Saturday, 5 September 2026
ଅର୍ଥନୀତି ଓଡ଼ିଶା ଜାତୀୟ ମୁଖ୍ୟ ଖବର ରାଜନୀତି

ଓଡ଼ିଶାର ଖଣିକୁ ନେଇ ନବୀନ ଧର୍ମେନ୍ଦ୍ର ମୁହାଁମୁହିଁ!

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ବିଲ୍‌-୨୦୨୬କୁ ନେଇ ଏବେ ଗରମ ହୋଇଛି ଓଡ଼ିଶା ରାଜନୀତି। ସଂସଦରେ ବିଲ୍‌ ପାସ୍‌ ହେବା ପରେ ଏହାକୁ ନେଇ ଶାସକ ଓ ବିରୋଧୀଙ୍କ ମଧ୍ୟରେ ଆରମ୍ଭ ହୋଇଛି ତୀବ୍ର ବାକ୍‌ଯୁଦ୍ଧ। ଗୋଟିଏ ପଟେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତା ଜାରି କରି ଓଡ଼ିଶାର ଖଣିଜ ସମ୍ପଦ ଓ ରାଜ୍ୟର ଅଧିକାରକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି। ନବୀନଙ୍କ ଅଭିଯୋଗ ହେଉଛି, ନୂଆ ଆଇନ ଦ୍ୱାରା ରାଜ୍ୟର ଖଣିଜ ସମ୍ପଦ ଉପରେ ଓଡ଼ିଶାର ଅଧିକାର ପ୍ରଭାବିତ ହୋଇପାରେ। ଅନ୍ୟପଟେ ନବୀନଙ୍କ ଏହି ଅଭିଯୋଗର କଡ଼ା ଜବାବ ଦେଇଛନ୍ତି ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ। ବିଲ୍‌କୁ ନେଇ ଦୁଇ ଦଳର ମତଭେଦ ଏବେ ରାଜନୈତିକ ଚର୍ଚ୍ଚାକୁ ଆହୁରି ତୀବ୍ର କରିଛି।

MMDR ସଂଶୋଧନ ବିଲ୍‌କୁ ନେଇ ଓଡ଼ିଶା ରାଜନୀତିରେ ବଢ଼ିଛି ତାତି। ଓଡ଼ିଶାର ଖଣିଜ ସମ୍ପଦ ଓ ରାଜ୍ୟର ଅଧିକାରକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଛନ୍ତି। ଏହି ପ୍ରସଙ୍ଗରେ ସର୍ବଦଳୀୟ ବୈଠକ ଡାକିବା ସହ ରାଜ୍ୟର ଖଣିଜ ସମ୍ପଦ ଓ ଅଧିକାର ସମ୍ପର୍କରେ ବିସ୍ତୃତ ଆଲୋଚନା ପାଇଁ ସ୍ୱତନ୍ତ୍ର ବିଧାନସଭା ଅଧିବେଶନ ଡାକିବାକୁ ନବୀନ ଦାବି କରିଛନ୍ତି। ନବୀନଙ୍କ ଏହି ଆକ୍ରମଣକୁ କାଉଣ୍ଟର କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। MMDR ସଂଶୋଧନ ଦ୍ୱାରା ଓଡ଼ିଶାର ରାଜସ୍ୱ କମିବ ନାହିଁ ବୋଲି ସେ ଯୁକ୍ତି ରଖିଛନ୍ତି। ନିଲାମ ପ୍ରିମିୟମ୍, ରୟାଲଟି ଓ DMF ମାଧ୍ୟମରେ ରାଜ୍ୟକୁ ଆର୍ଥିକ ଲାଭ ମିଳିବ ବୋଲି ବିଜେପି ପକ୍ଷରୁ କୁହାଯାଇଛି। ଏହାକୁ ନେଇ ବିଜେଡି ଓ ବିଜେପି ମଧ୍ୟରେ ବଢ଼ିଛି ରାଜନୈତିକ ବିତର୍କ।

ବିଜେପି ପକ୍ଷରୁ ଦାବି କରାଯାଇଛି ଯେ, ୨୦୧୪ ପୂର୍ବରୁ ଓଡ଼ିଶାର ଖଣି ରାଜସ୍ୱ ପ୍ରାୟ ୫ ହଜାର କୋଟି ଟଙ୍କା ଥିଲା। ପରେ ଖଣି ନିଲାମ ବ୍ୟବସ୍ଥା ଲାଗୁ ହେବା ପରେ ରାଜ୍ୟର ଖଣି ରାଜସ୍ୱରେ ବଡ଼ ବୃଦ୍ଧି ଘଟିଥିବା ଦଳ ଦାବି କରିଛି। ଏହା ସହ ନବୀନ ସରକାରଙ୍କ ସମୟର ରାଜ୍ୟ ଋଣଭାରକୁ ନେଇ ମଧ୍ୟ ବିଜେପି ପ୍ରଶ୍ନ ଉଠାଇଛି। ୨୦୦୦ ମସିହାରୁ ରାଜ୍ୟର ଋଣ କିପରି ବଢ଼ିଲା, ତାହାର ହିସାବ ଦେବାକୁ ଦଳ ଦାବି କରିଛି। ଏବେ ‘ଓଡ଼ିଶାର ହକ୍’ ବନାମ ‘ରାଜସ୍ୱର ହିସାବ’କୁ ନେଇ ବିଜେଡି-ବିଜେପି ମୁହାଁମୁହିଁ। ତେବେ ପ୍ରଶ୍ନ ଉଠୁଛି—MMDR ସଂଶୋଧନ ବିଲ୍ ଓଡ଼ିଶା ପାଇଁ ଆଶୀର୍ବାଦ ନା ଅଭିଶାପ? ରାଜ୍ୟର ଖଣିଜ ସମ୍ପଦରୁ ଲାଭ ବଢ଼ିବ ନା ଅଧିକାର ପ୍ରଭାବିତ ହେବ? ଏହି ବିବାଦ ଆଗକୁ କେଉଁ ନୂଆ ମୋଡ଼ ନେବ, ତାହା ଉପରେ ରହିଛି ସମସ୍ତଙ୍କ ନଜର।

Leave a Reply

Your email address will not be published. Required fields are marked *

Suchana Tv @2025. All Rights Reserved || Developed By CBSPL