Saturday, 5 September 2026
ବିଜେଡି ବିଜେପି ମୁଖ୍ୟ ଖବର ରାଜନୀତି ରାଜ୍ୟ ରାଜନୀତି

ନବୀନଙ୍କ ଆକ୍ସନ ମୋଡ୍, ପଞ୍ଚାୟତରେ ବିଜେଡିର ଧମାକା!

ଓଡ଼ିଶା ରାଜନୀତିରେ ପୁଣି ଆରମ୍ଭ ହେଲା ବଡ ଚର୍ଚ୍ଚା। ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ। ଆଉ ପଞ୍ଚାୟତ ନିର୍ବାଚନ ଯେତେ ପାଖେଇବ, ରାଜ୍ୟ ରାଜନୀତିର ପାରା ସେତେ ଉପରକୁ ଯିବ। ଏହାରି ଭିତରେ ଏବେ ଚର୍ଚ୍ଚାର କେନ୍ଦ୍ରରେ ବିଜେଡି। କାରଣ ଦୀର୍ଘ ବର୍ଷ ଧରି ଓଡ଼ିଶାର ଶାସନ କ୍ଷମତାରେ ରହିଥିବା ବିଜେଡି ଏବେ ବିରୋଧୀ ଦଳ ଭାବେ ମଇଦାନରେ ରହିଛି। କିନ୍ତୁ ଦଳର ଆଗାମୀ ରାଜନୈତିକ ଯାତ୍ରା ପାଇଁ ପଞ୍ଚାୟତ ନିର୍ବାଚନକୁ ଏକ ବଡ ପରୀକ୍ଷା ଭାବେ ଦେଖାଯାଉଛି।ଏବେ ପ୍ରଶ୍ନ ହେଉଛି ବିଜେଡି କଣ କରିବ,ଚୁପଚାପ ବସିବ ନା ପୁଣି ନିଜର ପୁରୁଣା ସଂଗଠନକୁ ନେଇ ମଇଦାନକୁ ଓହ୍ଲାଇବ।

ରାଜନୈତିକ ମହଲରେ ଏବେ ଏହି ପ୍ରଶ୍ନକୁ ନେଇ ଚର୍ଚ୍ଚା ଜୋର ଧରିଛି। କାରଣ ବିଜେଡିର ସବୁଠୁ ବଡ ଶକ୍ତି ହେଉଛି ତାର ତୃଣମୂଳ ସଂଗଠନ। ଗାଁରୁ ଗାଁ, ପଞ୍ଚାୟତରୁ ପଞ୍ଚାୟତ ଏବଂ ବୁଥ ସ୍ତର ପର୍ଯ୍ୟନ୍ତ ଦଳର ଦୀର୍ଘଦିନର ସଂଗଠନ ରହିଛି। ଏହି ସଂଗଠନକୁ ପୁଣି ଏକାଠି କରିପାରିଲେ ପଞ୍ଚାୟତ ନିର୍ବାଚନରେ ବିଜେଡି ଏକ ବଡ ଶକ୍ତି ଦେଖାଇ ପାରେ।ଆଉ ଏଠି ଆସୁଛି ନବୀନ ପଟ୍ଟନାୟକଙ୍କ ଭୂମିକା। ନବୀନଙ୍କ ନେତୃତ୍ୱକୁ ନେଇ ଦଳ ଭିତରେ ଆଜି ବି ଏକ ବଡ ଆଶା ରହିଛି। ନବୀନଙ୍କ ନାଁ ଓ ତାଙ୍କ ଦୀର୍ଘ ରାଜନୈତିକ ଅନୁଭବକୁ ଆଗରେ ରଖି ଦଳ ଯଦି ପୁଣି ଗାଁ ମାଟିରେ ନିଜର ପ୍ରଭାବ ବଢାଇପାରେ, ତେବେ ଆଗାମୀ ନିର୍ବାଚନରେ ଲଢେଇ ଆହୁରି ରୋଚକ ହେବା ନିଶ୍ଚିତ। ନବୀନ ଯଦି ଗାଁ ରୁ ଗାଁ ବୁଲନ୍ତି ତେବେ ବିଜେଡି ଏଥର ଇତିହାସ ସୃଷ୍ଠି କରି ବିଜୟ କରିବ ବୋଲି ଲୋକେ କହୁଛନ୍ତି ।

