Friday, 4 September 2026
ଅପରାଧ ଜ଼ିଲ୍ଲା ମୁଖ୍ୟ ଖବର ରାଜ୍ୟର ପ୍ରମୁଖ ସହର

ପବିତ୍ର ସମ୍ପର୍କରେ ଲାଗିଲା କଳଙ୍କ!

ଧଡୁ ପଟ୍ଟନାୟକ(ପୁରୀ )

ମା’ର ମମତା ଓ ପୁଅର ଭଲପାଇବାର ପବିତ୍ର ସମ୍ପର୍କରେ ଲାଗିଲା କଳଙ୍କ! ପୁଅର ସନ୍ଦେହଜନକ କାରନାମାକୁ ନେଇ ଏବେ ପୁରୀରେ ଚାଞ୍ଚଲ୍ୟ।

ପୁରୀ କୁମ୍ଭାରପଡ଼ା ଅଞ୍ଚଳରୁ ଆସିଛି ଏକ ଚାଞ୍ଚଲ୍ୟକର ଘଟଣା। ଜଣେ ମାଆଙ୍କୁ ହତ୍ୟା କରିବା ପରେ ତାଙ୍କ ମୃତଦେହକୁ ଭଡ଼ା ଘରର ରୋଷେଇ ଘର ସ୍ଲାବ ତଳେ ପୋତି ଦିଆଯାଇଥିବା ନେଇ ଘର ମାଲିକ ସନ୍ଦେହ ପ୍ରକାଶ କରିଛନ୍ତି।

ସୂଚନା ଅନୁସାରେ, ପ୍ରାୟ ଦୁଇ ମାସ ତଳେ ଜଣେ ମହିଳା ଓ ତାଙ୍କ ପୁଅ ଉକ୍ତ ଘରେ ଭଡ଼ାରେ ରହିବାକୁ ଆସିଥିଲେ। କିନ୍ତୁ ହଠାତ୍ ପୁଅ ଘରୁ ଫେରାର ହୋଇଯିବା ସହ ମାଆଙ୍କର ମଧ୍ୟ କୌଣସି ପତ୍ତା ମିଳୁନାହିଁ। ଏହାପରେ ଘର ମାଲିକଙ୍କ ସନ୍ଦେହ ବଢ଼ିଥିବା ବେଳେ ରୋଷେଇ ଘର ସ୍ଲାବ ତଳେ ମୃତଦେହ ପୋତାଯାଇଥିବା ନେଇ ଚର୍ଚ୍ଚା ଜୋର ଧରିଛି।

ଘଟଣାର ସତ୍ୟାସତ୍ୟ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ। ତେବେ ମା’ଙ୍କ ନିଖୋଜ ଓ ପୁଅଙ୍କ ହଠାତ୍ ଫେରାର ଘଟଣା ପୁରୀ ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ତେବେ ଘର ମାଲିକଙ୍କ ସନ୍ଦେହ ସେତେବେଳେ ଆହୁରି ଘନୀଭୂତ ହୋଇଥିଲା, ଯେତେବେଳେ ଭଡ଼ାଘରର ରୋଷେଇ ଘର ଭିତରୁ ହଠାତ୍ ପ୍ରବଳ ଦୁର୍ଗନ୍ଧ ବାହାରିବା ଆରମ୍ଭ ହୋଇଥିଲା। ଘଟଣାକୁ ନେଇ ସନ୍ଦେହ ବଢ଼ିବା ପରେ ଘର ମାଲିକ ତୁରନ୍ତ ପୋଲିସକୁ ଖବର ଦେଇଥିଲେ।

ଅଭିଯୋଗ ଓ ସନ୍ଦେହ ଅନୁସାରେ, ରୋଷେଇ ଘରର ସ୍ଲାବ ତଳେ କୌଣସି ଜିନିଷ ପୋତି ଦିଆଯାଇ ତା’ ଉପରେ ପ୍ଲାଷ୍ଟର କରି ଦିଆଯାଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଚଟାଣ ଉପରେ ପାଣି ଓ ବର୍ଜ୍ୟ ପଦାର୍ଥ ଭାସୁଥିବା ବେଳେ ସେଠାରୁ ମଧ୍ୟ ଅସହ୍ୟ ଦୁର୍ଗନ୍ଧ ବାହାରୁଥିବା କୁହାଯାଉଛି।

ଏହି ସବୁ ଘଟଣାକୁ ନେଇ ସେଠାରେ କୌଣସି ମୃତଦେହ ପଚିଯାଉଥିବା ନେଇ ସନ୍ଦେହ ଆହୁରି ଘନୀଭୂତ ହୋଇଛି। ତେବେ ସତରେ ସ୍ଲାବ ତଳେ ମହିଳାଙ୍କ ମୃତଦେହ ପୋତାଯାଇଛି କି, ନା ଏହା ପଛରେ ରହିଛି ଅନ୍ୟ କୌଣସି ରହସ୍ୟ—ପୋଲିସର ଯାଞ୍ଚ ଓ ବୈଜ୍ଞାନିକ ତଦନ୍ତ ପରେ ହିଁ ସତ୍ୟ ସାମ୍ନାକୁ ଆସିବ।

 

Leave a Reply

Your email address will not be published. Required fields are marked *

Suchana Tv @2025. All Rights Reserved || Developed By CBSPL