ଘରୋଇ ପରିବେଶ ମଧ୍ୟରେ ଚାଲୁଥିବା ଏକ ମଦ ଦୋକାନକୁ ନେଇ ବଢ଼ିଛି ସ୍ଥାନୀୟଙ୍କ ଅସନ୍ତୋଷ। ମଦ ଦୋକାନକୁ ତୁରନ୍ତ ସ୍ଥାନାନ୍ତର କରିବା ଦାବିରେ ଆଜି ଶତାଧିକ ମହିଳା ଓ ଗ୍ରାମବାସୀ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକର ଅଣ୍ଢରା ବଜାର ଅଞ୍ଚଳରେ।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ଉକ୍ତ ମଦ ଦୋକାନ ନିକଟରେ ସ୍କୁଲ, କଲେଜ, ଆର୍ଆଇ କାର୍ଯ୍ୟାଳୟ ଓ ଏକ ମନ୍ଦିର ରହିଥିବାରୁ ଏହାକୁ ସ୍ଥାନାନ୍ତର କରିବା ପାଇଁ ଦୀର୍ଘଦିନ ଧରି ଦାବି କରାଯାଉଥିଲା। କିନ୍ତୁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାନଯାଇଥିବାରୁ ଆଜି ଶତାଧିକ ମହିଳା ଓ ଗ୍ରାମବାସୀ ମଦ ଦୋକାନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ବିକ୍ଷୋଭ ଯୋଗୁଁ କିଛି ସମୟ ପାଇଁ ଉତ୍ତେଜନା ସୃଷ୍ଟି ହୋଇଥିଲା। ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ବିକ୍ଷୋଭକାରୀଙ୍କୁ ବୁଝାସୁଝା କରିଥିଲେ। ତେବେ ମଦ ଦୋକାନକୁ ତୁରନ୍ତ ସ୍ଥାନାନ୍ତର ନକରାଗଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ମହିଳାମାନେ ଚେତାବନୀ ଦେଇଛନ୍ତି।
ସେପଟେ ଦୋକାନ ମାଲିକଙ୍କ କହିବା ଅନୁସାରେ, ଏହି ମଦ ଦୋକାନ ଦୀର୍ଘ ବର୍ଷ ଧରି ଏହି ସ୍ଥାନରେ ଚାଲିଆସୁଛି। ଏପର୍ଯ୍ୟନ୍ତ ସରକାର, ଜିଲ୍ଲା ପ୍ରଶାସନ କିମ୍ବା ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ ଦୋକାନ ଉଚ୍ଛେଦ କିମ୍ବା ସ୍ଥାନାନ୍ତର ସମ୍ପର୍କରେ କୌଣସି ନିର୍ଦ୍ଦେଶ ମିଳିନାହିଁ। ତଥାପି ସ୍ଥାନୀୟ ଲୋକଙ୍କ ଭାବନାକୁ ସମ୍ମାନ ଦେଇ ସରକାର ଉପଯୁକ୍ତ ସମୟ ଦେଲେ ମଦ ଦୋକାନକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ସେ ପ୍ରସ୍ତୁତ ବୋଲି କହିଛନ୍ତି।