କିନ୍ତୁ ପଞ୍ଚାୟତ ନିର୍ବାଚନର ଲଢେଇ ସାଧାରଣ ନିର୍ବାଚନଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଏଠାରେ ବଡ ବଡ ନେତାଙ୍କ ଭାଷଣ ଅପେକ୍ଷା ଗାଁର ଛୋଟ ଛୋଟ ସମୀକରଣ ଅଧିକ ପ୍ରଭାବ ପକାଏ। କେଉଁ ଗାଁରେ କାହାର ପ୍ରଭାବ, କେଉଁ ପଞ୍ଚାୟତରେ କିଏ ଶକ୍ତିଶାଳୀ, କେଉଁ ଅଞ୍ଚଳରେ କର୍ମୀ ସକ୍ରିୟ ଏବଂ କେଉଁଠି ଦଳୀୟ ଅସନ୍ତୋଷ ରହିଛି, ଏସବୁ ହିଁ ଫଳାଫଳକୁ ପ୍ରଭାବିତ କରିପାରେ।ସେଥିପାଇଁ ବିଜେଡି ଲାଗି ଏବେ ସବୁଠୁ ବଡ ଚ୍ୟାଲେଞ୍ଜ ହେଉଛି ଦଳର ତଳସ୍ତରର ସଂଗଠନକୁ ପୁଣି ସକ୍ରିୟ କରିବା। ଯେଉଁ କର୍ମୀମାନେ ନିର୍ବାଚନ ପରେ ନିଷ୍କ୍ରିୟ ହୋଇଯାଇଛନ୍ତି ସେମାନଙ୍କୁ ପୁଣି ମଇଦାନକୁ ଆଣିବା। ଯେଉଁଠି ନେତାଙ୍କ ମଧ୍ୟରେ ମତଭେଦ ରହିଛି ସେଠାରେ ସମନ୍ୱୟ ବଢାଇବା। ଆଉ ଯେଉଁ ଅଞ୍ଚଳରେ ଦଳ ଦୁର୍ବଳ ହୋଇଛି ସେଠାରେ ନୂଆ ରଣନୀତି ସହିତ ପ୍ରବେଶ କରିବା।

ଅନ୍ୟପଟେ ବିଜେଡିର ସାମ୍ନାରେ ରହିବ ବିଜେପିର ଚ୍ୟାଲେଞ୍ଜ। ରାଜ୍ୟରେ ସରକାର ଗଠନ କରିବା ପରେ ବିଜେପି ମଧ୍ୟ ତୃଣମୂଳ ସ୍ତରରେ ନିଜ ସଂଗଠନକୁ ଆହୁରି ମଜବୁତ କରିବାକୁ ଚାହିଁବ। ତେଣୁ ପଞ୍ଚାୟତ ନିର୍ବାଚନ ଆସିଲେ ଦୁଇ ଦଳ ମଧ୍ୟରେ ଗାଁ ଗାଁରେ ସିଧାସଳଖ ଟକ୍କର ଦେଖିବାକୁ ମିଳିପାରେ।କେବଳ ବିଜେପି ନୁହେଁ, କଂଗ୍ରେସ ମଧ୍ୟ ନିଜ ସଂଗଠନକୁ ପୁଣି ମଜବୁତ କରିବାକୁ ଉଦ୍ୟମ କରୁଛି। ତେଣୁ ଆଗାମୀ ପଞ୍ଚାୟତ ନିର୍ବାଚନରେ ତ୍ରିମୁଖୀ ଲଢେଇର ଚିତ୍ର ଅନେକ ସ୍ଥାନରେ ଦେଖାଯାଇପାରେ। ଯେଉଁ ଦଳ ଗାଁର ଭୋଟରଙ୍କ ମନ ଜିତିପାରିବ, ସେହି ଦଳ ପଞ୍ଚାୟତ ମଇଦାନରେ ବଡ ଲାଭ ପାଇପାରିବ।ଆଉ ବିଜେଡି ପାଇଁ ଏହି ନିର୍ବାଚନର ଅର୍ଥ ଆହୁରି ବଡ। କାରଣ ଏହା କେବଳ ଜିଲ୍ଲା ପରିଷଦ, ସମିତି କିମ୍ବା ସରପଞ୍ଚ ନିର୍ବାଚନର ପ୍ରଶ୍ନ ନୁହେଁ। ଏହା ହେବ ଦଳର ତୃଣମୂଳ ଶକ୍ତି କେତେ ଅଛି ତାହାର ପରୀକ୍ଷା।

