ରାଜନୀତିରେ ସଫଳତାର ପାହାଡ ଉପରେ ଛିଡା ହେଉଥିବା ବିଜୟ ୨୦୦୦ ମସିହାରୁ ବିଫଳତାର ସ୍ଵାଦ ଚାଖି ଚାଖି ଆସୁଛନ୍ତି। ନବୀନ କୁଆଡେ ବିଜୟଙ୍କ ରାଜନୈତିକ ଭବିଷ୍ୟତକୁ ଅନ୍ଧାର କରି ଦେଇଥିଲେ। ନବୀନଙ୍କ ସହ ପଙ୍ଗା ନେବା ବିଜୟଙ୍କୁ ଭାରି ପଡ଼ିଥିଲା। ଦିନେ ଓଡ଼ିଶା ରାଜନୀତିରେ ନିଜର ଦବଦବା ରଖୁଥିବା ବିଜୟ ମହାପାତ୍ରଙ୍କ ରାଜନୈତିକ ଯାତ୍ରାରେ ପରେ ପରେ ଆସିଥିଲା ଅନେକ ମୋଡ଼। କେତେବେଳେ ଦଳୀୟ ରାଜନୀତି ତ ଆଉ କେତେବେଳେ ନିର୍ବାଚନୀ ଫଳାଫଳ, ବିଜୟଙ୍କ ରାଜନୈତିକ ଭବିଷ୍ୟତକୁ ବାରମ୍ବାର ପ୍ରଶ୍ନ ଭିତରକୁ ଟାଣି ଆଣିଥିଲା।
ନବୀନଙ୍କ ସହ ରାଜନୈତିକ ମତଭେଦ ପରେ ବିଜୟଙ୍କ ରାଜନୈତିକ ଜୀବନରେ ଯେଉଁ ଝଡ଼ ଆସିଥିଲା, ତାହାର ପ୍ରଭାବ ଦୀର୍ଘ ସମୟ ଧରି ଦେଖିବାକୁ ମିଳିଥିଲା। ଏବେ କିନ୍ତୁ ଚର୍ଚ୍ଚାର କେନ୍ଦ୍ରରେ ବିଜୟ ନୁହନ୍ତି, ଚର୍ଚ୍ଚାରେ ତାଙ୍କ ପୁଅ ଅରବିନ୍ଦ ମହାପାତ୍ର।ବାପାଙ୍କ ରାଜନୈତିକ ଛାୟା ତଳେ ରାଜନୀତିରେ ନିଜର ପରିଚୟ ତିଆରି କରିଥିବା ଅରବିନ୍ଦଙ୍କ ଆଗାମୀ ରାସ୍ତା କେମିତି ହେବ, ତାକୁ ନେଇ ଏବେ ଆରମ୍ଭ ହୋଇଛି ନୂଆ ଚର୍ଚ୍ଚା।
ବିଜୟ ମହାପାତ୍ରଙ୍କ ଭଳି ଅରବିନ୍ଦ ମଧ୍ୟ କଣ ରାଜନୀତିର କଠିନ ପରୀକ୍ଷା ଦେବେ, ନା ନିଜ ଦମରେ ରାଜନୈତିକ ମଇଦାନରେ ନୂଆ ଅଧ୍ୟାୟ ଲେଖିବେ, ତାହା ଉପରେ ଏବେ ନଜର। ବିଶେଷକରି ପାଟକୁରା ରାଜନୀତିରେ ଅରବିନ୍ଦଙ୍କ ଭୂମିକାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଥମୁନାହିଁ।ପାଟକୁରାବାସୀ ବିଜୟ ମହାପାତ୍ରଙ୍କୁ ଯେଉଁ ଭଳି ଭାବେ ରାଜନୈତିକ ସମର୍ଥନ ନ ଦେଇ ବିଫଳତାର ସ୍ଵାଦ ଚଖାଇ ଦେଇ ଆସିଛନ୍ତି, ସେହି ଭଳି ଅରବିନ୍ଦଙ୍କ ପ୍ରତି ମଧ୍ୟ ହେବ କି ତାହା ଏବେ ଲୋକେ ପ୍ରଶ୍ନ କରୁଛନ୍ତି। ବିଜେଡିରୁ ବିଦା ହେବା ପରେ ଲୋକଙ୍କ ଭରସା ହାସଲ କରିବା, ନିଜର ସଂଗଠନ ମଜବୁତ କରିବା ଏବଂ ରାଜନୀତିରେ ନିଜର ଅଲଗା ପରିଚୟ ତିଆରି କରିବା ଅରବିନ୍ଦଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହେବ। କାରଣ ବାପାଙ୍କ ନାଁ ରାଜନୀତିରେ ଯେତେ ବଡ଼ ହେଉ, ପୁଅଙ୍କୁ ନିଜର ରାଜନୈତିକ ଯୋଗ୍ୟତା ଓ ଜନସମ୍ପର୍କ ମାଧ୍ୟମରେ ନିଜ ପାଇଁ ସ୍ଥାନ ତିଆରି କରିବାକୁ ପଡ଼ିବ।
ଏବେ ପ୍ରଶ୍ନ ଉଠୁଛି, ବାପା ବିଜୟଙ୍କ ରାଜନୈତିକ ଅତୀତ କଣ ଅରବିନ୍ଦଙ୍କ ପାଇଁ ଆଶୀର୍ବାଦ ହେବ, ନା ଏହା ହିଁ ତାଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ। କାରଣ ବିଜୟଙ୍କ ନାଁ ସହ ଜଡ଼ି ରହିଛି ଓଡ଼ିଶା ରାଜନୀତିର ଅନେକ ବଡ଼ ଘଟଣା। ଆଉ ଏପଟେ ବିଜୟଙ୍କୁ ନେଇ ଯେଉଁ ରାଜନୈତିକ ଅଭିଜ୍ଞତା ରହିଛି, ସେହି ଅଭିଜ୍ଞତା ଅରବିନ୍ଦଙ୍କ ପାଇଁ କେତେ ବଡ଼ ଶକ୍ତି ହେବ, ତାହା ମଧ୍ୟ ଦେଖିବାକୁ ପଡ଼ିବ। ଲୋକେ କହୁଛନ୍ତି, ବାପା ବିଜୟଙ୍କ ଭଳି ପୁଅ ଅରବିନ୍ଦଙ୍କ ରାଜନୈତିକ ରାସ୍ତା ମଧ୍ୟ କଣ କଣ୍ଟକିତ ହେବ। ନା ଅରବିନ୍ଦ ପୁରୁଣା ରାଜନୈତିକ ଇତିହାସକୁ ପଛରେ ପକାଇ ନିଜ ପାଇଁ ଏକ ନୂଆ ରାଜନୈତିକ ଅଧ୍ୟାୟ ଲେଖିବେ। ଏହାର ଉତ୍ତର ଏବେ ସମୟ ହାତରେ।
ଗୋଟିଏ କଥା ସ୍ପଷ୍ଟ, ବିଜୟଙ୍କ ପରେ ଅରବିନ୍ଦଙ୍କ ରାଜନୈତିକ ଭବିଷ୍ୟତ ଉପରେ ଯେତେ ଚର୍ଚ୍ଚା ବଢ଼ୁଛି, ପାଟକୁରାର ରାଜନୀତି ସେତେ ରୋଚକ ହେଉଛି। ଆଗାମୀ ଦିନରେ ଅରବିନ୍ଦ କେଉଁ ପଦକ୍ଷେପ ନେବେ ଏବଂ ପାଟକୁରାବାସୀ ତାଙ୍କୁ କେତେଦୂର ଗ୍ରହଣ କରିବେ, ସେହି ଉପରେ ହିଁ ନିର୍ଭର କରିବ ତାଙ୍କ ରାଜନୈତିକ ଭବିଷ୍ୟତ। ବିଜେଡିରୁ ବିଦା ହେବା ପରେ ଏବେ ଏଭଳି ଚର୍ଚ୍ଚା ଜୋର ଧରିଛି।

