ଅରୁଣ ଷଡଙ୍ଗୀ (କନ୍ଧମାଳ)
କନ୍ଧମାଳ ଜିଲ୍ଲାକୁ ପିଛା ଛାଡୁନି ଦାଦନ ଦୁଃଖ! ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ମାତ୍ର ୧୭ ଦିନ ମଧ୍ୟରେ ପ୍ରାୟ ୭ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ଏବେ ଚିନ୍ତା ବଢ଼ାଇଛି। ଏହାରି ଭିତରେ କେରଳରେ ଦାଦନ ଶ୍ରମିକ ଭାବେ କାମ କରୁଥିବା କନ୍ଧମାଳ ଟିକାବାଲି ବ୍ଲକ ଗଦଗୁଡ଼ା ଗାଁର ଶୁଭଦେବ ପ୍ରଧାନଙ୍କ ଅକାଳ ମୃତ୍ୟୁ ପରିବାରକୁ ଦୁଃଖରେ ଭସାଇ ଦେଇଛି।
ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ ଶୁଭଦେବ। ନିଜ ଭଙ୍ଗାଦଦରା ଘରକୁ ସଜାଡ଼ିବା ଏବଂ ନିର୍ମାଣ କାମ ଶେଷ କରିବା ଆଶାରେ ସେ ସୁଦୂର କେରଳକୁ ଦାଦନ ଖଟିବାକୁ ଯାଇଥିଲେ। ହେଲେ ନିୟତିର ନିଷ୍ଠୁର ଖେଳରେ କାମ କରୁଥିବା ସମୟରେ ତଳେ ପଡ଼ି ତାଙ୍କର ମୃତ୍ୟୁ ହୋଇଥିଲା।
ଶୁଭଦେବଙ୍କ ମୃତ୍ୟୁ ପରେ ପତ୍ନୀଙ୍କ ମୁଣ୍ଡ ଉପରୁ ଯେପରି ଛାତ ହଟିଯାଇଛି। ଦୁଇ ଛୋଟ ପୁଅଙ୍କ ମଧ୍ୟରୁ ଜଣଙ୍କୁ ମାତ୍ର ୯ ବର୍ଷ ହୋଇଥିବା ବେଳେ ଅନ୍ୟଜଣଙ୍କ ବୟସ ମାତ୍ର ୨ ବର୍ଷ। ଭଙ୍ଗାଦଦରା ଘରେ ଦୁଇ ପୁଅଙ୍କୁ ଧରି ଅସହାୟ ଅବସ୍ଥାରେ ଦିନ କାଟୁଛନ୍ତି ଶୁଭଦେବଙ୍କ ପତ୍ନୀ। ଘର ନିର୍ମାଣର ଅଧୁରା ସ୍ୱପ୍ନ ଏବେ ଅଧାରେ ଅଟକି ଯାଇଛି।
ଘଟଣାର ଖବର ପାଇବା ପରେ SWAK ପରିବାରର ସଦସ୍ୟମାନେ ଗଦଗୁଡ଼ା ଗାଁରେ ପହଞ୍ଚି ଶୁଭଦେବଙ୍କ ପରିବାରକୁ ଭେଟିଥିଲେ ଏବଂ ଦୁଃଖରେ ସାମିଲ ହୋଇଥିଲେ। ପରିବାରର ପାରମ୍ପରିକ ରୀତିନୀତି ଅନୁସାରେ ମାଡ଼ା କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଛି। ହେଲେ ଏଭଳି ଦୁଃଖଦ ସମୟରେ ଏହି କାର୍ଯ୍ୟକ୍ରମର ଖର୍ଚ୍ଚ ମଧ୍ୟ ପରିବାର ଉପରେ ଅତିରିକ୍ତ ଆର୍ଥିକ ବୋଝ ପକାଇଛି।
ଶୁଭଦେବଙ୍କ ମୃତ୍ୟୁ କେବଳ ଗୋଟିଏ ପରିବାରକୁ ଭାଙ୍ଗି ଦେଇନାହିଁ, ବରଂ ଦାଦନ ସମସ୍ୟାର ଆଉ ଏକ ଭୟଙ୍କର ଚିତ୍ର ସାମ୍ନାକୁ ଆଣିଛି। ରୋଜଗାର ଅଭାବରେ ଅନେକ ଲୋକ ନିଜ ଘର ଓ ପରିବାର ଛାଡ଼ି ବାହାର ରାଜ୍ୟକୁ ଯାଉଛନ୍ତି। କିନ୍ତୁ ସେଠାରେ ଦୁର୍ଘଟଣା କିମ୍ବା ଅନ୍ୟ କୌଣସି ଅଘଟଣ ଘଟିଲେ ପରିବାର ଉପରେ ମାଡ଼ି ଆସୁଛି ଅସହାୟତା ଓ ଆର୍ଥିକ ସଙ୍କଟ।
ଏଭଳି ପରିସ୍ଥିତିରେ ଶୁଭଦେବଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇଦେବା ସହ ସମାଜର ସହୃଦୟ ବ୍ୟକ୍ତି, ବିଭିନ୍ନ ସଂଗଠନ ଓ ସ୍ୱେଚ୍ଛାସେବୀମାନେ ସହଯୋଗର ହାତ ବଢ଼ାଇବାକୁ ଆହ୍ୱାନ ହୋଇଛି। ସେହିପରି କନ୍ଧମାଳରେ ସ୍ଥାନୀୟ ସ୍ତରରେ ଅଧିକ ରୋଜଗାର ସୁଯୋଗ ସୃଷ୍ଟି ହେଲେ ଦାଦନ ଯନ୍ତ୍ରଣା କିଛି ମାତ୍ରାରେ ଦୂର ହୋଇପାରିବ ବୋଲି ଆଶା କରାଯାଉଛି।