ଲୋକସଭା ଓ ବିଧାନସଭା ନିର୍ବାଚନ ପରେ ଗାଁରେ ବିଜେଡିର ଭୋଟ ଭିତ୍ତି କେତେ ମଜବୁତ ଅଛି, ତାହାର ଏକ ବଡ ସଙ୍କେତ ପଞ୍ଚାୟତ ଫଳାଫଳରୁ ମିଳିପାରେ।ତେବେ ଏଠାରେ ଆଉ ଏକ ବଡ ପ୍ରଶ୍ନ ଉଠୁଛି। ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ପୁଣି ନିଜର ପୁରୁଣା ରାଜନୈତିକ ଶକ୍ତିକୁ ଫେରାଇ ଆଣିପାରିବ କି। ନା ନୂଆ ରାଜନୈତିକ ସମୀକରଣ ଭିତରେ ଦଳକୁ ଆହୁରି କଠିନ ଲଢେଇ କରିବାକୁ ପଡିବ। ପଞ୍ଚାୟତ ନିର୍ବାଚନରେ ଯଦି ବିଜେଡି ଭଲ ପ୍ରଦର୍ଶନ କରେ, ତେବେ ଏହା ଦଳର କର୍ମୀଙ୍କ ମନୋବଳକୁ ବଢାଇବା ସହ ଆଗାମୀ ରାଜନୈତିକ ଲଢେଇ ପାଇଁ ଏକ ବଡ ସନ୍ଦେଶ ଦେଇପାରେ। ଆଉ ଯଦି ଦଳ ଗାଁ ଗାଁରେ ନିଜର ପୁରୁଣା ଭୋଟ ଭିତ୍ତିକୁ ପୁଣି ଏକାଠି କରିପାରେ, ତେବେ ବିଜେଡି ମଇଦାନରେ ଜୋରଦାର ପ୍ରତ୍ୟାବର୍ତ୍ତନର ସଙ୍କେତ ଦେଇପାରେ।ତେଣୁ ଏବେଠାରୁ ରାଜନୈତିକ ମଇଦାନରେ ଗୋଟିଏ କଥା ଉପରେ ନଜର।

ନବୀନଙ୍କ ରଣନୀତି କଣ ହେବ। ବିଜେଡିର ନେତା ଓ କର୍ମୀ କିପରି ମଇଦାନକୁ ଓହ୍ଲାଇବେ। ଆଉ ଗାଁର ଭୋଟର କାହା ଉପରେ ଭରସା କରିବେ। ଏହି ତିନିଟି ପ୍ରଶ୍ନର ଉତ୍ତର ହିଁ ପଞ୍ଚାୟତ ନିର୍ବାଚନର ଚିତ୍ର ବଦଳାଇପାରେ। ଏବେ ଅପେକ୍ଷା ନବୀନଙ୍କ ପରବର୍ତ୍ତୀ ପଦକ୍ଷେପକୁ। କାରଣ ପଞ୍ଚାୟତ ମଇଦାନରେ ଯଦି ବିଜେଡି ସତରେ ଆକ୍ସନ ମୁଡକୁ ଆସେ, ତେବେ ଓଡ଼ିଶା ରାଜନୀତିରେ ଆଗାମୀ ଦିନରେ ଲଢେଇ ଆହୁରି ଜୋରଦାର ହେବା ନିଶ୍ଚିତ।

Leave a Reply

Your email address will not be published. Required fields are marked *

Suchana Tv @2025. All Rights Reserved || Developed By CBSPL