Saturday, 5 September 2026
କେନ୍ଦ୍ରାପଡ଼ା ଜ଼ିଲ୍ଲା ମୁଖ୍ୟ ଖବର

ଶହେରୁ ଊର୍ଦ୍ଧ୍ୱ ଗଛରେ ରାକ୍ଷୀ ବାନ୍ଧିଲେ ପରିବେଶବିତ ସରିତା

ଭାଇ-ଭଉଣୀର ପବିତ୍ର ସମ୍ପର୍କର ପର୍ବ ରାଖୀ ପୂର୍ଣ୍ଣିମା। ଏହି ଦିନରେ ଭଉଣୀ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧି ତାଙ୍କ ଦୀର୍ଘାୟୁ ଓ ସୁରକ୍ଷା କାମନା କରିଥାଏ। ହେଲେ ଏହି ପବିତ୍ର ଦିନକୁ ଏକ ନିଆରା ଢଙ୍ଗରେ ପାଳନ କରି ପରିବେଶ ସୁରକ୍ଷାର ବାର୍ତ୍ତା ଦେଇଛନ୍ତି ଆଳି ବ୍ଲକ ମେଣ୍ଢପୁର ଗ୍ରାମର ଯୁବତୀ ତଥା ପରିବେଶବିତ ସରିତା ସ୍ୱାଇଁ। ତାଙ୍କର ଏହି ନିଆରା ପ୍ରୟାସ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

‘ଗଛଟିଏ ଭାଇ ଟିଏ, ଗଛ ପାଇଁ ରାକ୍ଷୀ ଟିଏ’—ଏହି ବାର୍ତ୍ତା ଦେଇ ସରିତା ରାଖୀ ପୂର୍ଣ୍ଣିମା ଅବସରରେ ଶହେରୁ ଊର୍ଦ୍ଧ୍ୱ ଗଛରେ ରାକ୍ଷୀ ବାନ୍ଧିଛନ୍ତି। ଭାଇ ଯେପରି ସୁଖଦୁଃଖରେ ଭଉଣୀର ପାଖରେ ଛିଡ଼ା ହୋଇ ବିପଦରୁ ରକ୍ଷା କରେ, ସେହିପରି ଗଛ ମଧ୍ୟ ମଣିଷ ସମାଜକୁ ଅମ୍ଳଜାନ ଯୋଗାଇବା ସହ ପରିବେଶକୁ ସୁରକ୍ଷିତ ରଖିବାରେ ବଡ଼ ଭୂମିକା ନିଭାଏ। ବନ୍ୟା, ବାତ୍ୟା, ମୃତ୍ତିକା କ୍ଷୟ ଭଳି ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟର ପ୍ରଭାବ କମାଇବାରେ ମଧ୍ୟ ଗଛର ଗୁରୁତ୍ୱ ରହିଛି।

ରାଖୀ ବାନ୍ଧିବା ସମୟରେ ସରିତା ପାରମ୍ପରିକ ରୀତିନୀତି ଅନୁସରଣ କରି ଫୁଲ, ଧୂପ ଓ ଚନ୍ଦନରେ ଗଛଗୁଡ଼ିକୁ ପୂଜା କରିବା ସହ ରାକ୍ଷୀ ବାନ୍ଧିଥିଲେ। ଗଛକୁ ନିଜ ପରିବାରର ସଦସ୍ୟ ଭାବେ ଗ୍ରହଣ କରି ସେ ଏହି ଅଭିନବ ପଦକ୍ଷେପ ନେଇଛନ୍ତି।

୨୬ ବର୍ଷୀୟ ସରିତା ଗତ ଦୁଇ ବର୍ଷ ଧରି ମେଣ୍ଢପୁରସ୍ଥିତ ଅଙ୍ଗନବାଡ଼ି କେନ୍ଦ୍ରରେ ଶିକ୍ଷୟିତ୍ରୀ ଭାବେ ଶିଶୁମାନଙ୍କୁ ଶିକ୍ଷାଦାନ କରୁଛନ୍ତି। ପିଲାଦିନରୁ ସେ ପରିବେଶ ସୁରକ୍ଷା ପ୍ରତି ସଚେତନ ରହିବା ସହ ଗଛ ଲଗାଇବା ଓ ଏହାର ଯତ୍ନ ନେବାରେ ନିଜକୁ ନିୟୋଜିତ କରିଆସିଛନ୍ତି। ଏଥିସହ ସମାଜସେବା କ୍ଷେତ୍ରରେ ମଧ୍ୟ ସେ ସକ୍ରିୟ ରହି ଅସହାୟ ଲୋକଙ୍କୁ ସହାୟତା କରିବା ଏବଂ ପୁରୀ ରଥଯାତ୍ରା ସମୟରେ ଭକ୍ତମାନଙ୍କୁ ଖାଦ୍ୟ ବଣ୍ଟନ ଭଳି କାର୍ଯ୍ୟରେ ନିଜକୁ ସାମିଲ କରିଆସୁଛନ୍ତି।

ରାଖୀ ପୂର୍ଣ୍ଣିମାରେ ତାଙ୍କର ଏହି ନିଆରା ପ୍ରୟାସ କେବଳ ଏକ ପରମ୍ପରା ପାଳନ ନୁହେଁ, ବରଂ ଗଛ ସୁରକ୍ଷା ଓ ପରିବେଶ ପ୍ରତି ମଣିଷର ଦାୟିତ୍ୱକୁ ମନେ ପକାଇ ଦେଇଛି। ସରିତାଙ୍କ ଏହି ଅଭିନବ ପଦକ୍ଷେପକୁ ନେଇ ଆଳି ଅଞ୍ଚଳର ବୁଦ୍ଧିଜୀବୀ ମହଲ ସମେତ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପ୍ରଶଂସାର ସୁଅ ଛୁଟିଛି।

 

Leave a Reply

Your email address will not be published. Required fields are marked *

Suchana Tv @2025. All Rights Reserved || Developed By CBSPL