ଅପାରାଧିଙ୍କୁ ଆଉ ନିସ୍ତାର ନାହିଁ , ଏଣିକି ଅପରଧ କରି ଭୁଇଁ ତଳେ ଲୁଚିଲେ ବି ଖୋଜି କାଢି ଏନ୍କାଉଣ୍ଟର କରିବ ପୋଲିସ | ଅମାନିଆ ଅପରାଧୀଙ୍କୁ ସାବାଡ଼ କରିବାକୁ ୟୁପି ଷ୍ଟାଇଲ ଆପଣାଇବ ଓଡିଶା ପୋଲିସ | ହିଂସା ଖେଳାଇଲେ ଅପରାଧୀଙ୍କୁ କେବଳ ବନ୍ଧୁକ ମୁନରେ ଦିଆଯିବ ଜବାବ |
ଦିନକୁ ଦିନ ଅଶାନ୍ତ ହୋଇଚାଲିଛି ଗଂଜାମ | ଅପରାଧୀଙ୍କ ମନମାନୀ ପାଇଁ ଟେନସନରେ ଗଂଜାମ ପୋଲିସ |କାହିଁକି ଦିନକୁ ଦିନ ଗଂଜାମ ରେ ବଢୁଛି ଅପରାଧ । କାହିଁକି ଅପରାଧରେ ଲାଗୁନି ବ୍ରେକ ? ଅପରାଧୀଙ୍କ ପାଇଁ ବଦନାମ ପୁରା ଜିଲ୍ଲା |
ବିଜେପି ନେତା ପୀତବାସ ଗୁଳିକାଣ୍ଡ ପରେ ବେଧଡକ ଚାଲିଛି ଏଭଳି ଅନେକ ଘଟଣା । ଯାହା ଗଂଜାମ ପୋଲିସର ମୁଣ୍ଡ ବିନ୍ଧା କାରଣ ସାଜିଛି| କେବଳ ଗଂଜାମ ନୁହଁ ଓଡିଶା ପୋଲିସକୁ ମଧ୍ୟ ଏ ନେଇ ଏକ ବଡ ଚାଲେଞ୍ଜକୁ ସାମ୍ନା କରିବାକୁ ପଡୁଛି | ଗୋଟିଏ ପଟେ ଅପରଧ ତାଲିକାରେ ଏବେ ଓଡ଼ିଶାର ନାମ ଶୀର୍ଷରେ ରହୁଥିବା ବେଳେ ରାଜ୍ୟରେ ଏବେ ୟୁପି ଢାଞ୍ଚା ଆପଣାଯାଇଛି | ଏଣିକି ଆଉ ଅପରାଧୀଙ୍କୁ କ୍ଷମା ନାହିଁ,ସିଧା ଏନକାଉଣ୍ଟର କରି ଅପରାଧୀଙ୍କ କଳା ସାମ୍ରାଜ୍ୟକୁ ମୂଳପୋଛ କରିବା ପାଇଁ ପୋଲିସ ତରଫରୁ ନିଆ ଯାଇଛି ବଡ଼ ଆକ୍ସନ |
ବ୍ରହ୍ମପୁର ସହରରେ ଅପରାଧୀଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି। ରବିବାର ସନ୍ଧ୍ୟାରେ ସର୍ବସାଧାରଣ ରାସ୍ତାରେ ମଙ୍ଗଳ ବେହେରା ନାମକ ଜଣେ ଯୁବକଙ୍କୁ କିଛି ଦୁର୍ବୃତ୍ତ ଅତି ନିର୍ମମ ଭାବେ ଖଣ୍ଡାରେ ଆକ୍ରମଣ କରିଥିଲେ। ଏହି ଘଟଣାରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ଜଗା ସାହୁକୁ ପୋଲିସ ଏନକାଉଣ୍ଟର କରିଛି।
ରବିବାର ସନ୍ଧ୍ୟା ସମୟରେ ବଜାରରେ ପ୍ରବଳ ଭିଡ଼ ଥିବାବେଳେ ଅମ୍ବିକା ନଗର ନିକଟରେ ମଙ୍ଗଳ ବେହେରାଙ୍କୁ ଦୁର୍ବୃତ୍ତମାନେ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ MKCG ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ଦୁଇ ଗୋଷ୍ଠୀ ମଧ୍ୟରେ ଥିବା ପୁରୁଣା ଶତ୍ରୁତା ଏହି ଆକ୍ରମଣର ମୁଖ୍ୟ କାରଣ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଘଟଣାସ୍ଥଳରେ ଏଭଳି ଆତଙ୍କ ଖେଳିଯାଇଥିଲା ଯେ ବ୍ୟବସାୟୀମାନେ ଭୟଭୀତ ହୋଇ ଦୋକାନ ବଜାର ବନ୍ଦ କରିଦେଇଥିଲେ।
ଖବର ପାଇ ବଡ଼ବଜାର ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ ଆରମ୍ଭ କରିଥିଲା। ବଡ଼ବଜାର ଥାନା ଅଧିକାରୀ ଆଶିଷ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ପୋଲିସ ଟିମ୍ ଅଭିଯୁକ୍ତମାନଙ୍କୁ ଖୋଜୁଥିବାବେଳେ ସୋମବାର ଭୋର ସମୟରେ ସୁକୁଣ୍ଡା ଗ୍ରାମ ନିକଟରେ ମୁଖ୍ୟ ଅଭିଯୁକ୍ତ ଜଗା ସାହୁର ସନ୍ଧାନ ପାଇଥିଲା। ପୋଲିସକୁ ଦେଖି ଅଭିଯୁକ୍ତ ଜଣକ ପଳାଇବାକୁ ଚେଷ୍ଟା କରିଥିଲା ଏବଂ ପୋଲିସ ଉପରକୁ ଦେଶୀ ବୋମା ମଧ୍ୟ ଫିଙ୍ଗିଥିଲା। ପାଲଟା ଜବାବରେ ପୋଲିସ ଗୁଳି ଚଳାଇଥିଲା, ଯେଉଁଥିରେ ଜଗା ସାହୁର ଗୋଡ଼ରେ ଗୁଳି ବାଜିଛି। ତାକୁ ମଧ୍ୟ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ଏହି ବର୍ବର କାଣ୍ଡରେ ଅନ୍ୟ କେତେକ ଦୁର୍ବୃତ୍ତ ସାମିଲ ଥିବା ସନ୍ଦେହ କରାଯାଉଛି।
ବର୍ତ୍ତମାନ ସୁଦ୍ଧା ଅନ୍ୟ ଜଣେ ଅଭିଯୁକ୍ତ ପୋଲିସ କବଜାରୁ ଫେରାର ରହିଛି। ପୋଲିସ ଟିମ୍ ତାକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି। ସହରରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ସ୍ଥାନୀୟ ବାସିନ୍ଦା ଉଦବେଗ ପ୍ରକାଶ କରିଛନ୍ତି।
