ଚନ୍ଦନ ଜେନା (ବାଲେଶ୍ବର)
ନ୍ୟାୟ ପାଇଁ ଗର୍ଜିଲା ବାଲିଆପାଳ!
ମହିଳା ସରପଞ୍ଚଙ୍କ ସମ୍ମାନହାନି ଅଭିଯୋଗକୁ ନେଇ ତାତିଲା ପରିସ୍ଥିତି। ଅଭିଯୋଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଓ ଗିରଫଦାରୀ ଦାବିରେ ବାଲିଆପାଳ ଥାନା ସମ୍ମୁଖରେ ଚାଲିଥିଲା ଅହରାତ୍ର ଧାରଣା। ଦ୍ୱିତୀୟ ଦିନରେ ଡିଏସପି ଚାନ୍ଦମଣି ସିଂଙ୍କ ଦୃଢ଼ ପ୍ରତିଶ୍ରୁତି ପରେ ଶେଷରେ ପ୍ରତ୍ୟାହୃତ ହୋଇଛି ଆନ୍ଦୋଳନ।
ଅଭିଯୋଗ ଅନୁଯାୟୀ, ନୂଆଗାଁ ପଞ୍ଚାୟତର ମହିଳା ସରପଞ୍ଚଙ୍କ ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ କରି ଯଶୋବନ୍ତ ପ୍ରଧାନ ଓରଫ ପିଣ୍ଟୁ ଅଶ୍ଳୀଳ ମନ୍ତବ୍ୟ କରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ମହିଳା ସରପଞ୍ଚ ବାଲିଆପାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ପରେ ମହିଳା କଂଗ୍ରେସ ଓ ଯୁବ କଂଗ୍ରେସ ପକ୍ଷରୁ ମଧ୍ୟ ପୃଥକ ଭାବେ ଏତଲା ଦିଆଯାଇଥିବା କୁହାଯାଇଛି। ହେଲେ ଅଭିଯୋଗ ପରେ ତୁରନ୍ତ ଗିରଫଦାରୀ ନହେବାକୁ ନେଇ ବଢ଼ିଥିଲା ଅସନ୍ତୋଷ।
ଏହାପରେ ଆରମ୍ଭ ହେଲା ପ୍ରତିବାଦ—
“କାର୍ଯ୍ୟାନୁଷ୍ଠାନ କେବେ?”—ଏହି ପ୍ରଶ୍ନକୁ ନେଇ ଥାନା ସମ୍ମୁଖରେ ବସିଥିଲେ ଯୁବ କଂଗ୍ରେସ କର୍ମୀ। ଦାବି ଥିଲା ସ୍ପଷ୍ଟ—ଅଭିଯୋଗର ନିରପେକ୍ଷ ତଦନ୍ତ ହେଉ ଏବଂ ଦୋଷ ପ୍ରମାଣିତ ହେଲେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ହେଉ।
ଧାରଣାରେ ବାଲିଆପାଳ ବ୍ଲକ ଯୁବ କଂଗ୍ରେସ ସଭାପତି ସୁବାସ ନାୟକ, ବସ୍ତା ନିର୍ବାଚନମଣ୍ଡଳୀ ଯୁବ କଂଗ୍ରେସ ସଭାପତି ତୀର୍ଥ କୁମାର ନାଗ, ପଞ୍ଚାୟତ ସମିତି ଅଧ୍ୟକ୍ଷା ରଞ୍ଜିତା ନାୟକ, ଜିଲ୍ଲା ପରିଷଦ ସଦସ୍ୟ ବାବାଜୀ ଦେହୁରୀ, ସରପଞ୍ଚ ସରୋଜ କୁମାର ପିଳା, ସେକ କମିରୁଦ୍ଧିନ, ବିଜନ ନାୟକ, ଜଗନ୍ନାଥ ବିଶ୍ୱାଳ, ମୂରଲୀ ମୋହନ ସାହୁ, ରବିନାରାୟଣ ମହାନ୍ତିଙ୍କ ସମେତ ବହୁ କଂଗ୍ରେସ ଓ ଯୁବ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ।
ଦ୍ୱିତୀୟ ଦିନରେ ବଦଳିଲା ପରିସ୍ଥିତି—
ଧାରଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ ଡିଏସପି ଚାନ୍ଦମଣି ସିଂ। ଅଭିଯୋଗର ନିୟମ ଅନୁଯାୟୀ ତଦନ୍ତ କରାଯିବ ଏବଂ ତଦନ୍ତରେ ଯଦି ଦୋଷ ପ୍ରମାଣିତ ହୁଏ, ତେବେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଦିଆଯାଇଥିଲା ପ୍ରତିଶ୍ରୁତି।
ଡିଏସପିଙ୍କ ଏହି ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହାର କରିଥିଲେ ଆନ୍ଦୋଳନକାରୀ।
କିନ୍ତୁ ଏବେ ବଡ଼ ପ୍ରଶ୍ନ—
ତଦନ୍ତ କେତେ ଶୀଘ୍ର ଆଗକୁ ବଢ଼ିବ?
ଅଭିଯୋଗର ସତ୍ୟତା କଣ ସାମ୍ନାକୁ ଆସିବ?
ଦୋଷ ପ୍ରମାଣିତ ହେଲେ କେତେ କଠୋର ହେବ ପୋଲିସର ପଦକ୍ଷେପ?
ଆଉ ମହିଳା ସରପଞ୍ଚଙ୍କୁ କେବେ ମିଳିବ ସମ୍ପୂର୍ଣ୍ଣ ନ୍ୟାୟ?
ଏବେ ନଜର ପୋଲିସ ତଦନ୍ତ ଉପରେ। ଅଭିଯୋଗର ସତ୍ୟତା ତଦନ୍ତ ପରେ ସ୍ପଷ୍ଟ ହେବ, କିନ୍ତୁ ଡିଏସପିଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନ ଥମିଥିବା ବେଳେ ଏବେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା କରିଛି ବାଲିଆପାଳ।

