର କରିବାକୁ ସେମାନଙ୍କ ପାଇଁ ବହୁତ କଷ୍ଟ। ତଥାପି ସେମାନେ ମୋ ପାଇଁ ନିଜ ଜୀବନକୁ ପୂରା ଉତ୍ସର୍ଗ କରି ଦେଇଥିବା କହିଲେ ଚଳେ। ସେମାନଙ୍କ ପାଇଁ ହିଁ ମୁଁ ଏତେ ବାଟ ଆସି ପାରିଛି। ତା’ ଛଡ଼ା ପ୍ରଶିକ୍ଷକ, ସ୍କୁଲ୍ ଓ ସାଥୀ ଖେଳାଳିଙ୍କର ମୋର ଉନ୍ନତିରେ ବହୁତ ବଡ଼ ହାତ ଅଛି।

 ଅଲିମ୍ପିକ୍ସ ପଦକ ଲକ୍ଷ୍ୟ ନେଇ ଆଗକୁ ବଢ଼ୁଛନ୍ତି। ସବୁଦିନ ସକାଳୁ ଉଠିଲେ ଅଲିମ୍ପିକ୍ସ କଥା ଭାବନ୍ତି ବୋଲି ଅନେକବାର କହିଛନ୍ତି। ଏହି ସ୍ବପ୍ନ ପୂରଣ କରିବା ଲାଗି ପ୍ରଶିକ୍ଷଣ ସହ ମାନସିକ ଓ ଶାରୀରିକ ସ୍ତରରେ କିଭଳି ପ୍ରସ୍ତୁତି ହେଉଛନ୍ତି?
ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିବା ହିଁ ମୋର ଏକମାତ୍ର ଲକ୍ଷ୍ୟ। ମୁଁ ସବୁଦିନ ଅଲିମ୍ପିକ୍ସ ପୋଡିୟମ୍‌ରେ ଠିଆ ହୋଇଥିବାର ସ୍ବପ୍ନ ଦେଖେ। ତେବେ ନିକଟ ଭବିଷ୍ୟତରେ ମୁଁ ଏସୀୟ ୧୭ ବର୍ଷରୁ କମ୍, ୧୯ ବର୍ଷରୁ କମ୍ ଟ୍ରଫି ଜିତିବା ସହ ବିଶ୍ବ କନିଷ୍ଠ ଟ୍ରଫି ଜିତିବାକୁ ଲକ୍ଷ୍ୟ ରଖିଛି। ଜଣେ ଖେଳାଳି ପାଇଁ ଉଭୟ ମାନସିକ ଓ ଶାରୀରିକ ଫିଟନେସ୍‌ର ବହୁତ ଗୁରୁତ୍ବ ଥାଏ। ସେଥିପାଇଁ ମୁଁ ନିୟମିତ ଜିମ୍ ଯିବା ସହ ଧ୍ୟାନ କରିଥାଏ।

Leave a Reply

Your email address will not be published. Required fields are marked *

Suchana Tv @2025. All Rights Reserved || Developed By CBSPL