କେରଳରେ ଜଣେ ମଦ୍ୟପ ବ୍ୟକ୍ତି ବେପରୁଆ ଗାଡି ଚଳାଇ ଅର୍ଥମନ୍ତ୍ରୀ କେ.ଏନ୍. ବାଲାଗୋପାଳଙ୍କ କାରକୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣା ଶନିବାର ରାତି ପ୍ରାୟ ୧୦ଟାରେ କେରଳର ବାମନପୁରମରେ ଘଟିଥିଲା। ଖବର ପାଇ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି।
କେରଳ ପୋଲିସର ସୂଚନା ଅନୁଯାୟୀ, ରାଜ୍ୟ ଅର୍ଥମନ୍ତ୍ରୀ କେ.ଏନ୍. ବାଲାଗୋପାଳ କୋଟ୍ଟାରକ୍କାରାରୁ ତିରୁବନନ୍ତପୁରମ ଯାଉଥିବା ସମୟରେ ଦୁର୍ଘଟଣା ଘଟିଥିଲା। ଅଭିଯୁକ୍ତ ରାସ୍ତାର ଅପର ପାର୍ଶ୍ୱରେ ଗାଡ଼ି ଚଲାଉଥିଲା ।
ଓଭରଟେକ୍ କରିବାକୁ ଚେଷ୍ଟା କରିବା ସମୟରେ, ଅଭିଯୁକ୍ତ ପ୍ରଥମେ ଅନ୍ୟ ଏକ କାରକୁ ଧକ୍କା ଦେଇଥିଲା। ଏହି ସମୟରେ ସେ ନିଜ ନିୟନ୍ତ୍ରଣ ହରାଇ ଅର୍ଥମନ୍ତ୍ରୀଙ୍କ କାର ସହିତ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଦୁର୍ଘଟଣାରେ ଅର୍ଥମନ୍ତ୍ରୀଙ୍କ କାର ମଧ୍ୟ କ୍ଷତିଗ୍ରସ୍ତ ହୋଇଯାଇଥିଲା । ଫଳରେ ଅର୍ଥମନ୍ତ୍ରୀ ବାଲଗୋପାଳ ବିଧାୟକ ଜି. ଷ୍ଟିଫେନଙ୍କ କାରରେ ତିରୁବନନ୍ତପୁରମ ଅଭିମୁଖେ ଯାତ୍ରା କରିଥିଲେ। ପୋଲିସ ଅଭିଯୁକ୍ତଙ୍କୁ ଏଲେନଥୁରର ବାସିନ୍ଦା 45 ବର୍ଷୀୟ ମାଥ୍ୟୁ ଥମାସ ବୋଲି ଚିହ୍ନଟ କରିଛି।
ପୋଲିସ ଅଭିଯୁକ୍ତଙ୍କ ରକ୍ତ ନମୁନା ନେଇ ପରୀକ୍ଷା ପାଇଁ ପଠାଇଥିଲା, ଯାହା ସ୍ପଷ୍ଟ ଭାବରେ ଜଣାପଡିଛି ଯେ ଘଟଣା ସମୟରେ ଅଭିଯୁକ୍ତ ନିଶାଗ୍ରସ୍ତ ଥିଲେ। ପୋଲିସ ତାଙ୍କ ବିରୁଦ୍ଧରେ ଏକ ଅଭିଯୋଗ ରୁଜୁ କରିଛି ଏବଂ ତାଙ୍କ ଗାଡିକୁ ଜବତ କରିଛି। ହେଲେ ଅଭିଯୁକ୍ତଙ୍କୁ ଜାମିନରେ ଛାଡି ଦିଆଯାଇଛି ।



